ନୂଆଦିଲ୍ଲୀ, ୨୦।୭: ପାକିସ୍ତାନ ଅଧିକୃତ କାଶ୍ମୀରରେ ଚରମ ସୀମାରେ ପହଞ୍ଚିଛି ଜନଅସନ୍ତୋଷ । ଯାହା ପରେ ପାକିସ୍ତାନ ପୁଣି ଏକ ନୂଆ ଚାଲ୍ ଚଳାଇଛି । ଜୁଲାଇ ୧୯ ତାରିଖରେ ପାକିସ୍ତାନ ମିଳିତ ଜାତିସଂଘ ଏବଂ ଆନ୍ତର୍ଜାତୀୟ ସମୁଦାୟ ନିକଟରେ କାଶ୍ମୀର ପ୍ରସଙ୍ଗ ଉଠାଇ ଗୁହାରି କରିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ଅନୁଯାୟୀ, କାଶ୍ମୀର ବିବାଦର ସମାଧାନ ପାଇଁ ଇସଲାମାବାଦ ଆନ୍ତର୍ଜାତୀୟ ସମର୍ଥନ ଲୋଡ଼ିଛି । ଏହି ଅବସରରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଭାରତ ବିରୋଧରେ ପ୍ରୋପାଗାଣ୍ଡା ଚଲାଇ ବୃଥା ବୟାନବାଜି କରିଛନ୍ତି ।
ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଏକ ବାର୍ତ୍ତାରେ କହିଛନ୍ତି ଯେ, ପାକିସ୍ତାନ ସର୍ବଦା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ଏବଂ କାଶ୍ମୀର ଜନସାଧାରଣଙ୍କ ଆକାଂକ୍ଷା ଅନୁଯାୟୀ ଜମ୍ମୁ-କାଶ୍ମୀର ବିବାଦର ଏକ ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛି । ସେ ଆନ୍ତର୍ଜାତୀୟ ସମୁଦାୟ ଏବଂ UN କୁ ନିଜର ଦାୟିତ୍ୱ ତୁଲାଇବାକୁ ଆହ୍ୱାନ ଦେଇଛନ୍ତି । ଅପରପକ୍ଷରେ, ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏକ ଭିନ୍ନ ବିବୃତ୍ତି ଜାରି କରି କହିଛନ୍ତି ଯେ ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ କାଶ୍ମୀର ବିବାଦର ସମାଧାନ ଜରୁରୀ । ପାକିସ୍ତାନ କାଶ୍ମୀରବାସୀଙ୍କ ଆତ୍ମନିର୍ଣ୍ଣୟ ଅଧିକାର ପ୍ରତି ନିଜର ଆଭିମୁଖ୍ୟରେ ଅଟଳ ରହିଛି ବୋଲି ସେ ଦାବି କରିଛନ୍ତି ।
ଏହା ବି ପଢ଼ନ୍ତୁ... JD Vance : ଚତୁର୍ଥ ଥର ବାପା ହେଲେ ଆମେରିକା ଉପରାଷ୍ଟ୍ରପତି, ୧୫୬ ବର୍ଷ ପରେ ନିଆରା ରେକର୍ଡ
PoK ବିରୋଧ ପ୍ରଦର୍ଶନରେ ଭୟଭୀତ ପାକିସ୍ତାନ:
ରାଜନୈତିକ ବିଶ୍ଳେଷକଙ୍କ ଅନୁଯାୟୀ, କାଶ୍ମୀରକୁ ନେଇ ପାକିସ୍ତାନର ଏହି ଅସ୍ଥିରତା ପଛରେ ଏକ ବଡ଼ କାରଣ ରହିଛି । ବାସ୍ତବରେ, ପାକିସ୍ତାନ ଅଧିକୃତ କାଶ୍ମୀରରେ ଆସନ୍ତା ଜୁଲାଇ ୨୭ ରେ ନିର୍ବାଚନ ହେବାକୁ ଯାଉଛି, କିନ୍ତୁ ଏହା ପୂର୍ବରୁ ସେଠାରେ ପାକିସ୍ତାନ ସରକାର ଓ ସେନା ବିରୋଧରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଆନ୍ଦୋଳନକୁ ଦମନ କରିବା ପାଇଁ ପାକିସ୍ତାନୀ ସୁରକ୍ଷା ବଳ ପ୍ରୟୋଗ କରିବା ଯୋଗୁଁ ପ୍ରାୟ ୩୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକ ଆହତ ହୋଇଛନ୍ତି । PoKବାସୀଙ୍କ ସ୍ୱରକୁ ଚପାଇବା ପାଇଁ ଇସଲାମାବାଦ ସେଠାରେ ହଜାର ହଜାର ସୁରକ୍ଷା କର୍ମୀ ମୁତୟନ କରିଛି ।
ସୂଚନାନୁସାରେ, PoK ରେ ହେଉଥିବା ମାନବାଧିକାର ଉଲ୍ଲଂଘନ ଓ ନିଜର ବିଫଳତାକୁ ଲୁଚାଇବା ପାଇଁ ପାକିସ୍ତାନ ସରକାର ଏହି ନୂଆ ରଣନୀତି ଆପଣାଇଛନ୍ତି । ଜନସାଧାରଣଙ୍କ ସହାନୁଭୂତି ହାସଲ କରିବା ଏବଂ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ପାଇଁ କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟ ସ୍ତରକୁ ନିଆଯାଉଛି । ଏପରିକି ଗତ ସପ୍ତାହରେ ପାକିସ୍ତାନ ଏକ ପ୍ରତିନିଧି ଦଳ ବ୍ରିଟେନ ଏବଂ ୟୁରୋପୀୟ ସଂଘକୁ ପଠାଇବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି, ଯାହା ଦ୍ୱାରା ସେମାନେ କାଶ୍ମୀର ପ୍ରସଙ୍ଗରେ ସମର୍ଥନ ଜୁଟାଇ ପାରିବେ ।