ବରଗଡ଼,୨୭/୧୦: କିଛିଦିନର ବ୍ୟବଧାନ ପରେ ବରଗଡ଼ ଜିଲ୍ଲାରେ ପୁଣି ଜୀବନ ନେଇଛି ସ୍କ୍ରବ୍ ଟାଇଫସ୍ । ଏହି ମାରାତ୍ମକ କୀଟ କାମୁଡ଼ାରେ ଜଣାଶୁଣା ଚାଷୀନେତା ତଥା ପାଇକମାଲ ବ୍ଲକ ବୁକ୍ରାମୁଣ୍ଡା ପଞ୍ଚାୟତ ମହୁଲପାଲି ଗ୍ରାମର ନାରାୟଣ ଦେବତାଙ୍କ ମୃତ୍ୟୁ ଘଟିଛି ।
ଅଭିଯୋଗ ଅନୁଯାୟୀ, ନାରାୟଣ କିଛିଦିନ ହେଲା ଜ୍ୱରରେ ପୀଡ଼ିତ ଥିଲେ । ବୁକ୍ରାମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷାରୁ ରୋଗ ଜଣାପଡ଼ି ନ ଥିଲା । ପରେ ସେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଏବଂ ସେଠାରୁ ରେଫର ହୋଇ ବରଗଡ଼ ଖେଦାପାଲି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସିଥିଲେ । ରକ୍ତନମୁନା ପରୀକ୍ଷଣରୁ ସେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣର ଶିକାର ହୋଇଥିବା ଜଣାପଡ଼ିଥିଲା । ଜିଲ୍ଲା ହସ୍ପିଟାଲ୍ରେ ବିଶେଷ ଚିକିତ୍ସା ସୁବିଧା ନ ଥିବାରୁ ଦୁଇ ଦିନ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ହୋଇଥିଲା । ନାରାୟଣ ରାଜବୋଡାସମ୍ବର କୃଷକ ସଙ୍ଗଠନ ବୁକ୍ରାମୁଣ୍ଡା ପଞ୍ଚାୟତର କୋଷାଧ୍ୟକ୍ଷ ଥିଲେ । ଅଞ୍ଚଳର ସାମାଜିକ କାର୍ଯ୍ୟରେ ସେ ସାମିଲ ହେଉଥିଲେ । ତାଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।