ମୁମ୍ବାଇ ୨୯/୧୨: ମୁମ୍ବାଇର ଏକ ଅଦାଲତରେ ଏକ ଘରୋଇ ହିଂସା ମାମଲାର ଶୁଣାଣି ବେଳେ ଏକ ରୋଚକ ଘଟଣା ଘଟିଛି । ଜଣେ ମହିଳାଙ୍କ ଦ୍ୱିତୀୟ ତଥା ବର୍ତ୍ତମାନର ସ୍ୱାମୀ ତାଙ୍କ ପ୍ରଥମ ତଥା ପୂର୍ବତନ ସ୍ୱାମୀଙ୍କ ସପକ୍ଷରେ ସାକ୍ଷ୍ୟ ଦେଇଛନ୍ତି । ଫଳରେ ମହିଳା ଜଣକ ମାମଲା ହାରି ଯାଇଛନ୍ତି ।

ମହିଳା ଜଣକ ତାଙ୍କ ପୂର୍ବତନ ସ୍ୱାମୀଙ୍କ ବିରୋଧରେ ପ୍ରତାରଣା, ଘରୁ ବାହାର କରିଦେବା, ମାରପିଟ୍ କରିବା, ଆର୍ଥିକ ଶୋଷଣ ଏବଂ ନିର୍ଯାତନା ଆଦି ଅଭିଯୋଗ ଆଣିଥିଲେ । ବଦଳରେ ମହିଳା ତାଙ୍କ ପୂର୍ବତନ ସ୍ୱାମୀଙ୍କଠାରୁ ଭରଣପୋଷଣ ମାଗିଥିଲେ । କିନ୍ତୁ କୋର୍ଟ ତାଙ୍କ ସଦ୍ୟ ଫଇସଲାରେ କହିଛନ୍ତି ଯେ, ଦ୍ୱିତୀୟ ଥର ବିବାହ କରିଥିବା ମହିଳା ନିଜ ପୂର୍ବତନ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବା ପାଇଁ ଯୋଗ୍ୟ ନୁହନ୍ତି ।୨୦୦୫ରେ ସେହି ମହିଳାଙ୍କର ଅଭିଯୁକ୍ତଙ୍କ ସହ ବିବାହ ହୋଇଥିଲା । ବାହାଘରର କିଛି ଦିନ ପରେ ମହିଳା ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ ପୂର୍ବରୁ ବିବାହିତ । ପରେ ତାଙ୍କ ପ୍ରଥମ ସ୍ତ୍ରୀ ମଧ୍ୟ ତାଙ୍କ ସହ ରହିବାକୁ ଆସିଲେ । ସେମାନେ ମହିଳାଙ୍କୁ ଶାରୀରିକ, ମାନସିକ ଏବଂ ଆର୍ଥିକ ଭାବେ ନିର୍ଯାତନା ଦେଇଥିଲେ । ଆଉ ସହି ନ ପାରି ମହିଳା ଜଣକ ୨୦୦୯ରେ ଘରୋଇ ହିଂସା ଅଭିଯୋଗରେ ମାମଲା କରିଥିଲେ ।

ଅନ୍ତରୀଣ ରାୟ ଭାବେ କୋର୍ଟ ତାଙ୍କ ପୂର୍ବତନ ସ୍ୱାମୀଙ୍କୁ ମାସକୁ ୩,୨୦୦ ଟଙ୍କା ଭରଣପୋଷଣ ଦେବାକୁ ଆଦେଶ ଦେଇଥିଲେ । ତେବେ ପରବର୍ତ୍ତୀ ଶୁଣାଣିରେ ପ୍ରଥମ ସ୍ୱାମୀ ମହିଳାଙ୍କ ଦ୍ୱିତୀୟ ବିବାହ କଥା ଉଠାଇଥିଲେ । ସମ୍ପୂର୍ଣ୍ଣ ତଥ୍ୟ ଦେବା ପରେ ଅଦାଲତ ମହିଳାଙ୍କ ଦ୍ୱିତୀୟ ସ୍ୱାମୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଦ୍ୱିତୀୟ ସ୍ୱାମୀ ମହିଳାଙ୍କୁ ବିବାହ କରିବା କଥା କୋର୍ଟରେ ସ୍ୱୀକାର କରିଥିଲେ । ଆଡିସନାଲ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ ବି. ଏନ୍ ଚିକନେ କହିଥିଲେ, ମହିଳା ଜଣକ ପ୍ରଥମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପରେ ଦ୍ୱିତୀୟ ବିବାହ କରିଛନ୍ତି । ତେଣୁ ସେ ଆଉ ପ୍ରଥମ ସ୍ୱାମୀଙ୍କ ଉପରେ ନିର୍ଭର କରିବା ଲାଗି ଅଧିକାର ରଖନ୍ତି ନାହିଁ । ମହିଳାଙ୍କ କଥା ଏଣିକି ତାଙ୍କ ଦ୍ୱିତୀୟ ସ୍ୱାମୀ ବୁଝି ପାରିବେ । ତେଣୁ ପ୍ରଥମ ସ୍ୱାମୀ ଭରଣପୋଷଣ ଦେବା ଆବଶ୍ୟକ ନାହିଁ ବୋଲି କୋର୍ଟ କହିଥିଲେ ।