ମେଲବର୍ଣ୍ଣ: ଭାରତ ବନାମ ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦ ମ୍ୟାଚ୍ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ଅଷ୍ଟ୍ରେଲିଆ ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଛି ସୂର୍ଯ୍ୟ ସେନା । ଅଭିଷେକ ଶର୍ମାଙ୍କୁ ବାଦ ଦେଲେ ଆଉ କୌଣସି ବ୍ୟାଟର ଭଲ ସ୍କୋର କରିପାରି ନାହାନ୍ତି । ଆଜି ମେଲବର୍ଣ୍ଣରେ ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଜୋଶ୍ ହାଜେଲଉଡ୍ ପାୱାରପ୍ଲେରେ ବିପର୍ଯ୍ୟୟ ଘଟାଇ ଶୁଭମନ ଗିଲ୍ (୫), ସୂର୍ଯ୍ୟକୁମାର ଯାଦବ (୧) ଏବଂ ତିଲକ ବର୍ମା (୦)ଙ୍କୁ ଆଉଟ୍ କରିଥିଲେ।
ନାଥନ୍ ଏଲିସ୍ ପାୱାରପ୍ଲେରେ ସଞ୍ଜୁ ସାମସନ୍ (୨)ଙ୍କୁ ଆଉଟ୍ କରି ଗୋଟିଏ ୱିକେଟ୍ ନେଇଥିଲେ। ଭାରତ ୪୯ ରନରେ ୫ ୱିକେଟ୍ ହରାଇଥିଲା। ତା’ପରେ ହର୍ଷିତ ରାଣା ଅଭିଷେକ ଶର୍ମାଙ୍କ ସହିତ ଯୋଗ ଦେଇଥିଲେ ଏବଂ ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୫୬ ରନ୍ ଯୋଡ଼ି ଭାରତକୁ ୧୦୦ ରନ୍ ଅତିକ୍ରମ କରାଇଥିଲେ।
ଅଭିଷେକ ଶର୍ମା ୩୭ ବଲ୍ରେ ୨ ଛକା ଏବଂ ୮ ଚୌକା ସହାୟତାରେ ୬୮ ରନ୍ କରିଥିଲେ । ହର୍ଷିତ ରାଣା ୩୩ ବଲ୍ରେ ୩୫ ରନ୍ କରିଥିଲେ। ଏହି ଇନିଂସରେ ହର୍ଷିତ ୧ ଛକା ଏବଂ ୩ ଚୌକା ମାରିଥିଲେ। ଏହି ଦୁଇ ବ୍ୟାଟର ବ୍ୟତୀତ ଅନ୍ୟ ୮ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଭାରତର ଇନିଂସ ୧୨୫ ରନ୍ରେ ଶେଷ ହୋଇଥିଲା।
ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହାଜେଲଉଡ୍ ସର୍ବାଧିକ ତିନୋଟି ୱିକେଟ ନେଇଥିଲେ। ଜାଭିୟର ବାର୍ଟଲେଟ୍ ଏବଂ ନାଥନ୍ ଏଲିସ୍ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ମାର୍କସ୍ ଷ୍ଟୋଇନିସ୍ ଗୋଟିଏ ୱିକେଟ ନେଇଥିଲେ।