ନୂଆଦିଲ୍ଲୀ,୨୩/୦୨; ବିଶ୍ୱର ଏକ ନମ୍ବର ଦଳ ପୁଣି ଡିଫେଣ୍ଡିଂ ଚାମ୍ପିଅନ । ଚର୍ଚ୍ଚା ଯେମିତି, ରଣନୀତି ମଧ୍ୟ ସେମିତି । ଦଳର ସବୁ ଖେଳାଳି ମାର୍କାମରା, ହାର୍ଡ ହିଟର । କାହାକୁ ଭୟ ନାହିଁ, ତେଣୁ ଆତ୍ମବିଶ୍ୱାସ ଆକାଶଛୁଆଁ । ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ମାତ୍ର ସୁପର-୮ର ପ୍ରଥମ ମ୍ୟାଚରେ ସବୁ କିଛି ଫସର ଫାଟିଲା, ଅସଲ ଲଢ଼େଇରେ ଆରମ୍ଭରୁ ଦଳ ଝୁଣ୍ଟି ପଡ଼ିଲା । ବିଶ୍ୱରେ ସବୁଠୁ ଶକ୍ତିଶାଳୀ ଓ ଦୁର୍ଦ୍ଧର୍ଷ ବ୍ୟାଟିଂ ଲାଇନ ତାସ ଘର ଭଳି ଭୁଶୁଡ଼ି ପଡ଼ିଲା । ଚକିତ ଲାଗୁଥାଏ ସବୁ, ଆଗ ପଛ ହୋଇ ଜଣେ ପରେ ଜଣେ ପାଭିଲିୟନ ଫେରୁଥାନ୍ତି । ଶେଷରେ ଦକ୍ଷିଣ ଆଫ୍ରିକାର ଶକ୍ତ ପ୍ରହାରରେ ଭାରତ ଦୋହଲି ଗଲା, ୭୬ ରନ୍ରେ ସୁପର-୮ ରାଉଣ୍ଡ ମ୍ୟାଚରେ ପରାଜିତ ହେଲା । ବଳକା ୨ ମ୍ୟାଚ ଜିତିଲେ ବି ଭାରତ ପାଇଁ ସେମି ଫାଇନାଲ ରାସ୍ତା କଷ୍ଟକର ହୋଇପଡିଛି । ଗୋଟିଏ ପରାଜୟରେ ବଦଳିଲା ସମୀକରଣ ।

​​​​​​​ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ର ରୋମାଞ୍ଚ ଏବେ ଧୀରେ ଧୀରେ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟ ପରେ ସୁପର-୮ ରାଉଣ୍ଡ ଜାରି ରହିଛି । ଏଠି ସମୀକରଣ ଦ୍ରୁତ ଗତିରେ ବଦଳୁଛି । ୨୦ଟିମରୁ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟ ୮ରେ ପହଞ୍ଚିଛି । ଗୋଟିଏ ଗୋଟିଏ ମ୍ୟାଚରେ ଚିତ୍ର ବଦଳୁଛି । ଗତକାଲି ଭାରତ ଏବଂ ଦ.ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ସୁପର-୮ ମ୍ୟାଚରେ ଭାରତ ୭୬ ରନରେ ପରାସ୍ତ ହୋଇଛି । ଏବେ ପରିସ୍ଥିତି ଏମିତି ହୋଇଛି ଯେ, ଟି-ଟ୍ୱେଣ୍ଟି ବିଶ୍ୱକପର ଶେଷ ୧୨ଟି ମ୍ୟାଚରେ ଅପରାଜିତ ଥିବା ଟିମ୍ ଇଣ୍ଡିଆ ପାଇଁ ଗୋଟିଏ ପରାଜୟ ସେମିଫାଇନାଲ ଦ୍ୱାର ବନ୍ଦ କରିଦେଇପାରେ । ତୃତୀୟ ଥର ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିବା ସ୍ବପ୍ନ ଭାଙ୍ଗି ଯାଇପାରେ । ତେବେ ଆସନ୍ତୁ ଜାଣିବା ଏହି ରିପୋର୍ଟରେ ଭାରତ କିପରି ସେମିଫାଇନାଲରେ ସ୍ଥାନ ପକ୍କା କରିବ ।

ସୁପର -୮ରେ ୨ଟି ଗ୍ରୁପରେ ୪ଟି ଲେଖାଏଁ ଟିମ୍ ରହିଛନ୍ତି । ନିଜ ଗ୍ରୁପରେ ବାକି ଦଳ ବିପକ୍ଷରେ ୩ଟି ଲେଖାଏଁ ମ୍ୟାଚ ଖେଳିବେ । ଜିତିଲେ ୨ ପଏଣ୍ଟ, ନୋ ରେଜଲ୍ଟରେ ୧ ପଏଣ୍ଟ ଏବଂ ପରାସ୍ତ ହେଲେ କିଛି ପଏଣ୍ଟ ମିଳିବ ନାହିଁ । ଯଦି ପଏଣ୍ଟ ସମାନ ରୁହେ ତେବେ  ନେଟ୍ ରନ୍‌ ରେଟ୍ ଦ୍ୱାରା ନିଷ୍ପତ୍ତି ହେବ । ସରଳ ଭାଷାରେ କହିବାକୁ ଗଲେ ନେଟ୍ ରନ୍‌ ରେଟ୍ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ସୁପର-୮ରେ ଗ୍ରୁପ ଏରେ ବର୍ତ୍ତମାନ ସ୍ଥିତି ଦ.ଆଫ୍ରିକା ପ୍ରଥମ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚ ଜିତି ୨ ପଏଣ୍ଟ ହାସଲ କରିଛି । ଦଳର ନେଟ୍ ରନ୍ ରେଟ୍ +୩.୮୦୦ରେ ପହଞ୍ଚିଛି । ଟିମ୍ ଇଣ୍ଡିଆକୁ ୭୬ ରନ୍‌ରେ ପରାସ୍ତ କରିଛି । ସୁପର-୮ ପ୍ରଥମ ମ୍ୟାଚରେ ହାରିବାପରେ ଭାରତ ପଏଣ୍ଟ ଖାଲା ଖୋଲିନାହିଁ । ନେଟ୍  ରନ୍‌ ରେନ୍‌ -୩.୮୦୦ ରହିଛି । ଯାହା ଖରାପ ସ୍ଥିତି । ଜିମ୍ୱାୱେ ଏବଂ ୱେଷ୍ଟଇଣ୍ଡିଜ ମ୍ୟାଚ ଖେଳିନାହାନ୍ତି । ସେମାନଙ୍କ ପଏଣ୍ଟ ଏବଂ ରନ ରେଟ୍ ଶୂନ୍ୟ ରହିଛି ।

ଏହା ବି ପଢନ୍ତୁ...ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ ବିଜେତା ଭାରତ ଏ', ବାଂଲାକୁ ହରାଇ ଜିତିଲା ଟ୍ରଫି

ଭାରତ ପାଇଁ କଣ ମୁସ୍କିଲ- ଏହି ଗ୍ରୁପରୁ ଦୁଇଟି ଟିମ୍ ସେମିଫାଇନାଲ ପାଇଁ ଉତୀର୍ଣ୍ଣ ହେବେ । ଯଦି ଭାରତ ତାର ପରବର୍ତ୍ତୀ ୨ଟି ମ୍ୟାଚ ଜିମ୍ୱାୱେ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ବଡ଼ ବିଜୟ ହାସଲ କରିବାକୁ ପଡିବ । ଏହା ସହିତ ବାକି ଟିମର ନେଟ୍ ରନ୍‌ ରେଟ୍ ଭଲ ନ ହେଉ । ଯଦି ଅନ୍ୟ ୩ ଦଳ ୨ଟି ଲେଖାଏଁ ବିଜୟ ହାସଲ କରନ୍ତି ତେବେ ରନ୍‌ ରେଟରେ ନିଷ୍ପତ୍ତି ହେବ । ଏମିତିରେ ଭାରତର ଏହି ଖରାପ ରନ୍ ରେଟ୍‌ ତାକୁ କ୍ଷତି ପହଞ୍ଚାଇପାରେ । ପ୍ରଥମ ସେମି ମାର୍ଚ୍ଚ ୪ ଏବଂ ଦ୍ୱିତୀୟ ସେମି ୫ ତାରିଖରେ ଖେଳାଯିବ । ମାର୍ଚ୍ଚ ୮ରେ ଟି-ଟ୍ୱେଣ୍ଟି ବିଶ୍ୱକପର ସେମି ଫାଇନାଲ ଖେଳାଯିବ ।