ଭୁବନେଶ୍ବର, ୨୧।୨ : ଗୀଷ୍ମ ମୁକାବିଲା ପାଇଁ ସ୍କୁଲମାନଙ୍କରେ ପ୍ରସ୍ତୁତି ଏବଂ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି କରାଯାଇଛି। ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ବିଭାଗର ସମସ୍ତ ନିର୍ଦ୍ଦେଶକ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଅତିରିକ୍ତ ସଚିବ ଚିଠିରେ ଦର୍ଶାଇଛନ୍ତି ଯେ , ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକ ଗ୍ରୀଷ୍ମ ପ୍ରବାହ ସୁରକ୍ଷା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରିବେ । ସ୍କୁଲଗୁଡ଼ିକରେ ପାନୀୟ ଜଳର ବ୍ୟବସ୍ଥା, ଆବଶ୍ୟକସ୍ଥଳେ ନଳକୂପ ମରାମତି କରିବା ଏବଂ ଛାତ୍ର ଓ କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ ORS ପ୍ୟାକେଟ ମହଜୁଦ ରଖିବାକୁ ନିର୍ଦେଶ ଦେଇଛନ୍ତି।

ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ବାହ୍ୟ କାର୍ଯ୍ୟକଳାପକୁ ସୀମିତ କରିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାମାନେ ସ୍କୁଲକୁ ପାଣି ବୋତଲ ନେଇ ଆସିବା ପାଇଁ ଅଭିଭାବକମାନଙ୍କୁ ସଚେତନ କରାଯିବ। ଏହା ସହିତ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଗ୍ରୀଷ୍ମ ପ୍ରବାହ ସୁରକ୍ଷା ଟିପ୍ସ ବିଷୟରେ ଶିକ୍ଷା ଦେଇପାରିବେ।