ମୁମ୍ବାଇ,୧୨/୦୬: ବଜାର ନିୟାମକ ସେବି ନିବେଶକଙ୍କ ନିମନ୍ତେ ପେମେଣ୍ଟ୍‌ର ଏକ ନୂଆ ଏବଂ ସୁରକ୍ଷିତ ଉପାୟ ଆଣିବାକୁ ଯାଉଛି । ଏଥିରେ ସେବିରେ ପଞ୍ଜୀକୃତ  ବ୍ରୋକରଙ୍କୁ ନିବେଶକଙ୍କଠାରୁ ପେମେଣ୍ଟ ନେବା ପାଇଁ ଏକ ସ୍ୱତନ୍ତ୍ର ୟୁପିଆଇ  ଆଇଡି ଜାରି କରାଯିବ । ନୂଆ ସିଷ୍ଟମ୍‌ ସାହାଯ୍ୟରେ ନିବେଶକ ଭରସାଯୋଗ୍ୟ  ସଂସ୍ଥାନକୁ ଚିହ୍ନଟ କରିପାରିବେ । ନୂଆ ୟୁପିଆଇ ପେମେଣ୍ଟ ସିଷ୍ଟମ୍‌ ୨୦୨୫  ଅକ୍ଟୋବର ପହିଲାରୁ ଲାଗୁ ହେବ ।

ସେବି ପଞ୍ଜୀକୃତ ସଂସ୍ଥାନଗୁଡ଼ିକୁ ଏକ  ସ୍ୱତନ୍ତ୍ର ୟୁପିଆଇ ଆଇଡି ମିଳିବ । ଫଳରେ  ନିବେଶକ ଜାଣିପାରିବେ ଯେ, ସେମାନେ ପ୍ରକୃତ ତଥା ପଞ୍ଜୀକୃତ କମ୍ପାନିକୁ ଟଙ୍କା ପଠାଉଛନ୍ତି । ଫଳରେ ଠକାମୀ କମିବ । ଏବେ ୟୁପିଆଇ ମାଧ୍ୟମରେ ସେୟାର ବଜାରରେ ଦିନକରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ହୋଇପାରୁଛି । ବର୍ତ୍ତମାନ ସେବି ଏହାକୁ  ବଢ଼ାଇ ୫ ଲକ୍ଷ ଟଙ୍କା କରିବାକୁ ଚାହୁଁଛି ।  

ନୂଆ ନିୟମ ଅନ୍ତର୍ଗତ ଯେତେବେଳେ  ଜଣେ ଏକ ପଞ୍ଜୀକୃତ କମ୍ପାନିକୁ ୟୁପିଆଇ ମାଧ୍ୟମରେ ଟଙ୍କା ପଠାଇବେ, ସେତେବେଳେ  ଏକ ସବୁଜ ରଙ୍ଗର ‘ଥମ୍ପ୍‌ସ ଅପ୍‌’ ଚିହ୍ନ  ଦେଖିବାକୁ ମିଳିବ । ଯଦି ଏହି ଚିହ୍ନ ନ ଥାଏ  ତା’ହେଲେ କମ୍ପାନି ଠିକ୍‌ ନୁହେଁ । ସେବିର  ଏହି ଯୋଜନାର ନାଁ ରହିଛି ‘ପେ-ରାଇଟ୍‌’ । ଏହାର ଉଦ୍ଦେଶ୍ୟ ହେଉଛି ନିବେଶକଙ୍କ  ଭରସା ବଢ଼ାଇବା, ଯାହାଦ୍ୱାରା ସେମାନେ  ବିନା ଭୟରେ ଟଙ୍କା ପଠାଇପାରିବେ।