​​​​​​​ରାଇଘର/ଉମରକୋଯ ୨୭।୯ :- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡିହି  ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା  ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି।  ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଛି।  ମୃତ ଛାତ୍ର ଜଣକ ହେଲେ ମଙ୍ଗଳ ସିଂ ଗଣ୍ଡ (୧୩)।

ଓଡଣ୍ଡି ଗ୍ରାମର ବାଲସାଇ ଗଣ୍ଡଙ୍କ ପୁଅ ମଙ୍ଗଳ ସିଂ ଗଣ୍ଡ ରାଇଘର ବ୍ଲକ ତୁରୁଡିହି (ଆଦିବାସୀ) ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ରହିପାଠ ପଢ଼ୁଥିଲେ।  ଶୁକ୍ରବାର ରାତିରେ ମଙ୍ଗଳ ସିଂଙ୍କ ଦେହ ଖରାପ ହୋଇଥିଲା।  ପ୍ରଧାନ ଶିକ୍ଷକ ହଷ୍ଟେଲରେ ରହୁ ନଥିବାରୁ ରୋଷେୟା ତାକୁ ଏକ କ୍ଵାକ ପାଖକୁ ନେଇ ଯାଇଥିଲେ l ପରେ ସେଠାରୁ ଅସୁସ୍ଥ ଅବସ୍ଥାରେ ମଙ୍ଗଳ ସିଂଙ୍କୁ ନିଜ ଘର ଓଡଣ୍ଡିକୁ ନେଇ ସେଠାରୁ ତାଙ୍କ ବାପାଙ୍କ ସହିତ ହାଟଭରଣ୍ଡି ମେଡିକାଲକୁ ନେଇ ଯାଇଥଲେ l ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଯୋଗୁଁ ତାକୁ ଉମରକୋଟ ସ୍ଥାନାନ୍ତର କରିବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା l ବିଦ୍ୟାଳୟର ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ନନି ଗୋପାଳ ବିଶ୍ୱାସଙ୍କ ପରିଚାଳନାରେ ତ୍ରୁଟି ଏବଂ ମୃତ ଛାତ୍ରର ଚିକିତ୍ସାରେ ଅବହେଳା ଅଭିଯୋଗ କରି ଶନିବାର ସକାଳୁ ଗ୍ରାମବାସୀ ବିଦ୍ୟାଳୟ ଘେରାଉ କରିଥିଲେ l ଏପରିକି ତଦନ୍ତ ପାଇଁ ଆସିଥିବା ବିଇଓ ବିକାଶ ଚନ୍ଦ୍ର ସରକାରଙ୍କୁ ଏକ ରୁମରେ ଗ୍ରାମବାସୀ ତାଲା ପକାଇ ଦେଇଲେ। ପରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ।  ଘଟଣା ସ୍ଥଳରେ ପୂର୍ବତନ ବିଧାୟକ ସୁବାସ ଗଣ୍ଡ ,ନବୀନା ନାୟକ ,ବ୍ଲକ ଅଧକ୍ଷ ଗୁପ୍ତ ପ୍ରସାଦ ଝାଙ୍କର ପ୍ରମୁଖ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଘଟଣା ସ୍ଥଳରେ ପୂର୍ବତନ ବିଧାୟକ ସୁବାସ ଗଣ୍ଡ ,ନବୀନା ନାୟକ ,ବ୍ଲକ ଅଧକ୍ଷ ଗୁପ୍ତ ପ୍ରସାଦ ଝାଙ୍କର ପ୍ରମୁଖ ଉପସ୍ଥିତ ରହିଛନ୍ତି।  ଅନ୍ୟପକ୍ଷରେ  ହାଟଭରଣ୍ଡି ମେଡିକାଲର ଏକ ଟିମ ହଷ୍ଟେଲରେ ପହଞ୍ଚି ସମସ୍ତ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।