ଗୌହାଟୀ,୨୬/୧୧: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ଦକ୍ଷିଣ ଆଫ୍ରିକା କ୍ରମାଗତ ୪ ଦିନ ଧରି ଆଧିପତ୍ୟ ଜାରି ରଖି ବିଜୟ ଦ୍ୱାରରେ ଉପନୀତ ହୋଇଥିବା ବେଳେ ଭାରତ ଘରୋଇ ଗ୍ରାଉଣ୍ଡ ଦ୍ୱିତୀୟ ସିରିଜ ପରାଜୟ ଅପେକ୍ଷାରେ ରହିଛି । ଅନ୍ତିମ ଦିବସରେ ଭାରତ ବିଜୟ ପାଇଁ ୪୫୪ ରନ୍ ଆବଶ୍ୟକ କରୁଥିବାବେଳେ ଦକ୍ଷିଣ ଆଫ୍ରିକା ସିରିଜ ମୂଳପୋଛ ଠାରୁ ଆଉ ୪ ୱିକେଟ୍ ଦୂରରେ ରହିଛି । ଦକ୍ଷିଣ ଆଫ୍ରିକା ଦୀର୍ଘ ୨୫ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ସିରିଜ ବିଜୟ ନିଶ୍ଚିତ କରିସାରିଛି । ଭାରତ ଏହି ମ୍ୟାଚ୍ ଡ୍ର’ ରଖିଲେ ମଧ୍ୟ ସିରିଜ ଜିତି ପାରିବ ନାହିଁ । ଚତୁର୍ଥ ଦିବସରେ ଦକ୍ଷିଣ ଆଫ୍ରିକା ୫/୨୬୦ ରନ୍ରେ ଦ୍ୱିତୀୟ ଇନିଂସ ଘୋଷଣା କରିବା ସହ ମୋଟ୍ ୫୪୮ ରନ୍ରେ ଅଗ୍ରଣୀ ହାସଲ କରିଥିଲା ।

ଜବାବରେ ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ୨୧ ରନ୍ରେ ଉଭୟ ଓପନରଙ୍କୁ ହରାଇବା ସହ ୨/୨୭ ରନ ସଂଗ୍ରହ କରିଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ସାଇ ସୁଦର୍ଶନ ୨ ଓ କୁଲଦୀପ ଯାଦବ ୪ ରନ କରି ଅପରାଜିତ ରହିଛନ୍ତି । ଏହି ମ୍ୟାଚ୍ରେ କେବଳ କୌଣସି ଅଲୌକିକ ଶକ୍ତି ଭାରତକୁ ବଞ୍ଚାଇ ପାରିବ । ଟେଷ୍ଟ କ୍ରିକେଟ୍ ଇତିହାସରେ ଆଜି ପର୍ଯ୍ୟନ୍ତ ଥରେ ମାତ୍ର ପଞ୍ଚମ ଦିନରେ ୪୦୦ରୁ ଊଦ୍ଧ୍ୱର୍ ରନ ସଂଗୃହୀତ ହୋଇଛି । ୧୯୪୮ରେ ଡନ ବ୍ରାଡମ୍ୟାନଙ୍କ ଅଷ୍ଟ୍ରେଲିଆ ହେଡିଂଲେ ଠାରେ ଅନ୍ତିମ ଦିବସରେ ୪/୪୦୪ ରନ ସଂଗ୍ରହ କରିଥିଲା । ଭାରତୀୟ ବ୍ୟାଟରମାନେ ସ୍ପିନରଙ୍କୁ ଖେଳିବାରେ ଅସମର୍ଥ ଥିବା ଚତୁର୍ଥ ଦିବସ ଖେଳରୁ ସ୍ପଷ୍ଟ ପ୍ରମାଣିତ ହୋଇଥିଲା । ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ମୋଟ୍ ୭୮.୩ ଓଭର ବ୍ୟାଟିଂ କରିଥିଲା । ଏଥିରୁ ଭାରତୀୟ ସ୍ପିନରମାନେ ୬୩.୩ ଓଭର ବୋଲିଂ କରିଥିଲେ । ଦକ୍ଷିଣ ଆଫ୍ରିକା ବ୍ୟାଟରମାନେ ସହଜରେ ରନ୍ ସଂଗ୍ରହ କରିଥିଲେ । ହେଲେ ଭାରତ ଦ୍ୱିତୀୟ ଇନିଂସରେ ମାତ୍ର ୧୫.୫ ଓଭର ବ୍ୟାଟିଂ କରି ୨ଟି ମୂଲ୍ୟବାନ ୱିକେଟ୍ ହରାଇଥିଲା । ୨୮୮ ରନ୍ରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିବା ଦକ୍ଷିଣ ଆଫ୍ରିକା ଆଜି ଅସମାପ୍ତ ଦ୍ୱିତୀୟ ଇନିଂସ ୦/୨୬ରୁ ବ୍ୟାଟିଂ ଆରମ୍ଭ କରିଥିଲା ।

ଦୁଇ ଅପରାଜିତ ଓପନର ର୍ୟାନ ରିକେଲଟନ ଓ ଆଡେନ ମାରକ୍ରମ ୫୯ ରନ୍ ସଂଗ୍ରହ କରିଥିଲେ । ରିକେଲଟନ ୩୫ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ପରେ ପରେ ମାରକ୍ରମ ୨୯ ରନ କରି ବିଦାୟ ନେଇଥିଲେ । ଉଭୟଙ୍କୁ ଆଉଟ୍ କରିଥିଲେ ରବିନ୍ଦ୍ର ଜାଡେଜା । ତେମ୍ବା ବଭୁମା ୩ ରନ କରି ୱାସିଂଟନ ସୁନ୍ଦରଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ୭୭ ରନ୍ରେ ଦଳ ୩ଟି ୱିକେଟ୍ ହରାଇବା ପରେ ଦର୍ଶକ କେବଳ ଦକ୍ଷିଣ ଆଫ୍ରିକାର ପାଳି ଘୋଷଣାକୁ ଅପେକ୍ଷା କରିଥିଲେ । ଟ୍ରିଷ୍ଟନ ଷ୍ଟବ୍ସ ଓ ଟୋନି ଡି ଜର୍ଜି ଲଢୁଆ ବ୍ୟାଟିଂ କରି ୧୦୧ ରନ୍ର ଭାଗିଦାରୀ ଗଠନ କରିଥିଲେ । ଉଭୟ ଭାରତୀୟ ସ୍ପିନରଙ୍କୁ ଦର୍ଶନୀୟ ସୁଇପ୍ ସଟ୍ମାନ ଖେଳିଥିଲେ । କେବଳ ସୁଇପ୍ ଓ ରିଭର୍ସ ସୁଇପରେ ଉଭୟ ୪୧ ରନ ସଂଗ୍ରହ କରିଥିଲେ । ଦଳୀୟ ସ୍କୋର ୧୭୮ ବେଳେ ଯୋଡ଼ି ଭାଙ୍ଗିଥିଲେ ଜାଡେଜା । ଡି ଜର୍ଜି ୪୯ ରନ କରି ଆଉଟ୍ ହୋଇଥିଲେ । ଏହାପରେ ମଧ୍ୟ ଭାରତୀୟ ସ୍ପିନର ୱିକେଟ୍ ହାତେଇବାରେ ବିଫଳ ହୋଇଥିଲେ । ଷ୍ଟବ୍ସଙ୍କ ସହ ୱିଆନ ମୁଲ୍ଡର ମିଶି ଆଉ ୮୨ ରନ ଯୋଗ କରିଥିଲେ ।

ଦଳୀୟ ସ୍କୋର ୨୬୦ରେ ପହଞ୍ଚି ଥିବାବେଳେ ଜାଡେଜାଙ୍କ ବଲ୍ରେ ଆଉଟ୍ ହୋଇଥିଲେ ଷ୍ଟବ୍ସ । ଷ୍ଟବ୍ସଙ୍କ ଶତକକୁ ଅପେକ୍ଷା କରିଥିବା ଦକ୍ଷିଣ ଆଫ୍ରିକା ସଙ୍ଗେ ସଙ୍ଗେ ପାଳି ଘୋଷଣା କରିଥିଲା । ସେ ୯୪ (୯ଚୌକା, ୧ଛକା) ରନ କରିଥିଲେ । ଭାରତ ପକ୍ଷରୁ ଜାଡେଜା ୨୮.୩ ଓଭର ବୋଲିଂ କରି ୪ଟି ୱିକେଟ୍ ନେଇଥିଲେ । ୫୪୯ ରନ୍ର ବିଶାଳ ଲକ୍ଷ୍ୟ ନେଇ ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା । ଜୈସ୍ୱାଲ୍ ୧୩ ରନ କରିଥିବାବେଳେ ପୁନର୍ବାର ମାର୍କୋ ଜାନସେନଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପରେ ପରେ ରାହୁଲ (୬)ଙ୍କୁ ଆଉଟ୍ କରିଥିଲେ ସିମନ ହାର୍ମର । ୨୧ ରନ୍ରେ ଭାରତ ୨ଟି ୱିକେଟ୍ ହରାଇଥିଲା । ସାଇ ସୁଦର୍ଶନ ଓ କୁଲଦୀପ ଷ୍ଟମ୍ପ ପର୍ଯ୍ୟନ୍ତ କ୍ରିଜ୍ରେ ଜମି ରହି ୱିକେଟ୍ ବଞ୍ଚାଇଥିଲେ ।