କୋଲକାତା,୧୨।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ପୁରା ଦେଶରେ ଖୁବ୍ ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ବି ରାଜ୍ୟରେ ଟିଏମ୍ସି ସରକାର ଆଣିବା ନେଇ ଲଗାଇ ଦେଇଛନ୍ତି ନିଜର ପୁରା ଦମ୍। ବାରାନଗର ବିଧାନସଭା ମଣ୍ଡଳୀରୁ ଟିଏମ୍ସି ପ୍ରାର୍ଥୀ ସାୟନ୍ତିକା ବାନାର୍ଜୀଙ୍କ ସମର୍ଥନରେ ନିର୍ବାଚନୀ ଅଭିଯାନ ଚଳାଇଛନ୍ତି। ଏହି ଭବ୍ୟ ରୋଡ୍ ଶୋ’ରେ ତୃଣମୂଳ କଂଗ୍ରେସର ବହୁ ସଂଖ୍ୟାକ ସମର୍ଥକ ସାମିଲ ହୋଇଥିଲେ। ସାୟନ୍ତିକା ଓ ମମତା ବହୁ କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏହି ପଦଯାତ୍ରା ବେଳେ ସାୟନ୍ତିକା ମମତାଙ୍କ ତାଳରେ ତାଳ ମିଳାଇ ଚାଲିଥିଲେ।

ସାୟନ୍ତିକା ପଶ୍ଚିମବଙ୍ଗର ପ୍ରାୟ ଘରେ ଘରେ ପରିଚିତ ଚେହେରା। ଯଦିଓ ତାଙ୍କୁ ବଡ଼ ସ୍କ୍ରିନ୍‌ରେ ବେଶି ଦେଖିବାକୁ ମିଳିନି, କିନ୍ତୁ ଟେଲିଭିଜନ ଦୁନିଆରେ ପ୍ରତିଟି ଘରେ ପରିଚିତ ।ସାୟନ୍ତିକା ଚଳିତ ବିଧାନସଭା ନିର୍ବାଚନରେ ପାଦ ଦେଇଛନ୍ତି। ମମତା ବାନାର୍ଜୀ ତାଙ୍କୁ ପଶ୍ଚିମବଙ୍ଗର ବାରାନଗରର କେନ୍ଦ୍ରରୁ ଟିଏମସି ପ୍ରାର୍ଥୀ କରିଛନ୍ତି। ସାୟନ୍ତିକାଙ୍କ ନିର୍ବାଚନ ପ୍ରଚାର ଷ୍ଟାଇଲ ବି ଖୁବ୍ ଚର୍ଚ୍ଚାରେ ରହିଛି। କୁହାଯାଉଛି ଯେ, ସେ ବିଜେପି ଷ୍ଟାଇଲରେ ପ୍ରଚାର କରୁଛନ୍ତି। ତାଙ୍କ ପ୍ରଚାର ବେଳେ ଜୟ ଶ୍ରୀରାମ୍ ନାରା ଶୁଣିବାକୁ ମିଳିଥାଏ। ସେ ମଥାରେ ଟିକା ଲଗାଇ ପ୍ରଚାର ପାଇଁ ବାହାରନ୍ତି ଓ ସେହି ଅଞ୍ଚଳରେ ଥିବା ମନ୍ଦିରକୁ ମଧ୍ୟ ଯାଇଥାନ୍ତି। ସାୟନ୍ତିକା ବାନାର୍ଜୀଙ୍କ ନାଁ ବଙ୍ଗଳାରେ ଖୁବ୍ ଚର୍ଚ୍ଚାରେ ରହିଛି। କୁହାଯାଉଛି ଯେ, ଆଜିକାଲି ସେ ମମତା ବାନାର୍ଜୀଙ୍କ ଖୁବ୍ ଘନିଷ୍ଠ ଲୋକଙ୍କ ଭିତରେ ରହିଛନ୍ତି। ମମତାଙ୍କ କେବେ ସବୁଠୁ ଖାସ୍ ଥିବା ମହୁଆ ମୋଇତ୍ର ଆଜିକାଲି ଦିଦିଙ୍କଠାରୁ ଦୂରତ୍ବ ଦେଖାଉଛନ୍ତି। ଏଭଳି ସ୍ଥିତିରେ ସାୟନ୍ତିକାଙ୍କ ଘନିଷ୍ଠତା ପଶ୍ଚିମବଙ୍ଗର ରାଜନୀତି ଦୁନିଆରେ ଖୁବ୍ ଚର୍ଚ୍ଚାରେ ରହିଛି।

ସାୟନ୍ତିକାଙ୍କ ବିଷୟରେ ଯଦି କଥା ହେବା ତେବେ ତାଙ୍କର ଜନ୍ମ ୧୨ ଅଗଷ୍ଟ ୧୯୮୬ ରେ କୋଲକାତାରେ ହୋଇଥିଲା। ସେ ସେଣ୍ଟ ଜାର୍ଭିୟର୍ସ କଲେଜ୍ କୋଲକାତାରୁ ପଲିଟିକାଲ ସାଇନ୍ସ (ଅନର୍ସ)ରେ ଗ୍ରାଜୁଏସନ୍ରେ ଡିଗ୍ରୀ ହାସଲ କରିଥିଲେ। ସେ ଏକ ବଙ୍ଗାଳୀ ହିନ୍ଦୁ ବ୍ରାହ୍ମଣ ପରିବାରରୁ ଆସିଛନ୍ତି। ନିର୍ବାଚନ କମିଶନଙ୍କ ନିକଟରେ ତାଙ୍କ ସତ୍ୟପାଠ ଅନୁସାରେ, ୨୦୨୦-୨୧ରେ ସାୟନ୍ତିକାଙ୍କ ଆୟ ୯,୮୮,୯୮୦ ଟଙ୍କା ଥିଲା। ତାଙ୍କର ଯଦି ନେଟଓ୍ବର୍ଥ ଦେଖିବା ତେବେ ସେ ନିଜ ସତ୍ୟପାଠରେ କହିଛନ୍ତି, ତାଙ୍କ ନାଁରେ କୌଣସି ଘର କିମ୍ବା ଜମି ନାହିଁ। ତାଙ୍କ ନାଁରେ ବାପା-ମାଙ୍କର ବି ସମ୍ପତ୍ତି ନାହିଁ। ଏହାଛଡା ତାଙ୍କ ଉପରେ ଏବେ ୧ ଲକ୍ଷ ଟଙ୍କାର ଋଣ ରହିଛି।

ସାୟନ୍ତିକାଙ୍କ ବାପା ହେଲେ ଗୁରୁପ୍ରସାଦ ବାନାର୍ଜୀ । ସେ ଜଣେ ଅନ୍ତର୍ଜାତୀୟ ସ୍ତରର ଫିଟନେସ୍ କୋଚ୍, ଏହାଛଡା କୋଲକାତାରେ ସେ ଏକ ଫେମସ୍ ହେଲଥ୍ କ୍ଲବର ମଧ୍ୟ ମାଲିକ। କୁହାଯାଉଛି ଯେ, ସାୟନ୍ତିକା ଜୟକୁମାର ମୁଖାର୍ଜୀଙ୍କୁ ୯ ବର୍ଷ ପର୍ଯ୍ୟନ୍ତ ଡେଟିଂ କରିବା ପରେ ୨୦୧୮ ରେ ଅଲଗା ହୋଇଯାଇଥିଲେ। ଜୟ ମୁଖାର୍ଜୀ ମଧ୍ୟ ହେଉଛନ୍ତି ଜଣେ ଅଭିନେତା। ସେ ବହୁ ବଙ୍ଗାଳି ମନୋରଞ୍ଜନ ଦୁନିଆରେ କାମ କରନ୍ତି।

ସାୟନ୍ତିକା ହିନ୍ଦୁ ଧର୍ମକୁ ମାନନ୍ତି। ସେ ଭଗବାନ ଜଗନ୍ନାଥଙ୍କ ଭକ୍ତ ବୋଲି ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ। ପ୍ରତିଦିନ ପୂଜା ଏବଂ ମନ୍ଦିର ଦର୍ଶନ କରିବାରେ ତାଙ୍କୁ ଶାନ୍ତି ମିଳେ ବୋଲି କହିଥିଲେ। ୨୦୨୧ ରେ ସାୟନ୍ତିକା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଏଆଇଟିସି)ରେ ସାମିଲ ହୋଇଥିଲେ। ତାଙ୍କୁ ୨୦୨୧ ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାଙ୍କୁରା ନିର୍ବାଚନ ମଣ୍ଡଳୀରୁ ଲଢିବାକୁ ଟିକେଟ ଦିଆଯାଇଥିଲା। ତେବେଳେ ସେ ନିର୍ବାଚନ ହାରି ଯାଇଥିଲେ, କିନ୍ତୁ ସେ ଟିଏମସିର ଜଣେ ସକ୍ରିୟ ସଦସ୍ୟ ରହିଥିଲେ। ମମତା ତାଙ୍କ ଉପରେ ବିଶ୍ବାସ ରଖି ଚଳିତ ଥର ଟିଏମସିରୁ ପ୍ରାର୍ଥୀ କରିଛ।

ଆହୁରି ପଢନ୍ତୁ : ପାକିସ୍ତାନ ପାଇଁ କାଳ ପାଲଟିବ ‘ଧୁବ୍ରାସ୍ତ୍ର’ ମିସାଇଲ: ଏପିଜେ ଅବଦୁଲ କଲାମ କରିଥିଲେ ପରିକଳ୍ପନା, ଏବେ ସେନାରେ ହେବ ସାମିଲ