ନୂଆଦିଲ୍ଲୀ : ପାକିସ୍ତାନର ଖାଇବର ପଖତୁନଖଓ୍ବାରେ ବର୍ଷା ଏବଂ ବନ୍ୟା ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ବିଭିନ୍ନ ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି। ପାଣିପାଗ ବିଭାଗ ବର୍ତ୍ତମାନ ଆହୁରି ବର୍ଷା ହେବାର ପୂର୍ବାନୁମାନ କରିଛି। ଏହା ବ୍ୟତୀତ, ପାଣିପାଗ ବିଭାଗ ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛି। ବିଭିନ୍ନ ଘଟଣାରେ ୧୪ଟି ଘର କ୍ଷତିଗ୍ରସ୍ତ ହୋଇଛି।
ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ପିଲା ଅଛନ୍ତି...
ଅଧିକାରୀ ମାନେ ମଙ୍ଗଳବାର ଦିନ କହିଛନ୍ତି ଯେ, ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖଓ୍ବାରେ ହଠାତ୍ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଆସି ୟାଇଛି । ବିଭିନ୍ନ ଘଟଣାରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ ଜଣ ପିଲା ଅଛନ୍ତି । ଏଥି ସହ ୧୮ ଜଣ ଆହତ ହୋଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (PDMA) ର ଏକ ରିପୋର୍ଟ ଅନୁଯାୟୀ, ଛାତ ଏବଂ କାନ୍ଥ ଭାଙ୍ଗିଯିବା ଏବଂ ବନ୍ୟାରେ ଲୋକମାନେ ଭାସିଯିବା ଯୋଗୁଁ ଏହି ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ, ୫ ଜଣ ପିଲା ଏବଂ ଜଣେ ମହିଳା ଅଛନ୍ତି। ଆହତଙ୍କ ମଧ୍ୟରେ ୮ ଜଣ ପୁରୁଷ, ୨ ଜଣ ମହିଳା ଏବଂ ୮ ଜଣ ପିଲା ଅଛନ୍ତି।
୧୪ ଘର କ୍ଷତିଗ୍ରସ୍ତ ହୋଇଛି...
ରିପୋର୍ଟ ଅନୁଯାୟୀ, ଏହି ଘଟଣା ଗୁଡ଼ିକ ପେଶାୱର, ଖାଇବର, ମର୍ଦାନ, ବୁନେର, ବାଜୌର, ତାଲ ଚିତ୍ରାଲ, ଆବୋଟାବାଦ, ମାନସେହରା, ତୋରଘର ଏବଂ କୁରମ ଜିଲ୍ଲାରୁ ରିପୋର୍ଟ ହୋଇଛି। PDMA ଅନୁଯାୟୀ, ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଯୋଗୁଁ ମୋଟ ୧୪ଟି ଘର କ୍ଷତିଗ୍ରସ୍ତ ହୋଇଛି। ଗୋଟିଏ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ ଗୁଡ଼ିକ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। PDMA, ରେସକ୍ୟୁ ୧୧୨୨, ଜିଲ୍ଲା ପ୍ରଶାସନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗଗୁଡ଼ିକ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। PDMAର ମହାନିର୍ଦ୍ଦେଶକ ଜିଲ୍ଲା ପ୍ରଶାସନ ଗୁଡ଼ିକୁ ପ୍ରଭାବିତ ପରିବାର ଗୁଡ଼ିକୁ ତୁରନ୍ତ ରିଲିଫ୍ ସାମଗ୍ରୀ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।