ନୂଆଦିଲ୍ଲୀ, ୮।୭: ବିଶ୍ୱ ବଜାରରେ ନିଜର ଦବ୍ଦବା ବଜାୟ ରଖିବା ଏବଂ ବିପଦପୂର୍ଣ୍ଣ ସାମୁଦ୍ରିକ ପଥରୁ ରକ୍ଷା ପାଇବା ପାଇଁ ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି ସାଉଦି ଆରବ । ସାଉଦି ଆରବ ନିଜର ପଶ୍ଚିମ ରେଡ୍ ସି ଉପକୂଳ ପର୍ଯ୍ୟନ୍ତ କ୍ରୁଡ୍ ଅଏଲ୍ ପାଇପଲାଇନର କ୍ଷମତା ବୃଦ୍ଧି କରିବାକୁ ବିଚାର କରୁଛି । ଏହି ଯୋଜନା ମାଧ୍ୟମରେ ସାଉଦି ନିଜର 'ଇଷ୍ଟ-ୱେଷ୍ଟ କ୍ରୁଡ୍ ପାଇପଲାଇନ'ର କ୍ଷମତାକୁ ପ୍ରତିଦିନ ଆଉ ୨ ମିଲିୟନ ବ୍ୟାରେଲ ପର୍ଯ୍ୟନ୍ତ ବଢ଼ାଇବାକୁ ଚାହୁଁଛି । ଏହାଦ୍ୱାରା ସାଉଦି ଆରବ ଏବଂ ତାର ପଡ଼ୋଶୀ ଗଲ୍ଫ ଦେଶଗୁଡ଼ିକ ବିପଦପୂର୍ଣ୍ଣ ଚୋକ୍ପଏଣ୍ଟ ଅର୍ଥାତ୍ ସଂକୀର୍ଣ୍ଣ ସାମୁଦ୍ରିକ ପଥ ଦେଇ ନଯାଇ ସୁରକ୍ଷିତ ଭାବେ ବିଶ୍ୱ ବଜାରକୁ ତେଲ ରପ୍ତାନି କରିପାରିବେ । ବିଶେଷ କରି ସାମୁଦ୍ରିକ ଗତିପଥ 'ହୋର୍ମୁଜ୍ ଷ୍ଟ୍ରେଟ୍'ରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ସାଉଦିର ଏହି ପଦକ୍ଷେପ ଇରାନ ପାଇଁ ଏକ ବଡ଼ ଝଟ୍କା ବୋଲି କୁହାଯାଉଛି ।
ରଏଟର୍ସର ରିପୋର୍ଟ ଅନୁଯାୟୀ, ୧୯୮୦ ଦଶକରେ ନିର୍ମିତ ଏହି ଇଷ୍ଟ-ୱେଷ୍ଟ ପାଇପଲାଇନ ଦେଶର ପୂର୍ବ ତୈଳ କ୍ଷେତ୍ରରୁ ୟାନବୁର ରେଡ୍ ସି ଏକ୍ସପୋର୍ଟ ଟର୍ମିନାଲ ପର୍ଯ୍ୟନ୍ତ ପ୍ରତିଦିନ ୭ ମିଲିୟନ ବ୍ୟାରେଲ ତେଲ ପହଞ୍ଚାଇବାର କ୍ଷମତା ରଖିଛି । ହୋର୍ମୁଜ୍ ସଙ୍କଟ ପରଠାରୁ ଏହା ସାଉଦି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପାଲଟିଛି, ଯାହା ପାରସ୍ୟ ଉପସାଗରକୁ ବାଇପାସ୍ କରି ଲକ୍ଷ ଲକ୍ଷ ବ୍ୟାରେଲ ତେଲ ସୁରକ୍ଷିତ ଭାବେ ରପ୍ତାନି କରିବାରେ ସାହାଯ୍ୟ କରିଛି । ବର୍ତ୍ତମାନ ଏହି ପାଇପଲାଇନରୁ ଦୈନିକ ପ୍ରାୟ ୨ ମିଲିୟନ ବ୍ୟାରେଲ ତେଲ ପଶ୍ଚିମ ଉପକୂଳର ବିଶୋଧନାଗାରକୁ ଯାଉଥିବା ବେଳେ ପ୍ରାୟ ୫ ମିଲିୟନ ବ୍ୟାରେଲ ରପ୍ତାନି ପାଇଁ ବ୍ୟବହାର କରାଯାଉଛି । ସାଉଦି ଆରବ ଏହି ପାଇପଲାଇନର କ୍ଷମତା ବୃଦ୍ଧି ପାଇଁ ନିଜର ପଡ଼ୋଶୀ ଦେଶଗୁଡ଼ିକ ସହ ଆଲୋଚନା କରୁଛି । ତେବେ ସାଉଦିର ସରକାରୀ ତୈଳ କମ୍ପାନୀ 'ଆରାମକୋ' ବିଦ୍ୟମାନ ଭିତ୍ତିଭୂମିକୁ ଅପଗ୍ରେଡ୍ କରିବ ନା ଏକ ନୂତନ ପାଇପଲାଇନ ନିର୍ମାଣ କରିବ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।
ଏହା ବି ପଢ଼ନ୍ତୁ... US Airstrikes on Iran: ଇରାନ ଉପରେ ପୁଣି ଆମେରିକାର ଆକ୍ରମଣ, ବୋମାମାଡ଼ରେ ଥରିଉଠିଲା ଆବ୍ବାସ ସହ କେଶେମ ଦ୍ୱୀପ
କୁଏତ, ବାହାରିନ ଏବଂ କତାର ଭଳି ଦେଶଗୁଡ଼ିକ ପାଖରେ ହୋର୍ମୁଜ୍ ଷ୍ଟ୍ରେଟ୍କୁ ବାଇପାସ୍ କରିବା ପାଇଁ କୌଣସି ବିକଳ୍ପ ରାସ୍ତା ନାହିଁ । ଅନ୍ୟପଟେ ଇରାକର ତୁର୍କୀ ଯାଉଥିବା ପାଇପଲାଇନ ମଧ୍ୟ ବାରମ୍ବାର ବନ୍ଦ ରହୁଛି । କୁଏତ ପେଟ୍ରୋଲିୟମ କର୍ପୋରେସନର ସିଇଓ ଶେଖ ନୱାଫ ଅଲ୍-ସବା ଗତ ମାସରେ କହିଥିଲେ ଯେ, "ଆମେ ସାଉଦି ଏବଂ ୟୁଏଇ ସହ ସେମାନଙ୍କ ପାଇପଲାଇନ ସିଷ୍ଟମର ସମ୍ପ୍ରସାରଣ ପାଇଁ ଆଲୋଚନା କରୁଛୁ, ଯେପରି ସେଥିରେ କୁଏତର ତେଲ ମଧ୍ୟ ସାମିଲ ହୋଇପାରିବ ।" ସୂତ୍ର ଅନୁସାରେ, ଏହି ମେଗା ପ୍ରୋଜେକ୍ଟ ପାଇଁ ଅନେକ ବର୍ଷ ସମୟ ଲାଗିବ ଏବଂ ଏଥିରେ ଅରବ ଅରବ ଡଲାର ଖର୍ଚ୍ଚ ହେବ । ବର୍ତ୍ତମାନ ଏହି ଆଲୋଚନା ପ୍ରାଥମିକ ପର୍ଯ୍ୟାୟରେ ରହିଛି ଏବଂ ଆଗାମୀ ଦିନରେ ଏନେଇ ସାଉଦି ଓ ତାର ପଡ଼ୋଶୀ ଦେଶଗୁଡ଼ିକ ପକ୍ଷରୁ କୌଣସି ବଡ଼ ଘୋଷଣା କରାଯାଇପାରେ ।
ଆମେରିକା ଏବଂ ଇସ୍ରାଏଲର ଆକ୍ରମଣର ଜବାବରେ ଇରାନ ପକ୍ଷରୁ ଅନେକ ସମୟରେ ହୋର୍ମୁଜର ଟ୍ରାଫିକ ବନ୍ଦ କରିବାକୁ ଧମକ ଦିଆଯାଇଛି । ଏହି କାରଣରୁ ଉପସାଗରୀୟ ଦେଶଗୁଡ଼ିକୁ ପ୍ରାୟ ୧୨ ମିଲିୟନ ବ୍ୟାରେଲ ତେଲ ପର୍ଯ୍ୟନ୍ତ ଉତ୍ପାଦନ ରୋକିବାକୁ ପଡ଼ିଛି, ଯାହା ବିଶ୍ୱ ବଜାରରେ ତେଲ ଦର ବୃଦ୍ଧିର ମୁଖ୍ୟ କାରଣ ସାଜିଛି । ଯଦିଓ ଆମେରିକା-ଇରାନ ମଧ୍ୟରେ ଏହି ଗତିପଥକୁ ଖୋଲା ରଖିବା ପାଇଁ ପ୍ରାଥମିକ ବୁଝାମଣା ହୋଇଛି, ତଥାପି ଏହି ଅଞ୍ଚଳରେ ଉତ୍ତେଜନା ସମ୍ପୂର୍ଣ୍ଣ ଦୂର ହୋଇନାହିଁ ।