ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ସହିତ ଏକ ବିକଶିତ ରାଜ୍ୟ ଗଠନ କରିବାକୁ ହେଲେ ଉଭୟ ସରକାର ଏବଂ ଯୁବକ ସମାଜ ସାଥୀ ହୋଇ ଆଗକୁ ଆସିବା ଆବଶ୍ୟକ । ଯୁବପିଢ଼ି ଧନ ସୃଷ୍ଟିକର୍ତ୍ତା ହେବାର ଦାୟିତ୍ୱ ତୁଲାଇବାକୁ ପ୍ରସ୍ତୁତ ହେବା ଉଚିତ । ସରକାର ସେମାନଙ୍କୁ ଏହି ଲକ୍ଷ୍ୟ ହାସଲ କରିବାରେ ସହାୟତା କରିବା ପାଇଁ ଏକ ପ୍ରଭାବଶାଳୀ ସୂତ୍ରଧର ଭାବରେ କାମ କରିବା ଦରକାର ।
ଆମେ ବିଭିନ୍ନ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ପାଉ ଯେ, ଲକ୍ଷ ଲକ୍ଷ ଉଚ୍ଚଶିକ୍ଷିତ ବ୍ୟକ୍ତି ଯେମିତି ସ୍ନାତକୋତ୍ତର, ଏମବିଏ, ଇଞ୍ଜିନିୟର, ଏପରିକି ପିଏଚ.ଡି. ଧାରକମାନେ ଛୋଟ ସରକାରୀ ଚାକିରି ଏମିତିକି ପିଅନ, ଅଫିସ୍ ସହାୟକ ପାଇଁ ଆବେଦନ କରୁଛନ୍ତି । ଉଦାହରଣ ସ୍ୱରୂପ, ରାଜସ୍ଥାନରେ କେବଳ ୫୩,୭୪୯ ପିଅନ ପୋଷ୍ଟ ପାଇଁ ପ୍ରାୟ ୨୪.୭୬ଲକ୍ଷ ଆବେଦନ କରିଥିଲେ, ସେମାନଙ୍କ ମଧ୍ୟରୁ ଅନେକ ସ୍ନାତକୋତ୍ତର, ଏମବିଏ, ଇଞ୍ଜିନିୟର, ଏପରିକି ପିଏଚ.ଡି. ଧାରକ ଥିଲେ । ଏହିପରି ଧାରା ଅନ୍ୟ ରାଜ୍ୟମାନଙ୍କରେ, ଏମିତିକି ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳେ । ଉପରୋକ୍ତ ପରିସ୍ଥିତି ଭାରତରେ ଶିକ୍ଷା ଓ ରୋଜଗାର ମଧ୍ୟରେ ଥିବା ମେଳ ନହେବାର ଗଭୀର ସମସ୍ୟାକୁ ପ୍ରକାଶ କରୁଛି । ଏହା ସହିତ ଏହି ଅବସ୍ଥା ଶିକ୍ଷାର ଗୁଣାତ୍ମକତାର ହ୍ରାସକୁ ମଧ୍ୟ ଦର୍ଶାଉଛି । ଆମ ଶିକ୍ଷା ପ୍ରଣାଳୀ ଏଯାବତ୍ ଡିଗ୍ରୀକୁ ଗୁରୁତ୍ୱ ଦେଉଛି, ଦକ୍ଷତା ଓ ନୂତନତାକୁ ନୁହେଁ । ଅନେକ ଯୁବ ଶିକ୍ଷା ଶେଷ କରିଥାନ୍ତି, କିନ୍ତୁ ନିଜକୁ ରୋଜଗାରୋପଯୋଗୀ ବା ସ୍ୱରୋଜଗାରୀ ଭାବରେ ଗଢ଼ିନିଅନ୍ତି ନାହିଁ । ଏତେ ଉଚ୍ଚ ଯୋଗ୍ୟତା ହାସଲ କରିବା ପରେ ସମ୍ମାନଜନକ ଜୀବିକା ଅର୍ଜନ କରିବା କ’ଣ ପ୍ରକୃତରେ କଷ୍ଟକର?
ଆଜିକାଲି ଯୁବପିଢ଼ି ଆତ୍ମନିଯୁକ୍ତି କିମ୍ବା ଉଦ୍ୟୋଗୀ ହେବାପାଇଁ ଉଦ୍ୟମ କରିବା ପରିବର୍ତ୍ତେ ବେତନଭିତ୍ତିକ ଚାକିରି କରିବା ଦିଗରେ ଆଗ୍ରହ ପ୍ରକାଶ କରୁଛନ୍ତି । ଅନେକ ଯୁବକ ଏକ ସ୍ଥିର ବେତନକୁ ନିରାପଦ ପଥଭାବରେ ଦେଖନ୍ତି, କିନ୍ତୁ ନିଜ ଉଦ୍ୟମ ଚାଲୁ କରିବାରେ ଥିବା ବିଶାଳ ସୁଯୋଗ ଓ ସମ୍ଭାବନାକୁ ସେମାନେ ଅଣଦେଖା କରନ୍ତି । ପ୍ରତ୍ୟେକ ଶିଶୁ ଅପାର ସମ୍ଭାବନା ସହିତ ଜନ୍ମ ହୁଅନ୍ତି । ଯେଉଁମାନେ ଏହି ସମ୍ଭାବନାକୁ ପରିପ୍ରକାଶ କରିବାରେ ସକ୍ଷମ ହୁଅନ୍ତି ସେମାନେ ଆଗକୁ ମାଡ଼ି ଚାଲନ୍ତି । ଯେଉଁମାନେ ବିଫଳ ହୁଅନ୍ତି ସେମାନେ ପଛରେ ରହିଯାନ୍ତି । ବୃହତ କାରଖାନା ହେଉ କିମ୍ବା ବ୍ୟବସାୟ ପ୍ରତିଷ୍ଠାନ ହେଉ ତାହା ଜଣେ ସାଧାରଣ ଲୋକଙ୍କ ଭାବନାରୁ ଉତ୍ପତ୍ତି ହେବାର ଦେଖାଯାଏ । ମୁଁ ୨୦୦୨ ମସିହାରୁ ଯୁବସମାଜକୁ ଆତ୍ମନିର୍ଭରଶୀଳ ହେବାପାଇଁ ଚେଷ୍ଟା କରିଆସୁଅଛି । ମୋର ଲକ୍ଷ୍ୟ ଥିଲା, ସେମାନଙ୍କ ମନରେ ଉଦ୍ୟମୀତାର ମଞ୍ଜି ବୁଣିବା ଏବଂ ଆଶା କରିଆସୁଅଛି ଯେ, ସେମାନଙ୍କ ମନରେ ଶୋଇଥିବା କିଛି ବିଚାର ଦିନେ ଏକ ଉଦ୍ୟମ ଭାବରେ ଅଙ୍କୁରିତ ହେବ ଓ ସେହି ଉଦ୍ୟମ ବଳରେ ସେମାନେ ସଫଳତା ହାସଲ କରି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଦେବେ ।
ଏକ ଅନିଶ୍ଚିତ ଚାକିରି ବଜାରରେ ଅର୍ଥନୈତିକ ସୁରକ୍ଷା, ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଦକ୍ଷତା ବିକାଶ ପାଇଁ ଆତ୍ମନିଯୁକ୍ତି ଜରୁରି । ଯେତେବେଳେ ଜଣେ ବ୍ୟକ୍ତି ଆତ୍ମନିର୍ଭରଶୀଳ ହୁଏ, ସେ କେବଳ ନିଜର ଆବଶ୍ୟକତା ପୂରଣ କରେନାହିଁ ବରଂ ଅନ୍ୟମାନଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟିକରେ । ଟିକସ ଏବଂ ରାଜସ୍ୱ ଦେଇ ସେ ଦେଶର ଅର୍ଥବ୍ୟବସ୍ଥାକୁ ସମୃଦ୍ଧ କରିବାରେ ସହଯୋଗ କରନ୍ତି, ଯାହା ପରବର୍ତ୍ତୀ ସମୟରେ ରାଷ୍ଟ୍ର ଗଠନରେ ସହଯୋଗ କରେ । ଅଧିକରୁ ଅଧିକ ଯୁବକ ସ୍ୱରୋଜଗାରୀ ହେଲେ ଦେଶରେ ଏକ ଶକ୍ତିଶାଳୀ ଏମଏସଏମଇ ମୁଣ୍ଡ ଟେକିବ, ଯାହା ଦେଶର ନୂତନ ଆବିଷ୍କାର ଏବଂ ଅନ୍ତର୍ଭୁକ୍ତ ବିକାଶର ଇଞ୍ଜିନ ହୋଇ ଦୌଡ଼ିବ । ଏହି ଅଭିବୃଦ୍ଧିରେ ଉଭୟ ବ୍ୟକ୍ତି ଏବଂ ଦେଶ ସମୃଦ୍ଧ ହେବେ ।
ପ୍ରତ୍ୟେକ ଏମଏସଏମଇ ହେଉଛି ଏମିତି ଜଣେ ବ୍ୟକ୍ତିଙ୍କ ସୃଷ୍ଟି ଯିଏ ଆତ୍ମନିର୍ଭରଶୀଳ ହେବାର ଜୋରଦାର ଇଚ୍ଛା ରଖିଥିଲେ, ଯିଏ ଏକ ଧାରଣାକୁ ଜୀବିକାରେ ପରିଣତ କରିବାର ସାହସ ଦେଖାଇଥିଲେ । ଦେଶର ଅର୍ଥନୀତିର ମେରୁଦଣ୍ଡ ଭାବରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟମ (ଏମଏସଏମଇ) ଭୂମିକାକୁ ହୃଦୟଙ୍ଗମ କରି ଏବେ ସରକାର ଏହାର ପ୍ରୋତ୍ସାହନ ତଥା ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏମଏସଏମଇ କେବଳ ନିଯୁକ୍ତି ସୃଷ୍ଟି କରେନାହିଁ ବରଂ ଏହା ନବଚିନ୍ତନ, ଔଦ୍ୟୋଗୀକରଣ ଓ ଅଞ୍ଚଳୀୟ ସମତାପୂର୍ଣ୍ଣ ଉନ୍ନତିକୁ ମଧ୍ୟ ଉତ୍ସାହିତ କରେ । ତେବେ ଏହି କ୍ଷେତ୍ରର ପ୍ରକୃତ ଶକ୍ତି ଯୁବକମାନଙ୍କ ସକ୍ରିୟ ଅଂଶଗ୍ରହଣରୁ ଆସିବ ।
ସଂଖ୍ୟାର ଏକ ଶକ୍ତିଶାଳୀ ପ୍ରେରଣାଦାୟକ ପ୍ରଭାବ ଅଛି । ଉଦାହରଣ ସ୍ୱରୂପ, ଯଦି ବହୁସଂଖ୍ୟକ ଲୋକ ଏମ୍ଏସ୍ଏମ୍ଇରେ ସ୍ୱରୋଜଗାରୀ ହୁଅନ୍ତି, ତେବେ ଅନେକେ ସ୍ୱରୋଜଗାରୀ ହେବାକୁ ଉତ୍ସାହିତ ହୋଇପାରନ୍ତି । ଜଣେ ଏମଏସଏମଇ ନେତା ଥରେ ମନ୍ତବ୍ୟ ଦେଲେ ଯେ, କୃଷକଙ୍କ ତୁଳନାରେ ଆମେ ରାଜନେତାଙ୍କ ଉପରେ ଚାପ ସୃଷ୍ଟି କରିବାରେ ଅସମର୍ଥ । କାରଣ ଆମର ସଂଖ୍ୟା ଅଭାବ, ଅର୍ଥାତ ଏମଏସଏମଇଗୁଡ଼ିକର ସଂଖ୍ୟା କମ୍ । କିନ୍ତୁ ଏହି ଧାରଣା ଏବେ ସତ୍ୟ ନୁହେଁ । ୨ ଅକ୍ଟୋବର ୨୦୦୬ଠାରୁ ଏମଏସଏମଇ ବିକାଶ ଅଧିନିୟମ ଲାଗୁହେବା ଏବଂ ପରବର୍ତ୍ତୀ ସମୟରେ ରିଟେଲ ଓ ହୋଲସେଲ୍ ବ୍ୟବସାୟକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବା ପରେ ଏମଏସଏମଇର ପରିସର ବହୁତ ବିସ୍ତାର ହୋଇଛି ।
ଜାତୀୟ ଶିଳ୍ପ ବର୍ଗୀକରଣ (ଏନଆଇସି) ଅନୁଯାୟୀ ଦେଶର ଅର୍ଥନୈତିକ କାର୍ଯ୍ୟକଳାପକୁ ୮୮ଟି ଭାଗରେ ବିଭକ୍ତ କରାଯାଇଛି । ସଂପୂର୍ଣ୍ଣ ଭାବରେ ତିନିଟି ଭାଗ ଏବଂ ଗୋଟିଏ ଭାଗର ଆଂଶିକ ବ୍ୟତୀତ ଅନ୍ୟ ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପ ବର୍ତ୍ତମାନ ଏମଏସଏମଇ ଅନ୍ତର୍ଭୁକ୍ତ । ଏମିତିକି କୃଷି ଅଧୀନରେ ଥିବା ବହୁ କାର୍ଯ୍ୟକଳାପ ଯେପରି ମହୁଚାଷ, ଅଣ୍ଡା ଉତ୍ପାଦନ ଇତ୍ୟାଦି ଏମଏସଏମଇ ଅନ୍ତର୍ଭୁକ୍ତ । ଏଥିରୁ କଳ୍ପନା କରିପାରିବେ ଏମଏସଏମଇ କେତେ ବ୍ୟାପକ । ସେହି କାରଣରୁ ଏହା ଦେଶର ଅର୍ଥନୀତିର ପ୍ରକୃତ ମେରୁଦଣ୍ଡ ଭାବରେ ଦଣ୍ଡାୟମାନ ।
ଦୁଃଖର ବିଷୟ, ଆମର ଏମଏସଏମଇଗୁଡ଼ିକ ଉପରେ ବିସ୍ତୃତ ତଥ୍ୟ ନାହିଁ । ଏମ୍ଏସ୍ଏମ୍ଇ ବିକାଶ ଅଧିନିୟମ ଲାଗୁ ହେବାପରେ ଏବଂ ୨୦୨୧ରେ ହୋଲସେଲ ଏବଂ ଖୁଚୁରା ବ୍ୟବସାୟକୁ ଏହାର ଅଧୀନରେ ଅନ୍ତର୍ଭୁକ୍ତ କରିବା ପରେ ଏମଏସଏମଇ କ୍ଷେତ୍ରର ପରିସର ଯଥେଷ୍ଟ ବୃଦ୍ଧି କରାଯାଇଛି । ଅଧିନିୟମ ଲାଗୁ ହେବାପରେ ୨୦୦୬-୦୭କୁ ରେଫରେନ୍ସ ବର୍ଷ ଭାବରେ ଗ୍ରହଣ କରି ମାତ୍ର ଗୋଟିଏ ଏମ୍ଏସ୍ଏମ୍ଇ ଗଣନା କରାଯିବା ପରେ ଆଉ ଗଣନା ହୋଇନାହିଁ । ସଠିକ୍ ତଥ୍ୟ ରହିଲେ ଏମ୍ଏସ୍ଏମ୍ଇ ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିବା ସମ୍ଭବ ହେବ । ଯେହେତୁ ଉଦ୍ୟମ ପଞ୍ଜୀକରଣ ସ୍ୱେଚ୍ଛାକୃତ, ସମସ୍ତ ଏମଏସଏମଇ ଉଦ୍ୟମ ପଞ୍ଜୀକରଣ କରନ୍ତି ନାହିଁ । ତେଣୁ ଏମଏସଏମଇର ସଠିକ୍ ସଂଖ୍ୟା ଉଦ୍ୟମ ପଞ୍ଜିକରଣରୁ ଆକଳନ କରିବା କଷ୍ଟକର । ତଥାପି, ଅନ୍ୟ କିଛି ସର୍ବେକ୍ଷଣ କରାଯାଉଛି ଯାହାକୁ ଅଳ୍ପ ରୂପାନ୍ତରିତ କରି ଏମଏସଏମଇ ତଥ୍ୟ ସଂଗ୍ରହ ପାଇଁ ଉପଯୁକ୍ତ କରାଯାଇପାରେ ।
ଗୋଟିଏ ଦେଶର ସମୃଦ୍ଧି କେବଳ ବିଶାଳ କାରଖାନା କିମ୍ବା କର୍ପୋରେଟ୍ ସାମ୍ରାଜ୍ୟ ଉପରେ ନିର୍ଭର କରେନାହିଁ । ଏହା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟାଗଗୁଡ଼ିକର ଶକ୍ତିରେ ବୃଦ୍ଧି ପାଇଥାଏ । ସମଗ୍ର ବିଶ୍ୱରେ ସ୍ୱିଜରଲ୍ୟାଣ୍ଡ, ସିଙ୍ଗାପୁର, ଇସ୍ରାଏଲ୍ ଏବଂ ଡେନମାର୍କ ଭଳି ଅନେକ ଦେଶ ଦର୍ଶାଇଛନ୍ତି ଯେ ବୃହତ ଶିଳ୍ପ ବିନା ମଧ୍ୟ ଏକ ଦେଶ ଉଲ୍ଲେଖନୀୟ ସମୃଦ୍ଧି ହାସଲ କରିପାରିବ³ ଯେତେବେଳେ ଏହାର ଲୋକମାନେ ଇନୋଭେଟିଭ, ଦକ୍ଷ ଏବଂ ଉଦ୍ୟମୀ ହୋଇପାରିବେ ।
ମୁଁ ଆତ୍ମନିଯୁକ୍ତି ଉପରେ ଚିନ୍ତା କରିବାବେଳେ ମୋ ମନକୁ ଗୋଟିଏ ଧାରଣା ଆସିଲା ଏବଂ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହା ବିଷୟରେ ଆଲୋଚନା କରିବାକୁ ଇ-ମେଲ୍ ମାଧ୍ୟମରେ ଅନୁରୋଧ କଲି । ଯଦି ମୋର ବିଚାର ପ୍ରକୃତରେ କାର୍ଯ୍ୟକାରୀ ହୁଏ, ତେବେ ଏହା ବହୁସଂଖ୍ୟକ ଯୁବକଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ । କିନ୍ତୁ ମୋତେ ଭେଟିବାକୁ ସମୟ ଏପର୍ଯ୍ୟନ୍ତ ମିଳିନାହିଁ । ଅବସର ପରେ ମୁଁ କୌଣସି ସ୍ୱାର୍ଥ କିମ୍ବା ପଦପଦବି ଆଶାରେ ଦେଖା କରିବାକୁ ଚାହୁଁନଥିଲି । ପିଲାଦିନ ଗାଁରେ କଟିଛି, ଗୁରୁଜନମାନେ ଢଗ ପକାନ୍ତି "ବୁଲେଇ ବିକିଲେ ମାଣିକ ଭେଣ୍ଡି’ ଏହାର ମହତ୍ତ୍ୱ ବୁଝି ଆଉ ଦେଖାକରିବାକୁ ମନ ନବଳେଇ ଚୁପ୍ ରହିବା ପସନ୍ଦ କଲି ।
ଆଜି ବହୁସଂଖ୍ୟକ ଯୁବକ ରାଜନେତାଙ୍କୁ ଅନୁସରଣ କରନ୍ତି ଏବଂ ସେବା କରିବା ଅପେକ୍ଷା ଅଧିକ ରୋଜଗାର କରିବାକୁ ରାଜନୀତିରେ ପ୍ରବେଶ କରନ୍ତି । କିନ୍ତୁ ରାଜନୀତି କେବେ ମଧ୍ୟ ଜୀବିକାର ମାଧ୍ୟମ ହେବା ଉଚିତ୍ ନୁହେଁ । ଯେତେବେଳେ ଯୁବସମାଜ ରାଜନୀତିକୁ ଅର୍ଜନର ମାଧ୍ୟମ ଭାବେ ଦେଖେ, ସେତେବେଳେ ଦେଶର ଅର୍ଥନୀତିକ ଏବଂ ନୈତିକ ହାନିହୁଏ । ପ୍ରକୃତ ଜାତୀୟ ପ୍ରଗତି କେବଳ ସେତେବେଳେ ହାସଲ ହୋଇପାରିବ ଯେତେବେଳେ ଯୁବକମାନଙ୍କର ଏକ ବଡ଼ ଭାଗ ଆତ୍ମନିର୍ଭରଶୀଳ ହୋଇ ସମାଜରେ ଫଳପ୍ରଦ ଭାବରେ ଅବଦାନ ଦେଇଥାଏ । ଏକ ସୁସ୍ଥ ଅର୍ଥବ୍ୟବସ୍ଥାରେ ସତେଜ ଯୁବକ ଆବଶ୍ୟକ-ସଶକ୍ତ, କୁଶଳୀ ଏବଂ ଆତ୍ମନିଯୁକ୍ତି ଏବଂ ଉଦ୍ୟୋଗରେ ନିୟୋଜିତ ।
ରାଇଟ୍ ବ୍ରଦର୍ସ ଚଢ଼େଇ ପରି ଉଡ଼ିବାକୁ ଚିନ୍ତା କରିପାରିଲେ, ତେଣୁ ସେମାନେ ଉଡ଼ାଜାହାଜ ଉଦ୍ଭାବନ କରିପାରିଲେ । ହେନେରୀ ଫୋର୍ଡ ଘୋଡ଼ା ବିନା ଗାଡ଼ି ଚାଲିବାକୁ ଚାଲିବାର କଳ୍ପନା କରିପାରିଲେ, ଫଳରେ ସେ ଯାନ (ଅଟୋମୋବାଇଲ) ଉଦ୍ଭାବନ କରିପାରିଲେ । ତେଲ ବିନା ଦୀପ କେମିତି ଜଳିପାରିବାର ଚିନ୍ତା ଥୋମାସ୍ ଆଲଭା ଏଡିସନଙ୍କ ମନରେ ଘାରିଲା, ଯାହା ଇଲେକଟ୍ରିକ୍ ବଲବ ଉଦ୍ଭାବନ କରିବାକୁ ପ୍ରେରଣା ଦେଲା । ଏମିତି ବହୁତ ଲୋକଙ୍କର ଉଦାହରଣ ଅଛି, ଯେଉଁମାନେ ନିଜ ଚିନ୍ତାବଳରେ ନିଜ ପାଇଁ ଏବଂ ସମାଜ ପାଇଁ ଗୌରବ ଆଣିପାରିଛନ୍ତି । ବଡ଼କଥା ହେଲା, ସେମାନେ ସବୁ ଧନୀ କିମ୍ବା ଉଚ୍ଚଶିକ୍ଷିତ ନଥିଲେ । ଯଦି ସେମାନେ ସେମାନଙ୍କର ଚିନ୍ତାଧାରା ବଳରେ ଏପରି ମହାନ ଉଦ୍ଭାବନ ସୃଷ୍ଟି କରିପାରିଲେ, ତେବେ ଆପଣମାନେ ଅନ୍ତତଃପକ୍ଷେ ନିଜ ପାଇଁ ଏକ ସମ୍ମାନଜନକ ଜୀବିକା ଖୋଜିପାରିବେ ନାହିଁ? ଅସଲ କଥା ହେଲା, ଆପଣ ସରକାର କିମ୍ବା ଅନ୍ୟ କିଏ ଆପଣଙ୍କ ପାଇଁ କ’ଣ କରିଦେବା ଭାବନାରେ ରହି ନିଜପାଇଁ ଚିନ୍ତା କରିପାରିନାହାଁନ୍ତି ।
ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ସହିତ ଏକ ବିକଶିତ ରାଜ୍ୟ ଗଠନ କରିବାକୁ ହେଲେ ଉଭୟ ସରକାର ଏବଂ ଯୁବକ ସମାଜ ସାଥୀ ହୋଇ ଆଗକୁ ଆସିବା ଆବଶ୍ୟକ । ଯୁବପିଢ଼ି ଧନ ସୃଷ୍ଟିକର୍ତ୍ତା ହେବାର ଦାୟିତ୍ୱ ତୁଲାଇବାକୁ ପ୍ରସ୍ତୁତ ହେବା ଉଚିତ । ସରକାର ସେମାନଙ୍କୁ ଏହି ଲକ୍ଷ୍ୟ ହାସଲ କରିବାରେ ସହାୟତା କରିବା ପାଇଁ ଏକ ପ୍ରଭାବଶାଳୀ ସୂତ୍ରଧର ଭାବରେ କାମ କରିବା ଦରକାର । ବର୍ତ୍ତମାନର ଯୁବସମାଜ ଆତ୍ମନିର୍ଭରଶୀଳ ହେବା ଦିଗରେ ଏମିତି କୌଣସି ବ୍ୟାପକ ଯୋଜନା ନାହିଁ, ଯାହା ଯୁବକମାନଙ୍କୁ ସମ୍ପୂର୍ଣ୍ଣ ଦିଶା ନିର୍ଦ୍ଦେଶ କରିପାରିବ । ଏହି ପରିପ୍ରେକ୍ଷୀରେ ଆବଶ୍ୟକ ହେଉଛି ସମସ୍ତ ଜରୁରି ଉପାଦାନଗୁଡ଼ିକୁ ଯେମିତି ପ୍ରେରଣା, ତାଲିମ, ଦକ୍ଷତା ବିକାଶ, ପ୍ରକଳ୍ପ ପ୍ରସ୍ତୁତି, ଆର୍ଥିକ ସହାୟତା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସ୍ୱପ୍ନ ପର୍ଯ୍ୟାୟରୁ ସାକାର ପର୍ଯ୍ୟନ୍ତ ଯାତ୍ରାରେ ନିରନ୍ତର ସହଭାଗୀ ଓ ସଂଯୋଗ କଲା ପରି ଏକ ସମନ୍ୱିତ କାର୍ଯ୍ୟକ୍ରମ । ଏହିପରି ଏକ ସମନ୍ୱିତ ପ୍ରୟାସ ମାଧ୍ୟମରେ ବିଶାଳ ସ୍ୱରୋଜଗାର ସୁଯୋଗ ସୃଷ୍ଟିକରିବା ପ୍ରକୃତରେ ସମ୍ଭବ ହେବ ।