ଜି.ଉଦୟଗିରି,୦୫/୧୨: ଘାଟିରେ ଆଉ ଦୁର୍ଘଟଣା ହେବନି । ବୁଲାଣିଆ ରାସ୍ତାରେ ଗାଡ଼ିକୁ ମିଳିବ ସତର୍କ ସୂଚନା । ବାଜି ଉଠିବ ସାଇରନ୍ । ଜଳି ଉଠିବ ଲାଲ ବତି । ମୁହାଁମୁହିଁ ହେବା ପୂର୍ବରୁ ସାବଧାନ ହୋଇଯିବେ ଗାଡ଼ି ଡ୍ରାଇଭର । ଘାଟି ରାସ୍ତାର ମୋଡ଼ରେ ଏକା ସମୟରେ ଦୁଇ ପାଶ୍ୱର୍ରୁ ଗାଡ଼ି ଆସୁଥିଲେ ଏଭଳି ସତର୍କ ସୂଚନା ମିଳିବ । ଦିନ ହେଉ ଅବା ରାତି, ଅଘଟଣକୁ ଏଡ଼ାଇବ ଭେହିକ୍ଲ ସେନ୍ସର୍ ଆଲର୍ଟ ମେସିନ୍ । ଗଞ୍ଜାମ-କନ୍ଧମାଳ ଜିଲ୍ଲା ସୀମାରେ ଥିବା କଳିଙ୍ଗା ଘାଟିରେ ପରୀକ୍ଷାମୂଳକ ଭାବେ ଏଭଳି ମେସିନ୍ ସ୍ଥାପନ କରାଯାଇଛି, ଯାହା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି । ପାହାଡ଼ିଆ ଘାଟିର ବୁଲାଣି ରାସ୍ତାରେ ଅନେକ ସମୟରେ ଦୁଇ ପାଶ୍ୱର୍ରୁ ଗାଡ଼ିମୋଟର ଯା’ଆସ କରେ । ପରସ୍ପରକୁ ଦେଖିବା ସମ୍ଭବ ହୁଏନି । ବେଗ କମ୍ ଥିଲେ ବି ଟର୍ଣ୍ଣିଂ ନେବା ବେଳେ ମୁହାଁମୁହିଁ ହୋଇ ଦୁର୍ଘଟଣାର ଶିକାର ହୁଏ । ଏଥର ଘାଟିରେ ଏଭଳି ଦୁର୍ଘଟଣା ଏଡ଼ାଇବାକୁ ଆଧୁନିକ ଯନ୍ତ୍ରପାତିର ସାହରା ନେଇଛି ପ୍ରଶାସନ ।
ସୂଚନା ଅନୁସାରେ, କଳିଙ୍ଗା ଘାଟିର ଦୁର୍ଘଟଣାପ୍ରବଣ ସ୍ଥାନରେ ଲଗାଯାଇଛି ଭେହିକ୍ଲ ସେନ୍ସର୍ ଆଲର୍ଟ ମେସିନ୍ । ଭୁବନେଶ୍ୱର ଆଇଆଇଟି ଦ୍ୱାରା ପ୍ରସ୍ତୁତ ହୋଇଛି ଏହି ମେସିନ୍ । ଏହା ଏକ ସୌରଶକ୍ତିଚାଳିତ ଓ ସ୍ୱୟଂକ୍ରିୟ ଯନ୍ତ୍ର, ଯାହା ରାତିରେ ମଧ୍ୟ କାର୍ଯ୍ୟ କରିପାରିବ । ଘାଟିର ଦୁର୍ଘଟଣାପ୍ରବଣ ଅଞ୍ଚଳମାନଙ୍କରେ ଉଭୟ ପାଶ୍ୱର୍ରେ ୪ ଫୁଟ୍ ଉଚ୍ଚତାର ଖୁଣ୍ଟିରେ ଲାଗିଥିବା ଏହି ଯନ୍ତ୍ରରେ ରହିଛି ସେନ୍ସର ଓ କ୍ୟାମେରା । ଗୋଟିଏ ପାଶ୍ୱର୍ରୁ ଗାଡ଼ି ଆସିଲେ ଅନ୍ୟ ପାଶ୍ୱର୍ରେ ନାଲି ବତି ଜଳିବା ସହ ହର୍ଣ୍ଣ ବାଜିବ, ଯାହା ଫଳରେ ଆସୁଥିବା ଅନ୍ୟ ଗାଡ଼ି ଚାଳକ ସତର୍କ ହୋଇଯିବେ । ଗୁରୁବାର ଭୁବନେଶ୍ୱର ଆଇଆଇଟିର ଏକ ଦଳ ଆସି ଏହି ଯନ୍ତ୍ର ବସାଇଛନ୍ତି । ମେସିନ ସ୍ଥାପନ କାର୍ଯ୍ୟରେ ପରିବହନ ଅଧିକାରୀ ଶିବାନୀ ମାଝୀ, ଜି.ଉଦୟଗିରି ଥାନାର ବୁଲୁ ବେହେରା, ଜାତୀୟ ରାଜପଥ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବରରେ କଳିଙ୍ଗା ଘାଟିର ଭୂସ୍ଖଳନ ପରେ ଏକାଧିକ ସ୍ଥାନରେ ସମ୍ପୂର୍ଣ୍ଣ ବା ଆଂଶିକ ଭାବେ ଧୋଇଯାଇଥିବା ରାସ୍ତା ପୁନଃନିର୍ମାଣ ହୋଇ ଯାତାୟାତ ଆରମ୍ଭ ହୋଇଛି । ତଥାପି ଘାଟି ରାସ୍ତାରେ ଯାନବାହନ ଚଳାଚଳଜନିତ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିଲା । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଆଇଆଇଟି ପକ୍ଷରୁ ସ୍ଥାପିତ ଏହି ମେସିନ୍ ନିରାପଦ ଯାତ୍ରା ଆଶା ସଞ୍ଚାର କରିଛି । ଏହି ମେସିନ ଠିକ୍ ଢଙ୍ଗରେ କାମ କଲେ ଆଗାମୀ ଦିନରେ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ସ୍ଥାପନ କରାଯିବ ବୋଲି ଭୁବନେଶ୍ୱର ଆଇଆଇଟି ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଏଭଳି ଉଦ୍ୟମ ଘାଟିରେ ଦୁର୍ଘଟଣା ହ୍ରାସ ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି ।