ଭୁବନେଶ୍ୱର,୧୪/୦୭: ମୟୂରଭଞ୍ଜ ଜିଲ୍ଲାର ସନ୍ଧ୍ୟାରାଣୀ ମାଝୀ ସରକାରୀ ଗାଡ଼ି ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି । ସରକାରୀ ଗାଡ଼ିର ଡ୍ରାଇଭର ଭାବେ ପ୍ରଥମ ଥର ଜଣେ ମହିଳାଙ୍କୁ ନିଯୁକ୍ତି ମିଳିଛି । ପରିବହନ ବିଭାଗର ଏହି  ପଦକ୍ଷେପ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ନଗର ଉନ୍ନୟନ ଓ ପରିବହନ  ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଗାଡ଼ି ଚଳାଉଛନ୍ତି ସନ୍ଧ୍ୟାରାଣୀ । 

ରାଜ୍ୟ  ପରିବହନ କର୍ତ୍ତୃପକ୍ଷ ଅଧୀନସ୍ଥ ଏଚ୍‌ଏମ୍‌ଭି  ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ ନେଇଛନ୍ତି  ସେ । ଶ୍ରୀମତୀ ପାଢ଼ୀ କହନ୍ତି, ଏହି ଯାତ୍ରା ମାଧ୍ୟମରେ ସେ ଏକ ସତ୍ୟ ଜାଣିବାକୁ  ପାଇଛନ୍ତି ଯେ ପ୍ରତ୍ୟେକ ଡ୍ରାଇଭର ଯାତ୍ରୀଙ୍କ  ଅପେକ୍ଷା ଅଧିକ ଦାୟିତ୍ୱବାନ, ନମ୍ର ।  ଖାଲି ସନ୍ଧ୍ୟାରାଣୀ ନୁହନ୍ତି, ଗୃହ  ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ  ଅଧୀନରେ ଆମ ବସ୍‌ ଏବଂ ଓଏସଆରଟିସି  ଅନେକ ମହିଳାଙ୍କୁ କଣ୍ଡକ୍ଟର ଭାବେ ନିଯୁକ୍ତି  ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗ  ପ୍ରତିବର୍ଷ ୫୦୦ ମହିଳା ଡ୍ରାଇଭରଙ୍କୁ  ପ୍ରଶିକ୍ଷଣ ଦେଇ ଅର୍ଥନୈତିକ ସ୍ୱାଧୀନତା ପ୍ରଦାନ କରିଛନ୍ତି । 




ଓଡ଼ିଶାର ପ୍ରଥମ ମହିଳା ସରକାରୀ ଡ୍ରାଇଭର ସନ୍ଧ୍ୟାରାଣୀଙ୍କୁ  ଶୁଭକାମନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡ଼ା। ପରିବହନ ବିଭାଗର  ଏହି ପଦକ୍ଷେପ ମହିଳା ସଶକ୍ତୀକରଣ  କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି ସେ  କହିଛନ୍ତି । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଧାୟିକା ଉପାସନା ମହାପାତ୍ର ଟ୍ୱିଟ୍‌  କରି ଶୁଭେଚ୍ଛା ଜଣାଇଛନ୍ତି ।