ନୂଆଦିଲ୍ଲୀ: ୟୁପିରେ ଉପ-ନିର୍ବାଚନ ମଧ୍ୟରେ ପୋଷ୍ଟର ରାଜନୀତି ଏବେ ସରଗରମ୍ ହେଉଛି । ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ୮୫ ତମ ଜନ୍ମ ବାର୍ଷିକୀ ଅବସରରେ ଲକ୍ଷ୍ନୌରେ ବିଜେପି କାର୍ଯ୍ୟାଳୟ ବାହାରେ ଏକ ହୋର୍ଡିଂ ଲଗାଯାଇଛି। ଏଥିରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ହୋର୍ଡିଂକୁ ଜଣେ ବିଜେପି କର୍ମୀ ଏଠାରେ ଲଗାଇଛନ୍ତି । 

ତାଙ୍କ ବୋହୂ ତଥା ବିଜେପି ନେତା ଅପର୍ଣ୍ଣା ଯାଦବଙ୍କ ସହ ମୁଲାୟମ ସିଂ ଯାଦବଙ୍କ ଚିତ୍ର ମଧ୍ୟ ହୋର୍ଡିଂରେ ସ୍ପଷ୍ଟ ଦେଖାଯାଉଛି। ଏହି ହୋର୍ଡିଂକୁ ବିଜେପି କର୍ମୀ ଚୌଧୁରୀ ବିବେକ ବାଲିଆନ ଏଠାରେ ସ୍ଥାପନ କରିଛନ୍ତି । ହୋର୍ଡିଂ ଉପରେ ଲେଖା ହୋଇଛି ଯେ, ୮୫ ତମ ଜନ୍ମ ବାର୍ଷିକୀରେ ସମ୍ମାନିତ ନେତାଜୀଙ୍କ ଶତ ଶତ ନମସ୍କାର । ଏବେ ଏହି ହୋଡିଂ ରାଜନୈତିକ ମହଲରେ ଚର୍ଚ୍ଚାର କାରଣ ପାଲଟିଛି । ତେବେ ଗତ କିଛି ଦିନ ହେବ ରାଜ୍ୟରେ ପୋଷ୍ଟର ରାଜନୀତି ବ୍ୟାପକ ଭାବେ ଚାଲିଛି।

ସିଏମ ଯୋଗୀ ଆଦିତ୍ୟନାଥଙ୍କ ସ୍ଲୋଗାନ 'ବାଣ୍ଟେଙ୍ଗେ ତୋ କାଟେଙ୍ଗେ' ପରେ ଏହି ପୋଷ୍ଟର ରାଜନୀତି ତୀବ୍ର ହୋଇଛି। ଏହି ଅବଧି ମଧ୍ୟରେ ସମସ୍ତ ଏସପି ନେତା ଦଳ କାର୍ଯ୍ୟାଳୟ ନିକଟରେ ପୋଷ୍ଟର ଲଗାଇଥିଲେ । କିନ୍ତୁ ଏବେ ନେତାଜୀଙ୍କ ପୋଷ୍ଟରକୁ ବିଜେପି କାର୍ଯ୍ୟାଳୟ ବାହାରେ ରଖିବା ନେଇ ଚର୍ଚ୍ଚା ହେଉଛି । ସୂଚନାଥାଉ କି, ନେତାଜୀଙ୍କ ସାନ ବୋହୂ ଅପର୍ଣ୍ଣ ଯାଦବ ବିଜେପିରେ ଅଛନ୍ତି ଏବଂ ସରକାର ତାଙ୍କୁ ଉତ୍ତରପ୍ରଦେଶ ମହିଳା ଆୟୋଗର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।