ଭୁବନେଶ୍ୱର,୨୯/୦୫: ବାମ ପଟ  ସମାନ୍ତରାଳ ରାସ୍ତା ପାଇଁ ବାଟ ଫିଟିବ । ବୁଧବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସାଲିଆସାହିରେ ସର୍ଭେ କରାଯାଇଛି । ଅଚାନକ  ବିଏମ୍‌ସି ଟିମ୍‌ ଭୋର ବେଳେ ପହଞ୍ଚି ସର୍ଭେ  କରିଥିଲା । ଏଥିରେ ମୋଟ୍‌ ୫୫୭ ହିତାଧିକାରୀ  ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ହାଉସିଂ ପ୍ରକଳ୍ପରେ ଘର ଦିଆଯିବ । ବିଏମ୍‌ସି ପକ୍ଷରୁ ବସ୍ତିରେ  ରହୁଥିଲା ଲୋକଙ୍କ ଅଧାରକାର୍ଡ, ବିଜୁଳି ବିଲ୍‌ ଯାଞ୍ଚ  କରାଯାଇଥିଲା । ଜଣେ ବି ଜାଲ୍‌ ହିତାଧିକାରୀ ଯେପରି  ନ ରୁହନ୍ତି ସେଥିପ୍ରତି ଧ୍ୟାନ ଦିଆଯାଇଥିଲା । ବିଏମ୍‌ସି  ପକ୍ଷରୁ ୧୦ଟି ଟିମ୍‌ ଗଠନ କରାଯାଇଥିଲା । ଏଥିରେ  ୬୦ ଜଣ ଅଧିକାରୀ ଏବଂ କର୍ମଚାରୀ ସାମିଲ ଥିଲେ ।  ଅତିରିକ୍ତ କମିଶନର ଏହାର ନେତୃତ୍ୱ ନେଇଥିଲେ ।  

ଚିହ୍ନଟ ହିତାଧିକାରୀମାନଙ୍କୁ ଚନ୍ଦ୍ରଶେଖରପୁର  ହାଉସିଂ ପ୍ରକଳ୍ପରେ ଘର ଆବଣ୍ଟନ କରାଯିବ ।  ଏନେଇ ଖୁବ୍‌ଶୀଘ୍ର ଚୂଡାନ୍ତ ତାଲିକ ପ୍ରସ୍ତୁତ କରାଯିବ । ଘର ମିଳିବା ପରେ ଏଠାରେ ଉଚ୍ଛେଦ  କାର୍ଯ୍ୟକୁ ଜୋରଦାର କରାଯିବ । ଏହାପରେ ରାସ୍ତା  କାମ ଆରମ୍ଭ ହେବ । ଏହି ରାସ୍ତା କାମ ପ୍ରାୟ  ୯୦ ପ୍ରତିଶତ ସରିଛି । ସିଆରପି-ଏକାମ୍ର କାନନ  ପାର୍କ ରାସ୍ତାର ସଂଯୋଗ ପାଇଁ ୬୦୦ ମିଟର ରାସ୍ତା  ବାକି ଥିଲା । ଏହି ରାସ୍ତା ପାଇଁ ସାଲିଆସାହି ବସ୍ତି  ବାଧକ ସାଜିଥିଲା । ବାରମ୍ବାର ବିରୋଧ ଯୋଗୁ ବସ୍ତି  ଉଚ୍ଛେଦ ହୋଇ ପାରିନଥିଲା । ଟ୍ରାଫିକ ସମସ୍ୟା ହଟାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ  ନଗର ଉନ୍ନୟନ ବିଭାଗ ଏବଂ ପୂର୍ତ୍ତ ବିଭାଗର ମନ୍ତ୍ରୀ ଉପସ୍ଥିତ ଥିଲେ । ତୁରନ୍ତ ଏହି ରାସ୍ତା କାମ  ଆଗେଇ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।