ନୂଆଦିଲ୍ଲୀ: ଚଳିତ ମାସ ଆରମ୍ଭରେ ନିଖୋଜ ହୋଇଥିବା ଜଣେ ୨୨ ବର୍ଷୀୟ ଭାରତୀୟ ଛାତ୍ରୀଙ୍କ ମୃତଦେହ ସ୍କଟଲ୍ୟାଣ୍ଡର ନ୍ୟୁବ୍ରିଜ ନିକଟ ଏକ ନଦୀରେ ମିଳିଛି। ଏହି ଭାରତୀୟ ଛାତ୍ରୀ ଜଣକଙ୍କ ନାମ ସାନ୍ତ୍ରା ସାଜୁ ହୋଇଥିବା ବେଳେ ସେ କେରଳର ବାସିନ୍ଦା ଥିଲେ। ସେ ଏଡିନବର୍ଗର ହେରିଅଟ୍-ୱଟ ବିଶ୍ୱବିଦ୍ୟାଳୟର ପାଠ ପଢୁଥିଲେ। ତାଙ୍କୁ ଶେଷ ଥର ପାଇଁ ଡିସେମ୍ବର ୬ ତାରିଖ ସନ୍ଧ୍ୟାରେ ଲିଭିଙ୍ଗଷ୍ଟୋନ୍ ଅନ୍ତର୍ଗତ ଆସଦା ସୁପରମାର୍କେଟର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା।
ସ୍କଟଲ୍ୟାଣ୍ଡ ପୋଲିସ ସାଜୁଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଥିବା ବେଳେ ତାଙ୍କ ପରିବାର ଲୋକଙ୍କୁ ଖବର ପ୍ରଦାନ କରିଛି। ଶୁକ୍ରବାର(ଡିସେମ୍ବର ୨୭) ସକାଳ ୧୧ଟା ୫୫ମିନିଟ ସମୟରେ ପୋଲିସ ତାଙ୍କ ମୃତଦେହକୁ ନ୍ୟୁବ୍ରିଜ ନିକଟ ଏକ ନଦୀରୁ ଉଦ୍ଧାର କରିଥିବା ନେଇ ସୁଚନା ପ୍ରଦାନ କରିଛି।
ସାଜୁ ନିଖୋଜ ହୋଇଯିବା ପରେ ପୋଲିସ ସଙ୍ଗେସଙ୍ଗେ ତାଙ୍କ ପାଇଁ ଏକ ଜରୁରି କାଳିନ ଅପିଲ ଜାରି କରିଥିଲା। ଯେଉଁଥିରେ ତାଙ୍କ ଉଚ୍ଚତା ୫ ଫୁଟ ୬ ଇଞ୍ଚ, ଭାରତୀୟ ନାଗରିକ, ପତଳା ଶରୀର ସହିତ ଛୋଟ କଳା ଚୁଟି ରହିଥିବା ନେଇ ଲେଖା ରହିଥିଲା। ତେବେ ତାଙ୍କ ମୃତ୍ୟୁରେ କୈଣସି ସନ୍ଦେହଜନକ କାରଣ ନାହିଁ ବୋଲି ସ୍କଟିସ ପୋଲିସ ନିଜ ରିପୋର୍ଟରେ ଉଲ୍ଲେଖ କରିଛି।
ସାଜୁଙ୍କୁ ଶେଷଥର ପାଇଁ ଏକ ଫୁଲ କଳା ଜ୍ୟାକେଟ ସହ ହୁଡ୍, ଇୟର ମଫ୍ସ ଓ ଏକ କଳା ଫେସମାସ୍କ ସହ ଏକ ବ୍ୟାଗପ୍ୟାକ ନେଇ କେଉଁଆଡେ ଯାଉଥିବାର ଦେଖାଯାଇଥିଲା। କରଷ୍ଟର୍ଫାଇନ୍ ପୋଲିସ୍ ଷ୍ଟେସନର ଇନ୍ସପେକ୍ଟର ଆଲିସନ୍ ଲୋରି ଏହି ଘଟଣା ସମ୍ପର୍କରେ କେହି କିଛି ଜାଣିଥିଲେ ସୂଚନା ସହିତ ଆଗକୁ ଆସିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ଲୋରି କହିଛନ୍ତି ଯେ “ଆମେ ଜାଣିବାକୁ ପାଇଛୁ ଯେ ସାନ୍ତ୍ରା ଶୁକ୍ରବାର ସନ୍ଧ୍ୟାରେ ବର୍ନଭାଲେର ନିଜ ଠିକଣାରୁ କଳା-ଧଳା ରଙ୍ଗର ଏକ ବ୍ୟାଗ୍ ନେଇ ଆସିଥିଲେ। କିନ୍ତୁ ସୁପରମାର୍କେଟରେ ପ୍ରବେଶ କରିବା ସମୟରେ ସେ ବ୍ୟାଗ ତାଙ୍କ ପାଖରେ ନଥିଲା।
ଯଦି ବ୍ୟାଗଟିକୁ କିଏ ବି କେଉଁଠି ବି ଦେଖିଥିବେ ତେବେ ଆବଣ ଦୟାକରି ଆମକୁ ଜଣାନ୍ତୁ| ଆମେ ସିସିଟିଭି ଫୁଟେଜ୍ ର ଯାଞ୍ଚ ଜାରି ରଖିବା ସହ ସାନ୍ତ୍ରାଙ୍କ ସୁପର ମାର୍କେଟରେ ଉଠିଥିବା ଶେଷ ଫଟୋ ମଧ୍ୟ ପ୍ରକାଶ କରୁଛୁ। ଯଦି କାହାର କିଛି ମନେପଡେ ତେବେ ସାଙ୍ଗେସାଙ୍ଗେ ନିକଟସ୍ତ ଥାନାରେ ଯୋଗାଯୋଗ କରିବାକୁ ଅନୁରୋଧ। ଏହାସହ ତାଙ୍କୁ ଖୋଜିବା ପାଇଁ ବ୍ୟାପକ ଅନୁସନ୍ଧାନ କରାଯାଉଛି ବୋଲି ସେ କହିଛନ୍ତି।