ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନରେ ଅଂଶଗ୍ରହଣ କରିବା ପାଇଁ ଦିଲ୍ଲୀ ଆସିଥିବା ଶରଦ ପାୱାର ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଶରଦ ପାୱାରଙ୍କୁ ଖୁବ୍ ଉତ୍ସାହର ସହ ମଧ୍ୟ ସ୍ୱାଗତ କରିଥିଲେ। ଏହି ଅବସରରେ ତାଙ୍କ ସହିତ ସୁପ୍ରିୟା ସୁଲେ ମଧ୍ୟ ଥିଲେ। ହାତରେ କିଛି କାଗଜପତ୍ର ଧରି ପହଞ୍ଚିଥିବା ଶରଦ ପାୱାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି ଚିଠି ମଧ୍ୟ ଦେଇଥିଲେ। ଦୁଇ ନେତାଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା? ସେ ଏପର୍ଯ୍ୟନ୍ତ କିଛି ଜଣାପଡି ନାହିଁ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶରଦ ପାୱାରଙ୍କ ଏହି ଅପ୍ରତ୍ୟାଷିତ ସାକ୍ଷାତ ରାଜନୈତିକ ଦୁନିଆରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଚର୍ଚ୍ଚା ହେଉଛି ଯେ, କ’ଣ ଶରଦ ପାଓ୍ବାରଙ୍କ ଗୋଷ୍ଠୀ ଏନ୍ଡିଏରେ ସାମିଲ ହେବାକୁ ଯାଉଛି କି?
କାରଣ ଗୋଟିଏ ଦିନ ପୂର୍ବରୁ, ଶରଦ ପାୱାର ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନରେ ଯୋଗ ଦେବାକୁ ଯାଇଥିଲେ। ପାୱାର ଶାନ୍ତିପୂର୍ଣ୍ଣ ଭାବରେ ଛାତ୍ର ଆନ୍ଦେଳନ ପ୍ରସଙ୍ଗ ଉଠାଇବା ସହ ସରକାରଙ୍କୁ ପିଲାଙ୍କ ଦାବି ଉପରେ ସମ୍ବେଦନଶୀଳ ଭାବରେ ବିଚାର କରିବାକୁ ଅନୁରୋଧ କରିଥିଲେ। ଗତକାଲିର ଘଟଣା ପରେ ଆଜି ଏହି ସାକ୍ଷାତ ହୋଇଛି। ମୋଦି ଓ ଶରଦ ପାୱାର ପରସ୍ପର ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।
ଛାତ୍ର ରାଜନୀତି ପ୍ରସଙ୍ଗକୁ ଛାଡି ଏହି ସାକ୍ଷାତ ମହାରାଷ୍ଟ୍ର ଓ କେନ୍ଦ୍ର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ବୋଲି କୁହାଯାଉଛି। ମିଡିଆ ରିପୋର୍ଟ ଅନୁସାରେ,ଶରଦ ପାୱାର ଦଳରେ ମୌସୁମୀ ଅଧିବେଶନରେ ମୋଦି ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଓ ବିବାଦୀୟ ସୀମା ନିର୍ଦ୍ଧାରଣ ବିଲ୍କୁ ସମର୍ଥନ କରିପାରନ୍ତି। ଯଦି ଏନସିପିଏ(ଏସ୍) ଏହାକୁ ସମର୍ଥନ କରେ ତେବେ ମୋଦି ସରକାର ଲୋକସଭାରେ ଦୁଇ ତୃତୀୟାଶଂ ବହୁମତ ପାଇବାରେ ସଫଳ ହୋଇଯିବେ।
Rajya Sabha MP Shri @PawarSpeaks Ji and Lok Sabha MP Smt. @supriya_sule Ji called on PM @narendramodi in Parliament earlier today. pic.twitter.com/DwTspUA0th
— PMO India (@PMOIndia) July 22, 2026
ଗତ କିଛି ଦିନ ତଳେ ଏନ୍ସିପି(ଏସସିପି) ନେତା ଜୟନ୍ତ ପାଟିଲ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଭିତରେ ବୈଠକ ହୋଇଥିଲା। ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା ଏନଡିଏ ସହ ମେଣ୍ଟ ହୋଇପାରେ। ତେବେ ସୁପ୍ରିୟା ସୁଲେ ଏନଡିଏରେ ସାମିଲ ହେବାର ଚର୍ଚ୍ଚା ଉପରେ ବିରାମ ଲଗାଇଥିଲେ। ସେ ସ୍ପଷ୍ଟ ଭାବରେ ଏହି କଥାକୁ ମନା କରି ଦେଇଥିଲେ। ସେ କହିଥିଲେ ସେ କିମ୍ବା ଦଳର କୌଣସି ବରିଷ୍ଠ ନେତା ବିଜେପି କିମ୍ବା ଅନ୍ୟ କୌଣସି ଦଳରେ ସାମିଲ ହେବେ ନାହିଁ। ନେତାଙ୍କ ଭିତରେ ହେଉଥିବା ସାକ୍ଷାତ କେବଳ ପ୍ରାଶାସନିକ କାର୍ଯ୍ୟ ପାଇଁ ଥିଲା, କୌଣସି ରାଜନୈତିକ ପୁନଗଠନ ପାଇଁ ନୁହେଁ।