ପୁରୀ, ୦୭/୦୫: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକର ଦୁଇଟି ପଞ୍ଚାୟତ ସାତପଡ଼ା ଓ ପିରିଜିପୁରରେ ପର୍ଯ୍ୟଟକଙ୍କୁ ହୋମ ଷ୍ଟେ’ ବ୍ୟବସ୍ଥା ମିଳିବ । ଓଡ଼ିଶା ହୋମ ଷ୍ଟେ ଏଷ୍ଟାବ୍ଲିସମେଣ୍ଟ ସ୍କିମ୍-୨୦୨୫ ଅନ୍ତର୍ଗତ ପ୍ରଥମ ଦଫାରେ ଦିଆଯାଇଥିବା ଲକ୍ଷ୍ୟ ପୂରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଆସିଛି । ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଚିଠି ଲେଖି ଏନେଇ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏହି ଲକ୍ଷ୍ୟକୁ ସଫଳ କରିବା ଓ ଆନୁସଙ୍ଗିକ ସହଯୋଗ ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ସାତପଡ଼ା ଓ ପିରିଜିପୁର ପଞ୍ଚାୟତରେ ୧୫ଟି ହୋମଷ୍ଟେ ପ୍ରକଳ୍ପ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ ସାତପଡ଼ାଠାରୁ ପିରିଜିପୁର ପ୍ରାୟ ୪ କିଲୋମିଟର ଦୂର ହେବ । ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ସହଯୋଗ ଦେଇ ପର୍ଯ୍ୟଟନ ବିଭାଗ ରାଜ୍ୟର ୧୯ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋମ ଷ୍ଟେ’ ପ୍ରକଳ୍ପ କରିବାକୁ ପ୍ରାଥମିକ ପଦକ୍ଷେପ ନେଇଛି । ଯାହା ଭିତରେ ପୁରୀ ମଧ୍ୟ ରହିଛି । ପୁରୀ ସମଗ୍ର ରାଜ୍ୟର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ରାଜ୍ୟର ସର୍ବାଧିକ ପର୍ଯ୍ୟଟକ ପରିଦର୍ଶନରେ ଆସୁଥିବା ସ୍ଥାନ ମଧ୍ୟ ପୁରୀ ଜିଲ୍ଲାର ପୁରୀ, କୋଣାର୍କ ପରେ ସାତପଡ଼ାର ଚିଲିକା ରହିଛି । ନିଳାମ୍ଭୁ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ୁଥିବାରୁ ଏହାକୁ ଆହୁରି ସୁଖଦ କରିବାକୁ ସରକାର ଉଦ୍ୟମ କରୁଛନ୍ତି । ଏଠାରେ ବୁଲାବୁଲି ସହ ରାତି କାଟିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ହୋମ ଷ୍ଟେ’ ବ୍ୟବସ୍ଥାର ପର୍ଯ୍ୟଟକ ସୁଖଦ ଅନୁଭୂତି ନେଇପାରିବେ । ଏଠାରେ ସ୍ଥାନୀୟ ଅଞ୍ଚଳର ଖାଦ୍ୟ, ପେୟର ଆନନ୍ଦ ନେବା, ନିକଟସ୍ଥ ଦର୍ଶନୀୟ ସ୍ଥାନକୁ ବୁଲିଯିବା, ସ୍ଥାନୀୟ ଅଞ୍ଚଳର ଲୋକକଳା ଅନୁଭୂତି ନେବା ପ୍ରଭୃତି ଏହି ଗୋଟିଏ ଛାତ ତଳେ ମିଳିବା ସୁବନ୍ଦୋବସ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଠାରେ ଅତ୍ୟାଧୁନିକ ସେବା ସହ ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେବା ପ୍ରଶାସନର ଲକ୍ଷ୍ୟ ରହିଥିବା ଜଣାପଡ଼ିଛି । ଏହା ସ୍ଥାନୀୟ ଅଞ୍ଚଳ ସମେତ ଦେଶର ଅର୍ଥନୀତିକୁ ବିକାଶ କରିବ ବୋଲି ସରକାର ଆଶା ରଖିଛନ୍ତି ।