ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିରେ ସମ୍ମତି ଜଣାଇଛନ୍ତି । ସେ କହିଛନ୍ତି ଯେ, ଗାଜାରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୦-ସୂତ୍ରୀ ଯୋଜନାକୁ ପାକିସ୍ତାନ ସ୍ୱାଗତ କରୁଛି। ସରିଫ ଏହାକୁ ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ଏବଂ ରାଜନୈତିକ ସ୍ଥିରତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି।  ପାଲେଷ୍ଟାଇନ ଜନତା ଏବଂ ଇସ୍ରାଏଲ ମଧ୍ୟରେ ସ୍ଥାୟୀ ଶାନ୍ତି ସୁନିଶ୍ଚିତ କରିବା ଏହି ଅଞ୍ଚଳରେ ରାଜନୈତିକ ସ୍ଥିରତା ଏବଂ ଆର୍ଥିକ ବିକାଶ ଆଣିବାର ମୂଳଦୁଆ। ସେ ଦୁଇ ରାଷ୍ଟ୍ର ତତ୍ତ୍ୱର କାର୍ଯ୍ୟାନ୍ୱୟନକୁ ମଧ୍ୟ ଅପରିହାର୍ଯ୍ୟ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ସରିଫ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ ବାସ୍ତବରେ ପରିଣତ କରିବା ପାଇଁ ସମସ୍ତ ପ୍ରକାରର ସମର୍ଥନ ଯୋଗାଇବାକୁ ପ୍ରସ୍ତୁତ। ଟ୍ରମ୍ପଙ୍କ ନେତୃତ୍ୱକୁ ପ୍ରଶଂସା କରି ସେ କହିଛନ୍ତି, ଗାଜା ଯୁଦ୍ଧ ସମାପ୍ତ କରିବାରେ ଆମେରିକାର ସ୍ୱତନ୍ତ୍ର ଦୂତ ଷ୍ଟିଭ ୱିଟକଫ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଗାଜା ସଂଘର୍ଷର ଅନ୍ତ ଘଟାଇବା ଏବେ ଏକ ଜରୁରୀ ପ୍ରସଙ୍ଗ। ସେ ଜୋର ଦେଇ କହିଛନ୍ତି ଯେ, ସ୍ଥାୟୀ ଶାନ୍ତି କେବଳ ସେତେବେଳେ ସମ୍ଭବ ହେବ ଯେତେବେଳେ ପାଲେଷ୍ଟାଇନ ଏବଂ ଇସ୍ରାଏଲ ଉଭୟଙ୍କୁ ସମାନ ଭାବରେ ସ୍ୱୀକୃତି ଏବଂ ସୁରକ୍ଷା ଦେବେ।

ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ବୈଠକ ସମୟରେ ଆରବ ଲିଗ୍ ଏବଂ ଓଆଇସି ସଦସ୍ୟ ରାଷ୍ଟ୍ରଗୁଡ଼ିକ ଗାଜାରେ ତୁରନ୍ତ ଯୁଦ୍ଧବିରତି ଏବଂ ପୁନଃନିର୍ମାଣ ପାଇଁ ଆହ୍ୱାନ କରିଥିଲେ। ବୁଧବାର ଦିନ ଜାରି ହୋଇଥିବା ଏକ ମିଳିତ ବିବୃତ୍ତିରେ ଆରବ ଲିଗ୍ ଏବଂ ଓଆଇସି ନେତାମାନେ ଗାଜା ପଟିର ଅସହ୍ୟ ପରିସ୍ଥିତି, ମାନବିକ ବିପର୍ଯ୍ୟୟ, ବ୍ୟାପକ ଜୀବନହାନୀ, ଏହାର ପରିଣାମ ଓ ବିଶ୍ୱ ଉପରେ ପ୍ରଭାବ ଉପରେ ଆଲୋକପାତ କରିଛନ୍ତି। କତାର, ଇଜିପ୍ଟ, ଜୋର୍ଡାନ, ତୁର୍କୀ, ଇଣ୍ଡୋନେସିଆ ଏବଂ ପାକିସ୍ତାନର ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକ ଆମେରିକା ଏବଂ କତାର ଦ୍ୱାରା ମିଳିତ ଭାବରେ ଆୟୋଜିତ ହୋଇଥିଲା। ପାକିସ୍ତାନର ପ୍ରତିନିଧିତ୍ୱ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କରିଥିଲେ ।