ନୂଆଦିଲ୍ଲୀ, ୧୦/୦୧ ଏକ  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସୁପ୍ରିମକୋର୍ଟ ୨୫  ବର୍ଷ ହେଲା ଉତ୍ତରାଖଣ୍ଡ ଜେଲରେ ବନ୍ଦୀ  ଥିବା ଜଣେ କଏଦୀକୁ ମୁକ୍ତ କରିଛନ୍ତି । ୩  ଲୋକଙ୍କ ହତ୍ୟା ମାମଲାରେ ସେ ସଜା କାଟୁଥିଲା । ସର୍ବୋଚ୍ଚ ଅଦାଲତ ନିଜର ତଥା ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ବଦଳାଇ ତାକୁ ମୁକ୍ତ କରିବା ଲାଗି ଆଦେଶ ଦେଇଛନ୍ତି । 

ଅଦାଲତ ନିଜ ରାୟରେ କହିଛନ୍ତି,  ତଥ୍ୟ ଓ ପ୍ରମାଣରୁ ଜଣାପଡ଼ିଛି ଯେ ଜେଲରେ ବନ୍ଦ ଥିବା ଓମ୍‌ ପ୍ରକାଶ ୧୯୯୪ରେ ଅପରାଧ ଘଟାଇବା ସମୟରେ ନାବାଳକ ଥିଲା । ତା’ର  ବୟସ ୧୪ ବର୍ଷ ଥିଲା । ବିଚାରପତି ଏମ୍‌ ଏମ୍‌ ସୁନ୍ଦରେଶ ଓ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ ନିଜ ରାୟରେ  କହିଛନ୍ତି, ପ୍ରତ୍ୟେକ ସ୍ତରରେ ଓମ୍‌  ପ୍ରକାଶ ସହ ଅଦାଲତଗୁଡ଼ିକ ଦ୍ୱାରା ଅନ୍ୟାୟ କରାଯାଇଛି ।  ହୁଏତ ଦସ୍ତାବିଜଗୁଡ଼ିକୁ ଅଣଦେଖା କରାଯାଇ ଏହା ହୋଇଥାଇପାରେ ।  ଆବେଦନକାରୀ ନିରକ୍ଷର ହୋଇଥିଲେ ସୁଦ୍ଧା ନ୍ୟାୟ ପାଇବା ପାଇଁ ବାରମ୍ବାର  ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ  ୨୫ ବର୍ଷ ଧରି ଜେଲରେ ବନ୍ଦୀ ଜୀବନ ବିତାଇ ସାରିଥିବାରୁ ତାକୁ ତୁରନ୍ତ ମୁକ୍ତ  କରାଯିବା ଆବଶ୍ୟକ । ଏହାବ୍ୟତୀତ ସୁପ୍ରିମକୋର୍ଟ  ଉତ୍ତରାଖଣ୍ଡ ରାଜ୍ୟ ନ୍ୟାୟିକ ସେବା  ପ୍ରାଧିକରଣକୁ ଓମ୍‌ ପ୍ରକାଶର ଥଇଥାନ ଲାଗି କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କୌଣସି କଲ୍ୟାଣକାରୀ ଯୋଜନାର ଲାଭ ଉଠାଇବାକୁ କହିଛନ୍ତି । 

ଜେଲରୁ ମୁକୁଳିବା  ପରେ ସେ କିଭଳି ସମାଜରେ ସୁଚାରୁ  ରୂପେ ପୁଣି ସମାନ ସୁବିଧାସୁଯୋଗ  ପାଇବ, ତାହା ସୁନିଶ୍ଚିତ ଲାଗି କୁହାଯାଇଛି। ସମ୍ବିଧାନର ଧାରା ୨୧  ଅନୁସାରେ ନିଶ୍ଚିତ ନିଯୁକ୍ତି, ଆଶ୍ରୟ ଓ ଭରଣପୋଷଣ ଲାଗି ତା’ର ଅଧିକାର  ଉପରେ ବିଶେଷ ଗୁରୁତ୍ୱ ଦେବାରେ ସକ୍ରିୟ ଭୂମିକା ନେବାକୁ ପ୍ରାଧିକରଣକୁ  ନିର୍ଦ୍ଦେଶ ଦିଆଯାଇଛି ।

ଉଲ୍ଲେଖ ଯୋଗ୍ୟ , ୧୯୯୪ରେ ଡେରାଡୁନରେ ଜଣେ ପୂର୍ବତନ ସେନା ଅଧିକାରୀ ଓ  ତାଙ୍କ ପରିବାରର ଅନ୍ୟ ଦୁଇଜଣଙ୍କୁ  ହତ୍ୟା ମାମଲାରେ ଓମ୍‌ ପ୍ରକାଶକୁ  ଦୋଷୀ ସାବ୍ୟସ୍ତ କରାଯାଇଥିଲା ।  ତାକୁ ଫାଶୀ ଦଣ୍ଡାଦେଶ ହୋଇଥିଲା ।  ଏହାପରେ ସେ ହାଇକୋର୍ଟ ଓ ପରେ  ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନାବାଳକ  ହୋଇଥିବାରୁ ଦଣ୍ଡ କୋହଳ ପାଇଁ  ଅନୁରୋଧ କରିଥିଲା । କିନ୍ତୁ ତାହା  ଖାରଜ ହୋଇଯାଇଥିଲା । ଏହାପରେ  ରିଟ୍‌ ପିଟିସନ ବି ଖାରଜ ହୋଇଥିଲା ।  ଶେଷରେ ରାଷ୍ଟ୍ରପତିଙ୍କ ନିକଟରେ  ସେ ଗୁହାରି କରିଥିଲା । ୨୦୧୨ରେ  ରାଷ୍ଟ୍ରପତି ତା’ର ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ । ସର୍ତ୍ତ ଲଗାଇଥିଲେ ଯେ ୬୦ ବର୍ଷ ପୂରଣ ନ ହେବା ପର୍ଯ୍ୟନ୍ତ ସେ ଜେଲରୁ ବାହାରି ପାରିବ ନାହିଁ । ସୁପ୍ରିମକୋର୍ଟ ନିଜର ତଥା  ରାଷ୍ଟ୍ରପତିଙ୍କ ଆଦେଶକୁ ବଦଳାଇ ଓମ୍‌  ପ୍ରକାଶକୁ ମୁକ୍ତ କରିଛନ୍ତି ।