ଢେଙ୍କାନାଳ,୦୬/୧୨: ପ୍ରଥମ ପତ୍ନୀ ଥାଉ ଥାଉ ପୁଣି ଆଉ ଜଣଙ୍କୁ ପ୍ରେମ ବିବାହ କରିଥିଲେ । ସରକାରୀ କ୍ୱାର୍ଟର୍ସରେ ଦ୍ୱିତୀୟ ପତ୍ନୀଙ୍କୁ ରଖିଥିଲେ । ପ୍ରଥମ ପତ୍ନୀଙ୍କ ଅଭିଯୋଗ ପରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପକାରାଗାର ୱାର୍ଡର ବିଜୟ କୁମାର ରାଉତଙ୍କୁ ଶୁକ୍ରବାର ପୁଲିସ୍ ଗିରଫ କରିଛି ।
ବିଜୟଙ୍କ ଘର କଟକ ଜିଲ୍ଲା ଆଠଗଡ଼ ଥାନା ସାମ୍ ସେରପୁର ଗ୍ରାମରେ । ବିଜୟ ପୂର୍ବରୁ ବିବାହ କରିଥିଲେ ମଧ୍ୟ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ପରେ ତାଙ୍କୁ ଲୁଚିଛପି ବିବାହ କରିଥିଲେ । ଏପରିକି ଦ୍ୱିତୀୟ ପତ୍ନୀଙ୍କୁ ସରକାରୀ କ୍ୱାର୍ଟର୍ସରେ ରଖିଥିଲେ । ତେବେ ପ୍ରଥମ ପତ୍ନୀ ନ୍ୟାୟ ପାଇଁ ଏ ସମ୍ପର୍କରେ ଖୋର୍ଦ୍ଧା ଫ୍ୟାମିଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ବିଜୟ ୨୦୨୪ ଜୁନ୍ରୁ ଫେରାର ଥିଲେ । କୋର୍ଟ ଜାମିନ ବିହୀନ ପରୱାନା ଜାରି କରିଥିବାରୁ ପୁଲିସ୍ ତାଙ୍କୁ ଖୋଜୁଥିଲା । ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ଆଠଗଡ଼ ଅଞ୍ଚଳରୁ ବିଜୟଙ୍କୁ କାବୁ କରିଛି ପୁଲିସ୍ । ପରେ ଖୋର୍ଦ୍ଧା ଫ୍ୟାମିଲି କୋର୍ଟ ଚାଲାଣ ପରେ ଜାମିନ ଖାରଜ ହେବାରୁ ବିଜୟଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି ।