ନୂଆଦିଲ୍ଲୀ,୨୩/୦୨; ଟି-ଟ୍ୱେଣ୍ଟି ବିଶ୍ୱକପ ସୁପର-୮ରେ ପୁରୁଷ କ୍ରିକେଟ ଟିମ୍ ପରାସ୍ତ ହେଲେ । ଆରମ୍ଭରୁ ଝୁଣ୍ଟିଲେ ହେଲେ ଆଉ ଏକ ଟୁର୍ଣ୍ଣାମେଣ୍ଟରେ ମହିଳା ଦଳ ଚମକିଲେ । ଥାଇଲାଣ୍ଡରେ ଆୟୋଜିତ ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ ଟି-ଟ୍ୱେଣ୍ଟି କ୍ରିକେଟ୍ରେ ଭାରତ ଏ’ ଚାମ୍ପିଅନ୍ ହୋଇଛି । ରବିବାର ଅନୁଷ୍ଠିତ ଫାଇନାଲ୍‌ରେ ଦଳ ୪୬ ରନ୍‌ରେ ବାଂଲାଦେଶ ଏ’କୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ଭାରତ ଏ’ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୧୩୪ ରନ୍ ସଂଗ୍ରହ କରିଥିଲା । ଜବାବରେ ବାଂଲାଦେଶ ଏ’ ୮୮ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ତେଜଲ ହସବନିସ୍ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଭାରତ ଏ’ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ୪୪ରନ୍ ମଧ୍ୟରେ ଦଳ ୪ଟି ୱିକେଟ୍ ହରାଇଥିଲା । ନନ୍ଦନୀ କଶ୍ୟପ (୮), ଦିନେଶ ବ୍ରିନ୍ଦା (୧୯), ଅନୁଷ୍କା ଶର୍ମା (୮) ଓ ମୀନୁ ମଣି (୦) ବିଫଳ ହୋଇଥିଲେ । ମଧ୍ୟକ୍ରମରେ ତେଜଲ ଓ ଅଧିନାୟିକା ରାଧା ଯାଦବ ଦୃଢ଼ ବ୍ୟାଟିଂ କରି ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ । ରାଧା ୩ଚୌକା ଓ ୧ଛକା ବଳରେ ୩୬ରନ୍ କରି ଆଉଟ୍ ହେବା ପରେ ଦଳ ସହଳ ଆଉ ୨ଟି ୱିକେଟ୍ ହରାଇଥିଲା । ମାତ୍ର ତେଜଲ ଅର୍ଦ୍ଧଶତକ ପୂରଣ କରିବା ସହ ଅପରାଜିତ ରହି ଦଳୀୟ ସ୍କୋରକୁ ୭/୧୩୪ରେ ପହଞ୍ଚାଇ ଥିଲେ । ସେ ୩୪ବଲ୍‌ରେ ୫୧ (୩ଚୌକା, ୨ଛକା) ରନ୍ କରିଥିଲେ । ବାଂଲାଦେଶ ଏ’ ପକ୍ଷରୁ ଫହିମା ଖାତୁନ ୪ଟି ୱିକେଟ୍ ନେଇଥିଲେ ।

୧୩୫ରନ୍ ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ଏ’ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂର ମୁକାବିଲା କରିବା ବାଂଲା ବ୍ୟାଟରଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ଶେଷରେ ଦଳ ୮୮ରନ୍‌ରେ ଅଟକି ଯାଇଥିଲା । ଶମିମା ସୁଲତାନା ସର୍ବାଧିକ ୨୦ରନ୍ କରିଥିଲେ । ଭାରତ ପକ୍ଷରୁ ପ୍ରେମା ରାୱତ ୧୨ରନ୍ ପ୍ରଦାନ କରି ୩ଟି ଏବଂ ସୋନିଆ ମେଣ୍ଢିଆ ଓ ତନୁଜା କୱଁର ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

ଏହା ବି ପଢନ୍ତୁ...​​​​​​​ସୁପର-୮ ମୁକାବିଲା : ୭୬ ରନରେ ହାରିଲା ଭାରତ