ମୁମ୍ବାଇ,୧୮।୬:  ଉଦ୍ଧବ ଠାକରେଙ୍କ ଶିବସେନା ବା ୟୁବିଟିରେ ପୁଣିଥରେ ବିଭାଜନ ସୁନିଶ୍ଚିତ। ଗୁରୁବାର ପାର୍ଟି ପକ୍ଷରୁ ଡକାଯାଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକରୁ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଛି। ବୈଠକରେ ୯ ସାଂସଦଙ୍କ ମଧ୍ୟରୁ ଯୋଗ ଦେଇଥିଲେ ମାତ୍ର ୩ ଜଣ। ପହଁଞ୍ଚିନଥିଲେ ସଞ୍ଜୟ ଦିନା ପାଟିଲ, ସଞ୍ଜୟ ଦେଶମୁଖ, ନାଗେଶ ପାଟିଲ ଅଷ୍ଟିକର, ଓମରାଜେ ନିମ୍ବଲକର, ଭାଉ ସାହେବ ୱାକୋର ଏବଂ ସଞ୍ଚୟ ଯାଦବ । ଦାବି କରାଯାଉଛି ଯେ, ୬ ଏହି ସାଂସଦ ନିଜର ଅଲଗା ସଂସଦୀୟ ଗୋଷ୍ଠୀ ତିଆରି କରିଛନ୍ତି। ସେମାନେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏ ସମ୍ପର୍କରେ ଏକ ପତ୍ର ମଧ୍ୟ ଦେଇଛନ୍ତି। ତେବେ ଏହା ଦଳ ପାଇଁ ନୂଆ ନୁହେଁ। ୧୯୯୧ ରୁ ନେଇ ୨୦୨୨ ପର୍ଯ୍ୟନ୍ତ ଦଳ ଏଭଳି ଅନେକ ବିଭାଜନ ଦେଖିଛି। ଏବେ ୪ ବର୍ଷରେ ଦ୍ବିତୀୟ ଥର ଉଦ୍ଧବଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟକା।

ଶିବସେନାର ଇତିହାସରେ ବିଦ୍ରୋହ ଏବଂ ବିଭାଜନ କିଛି ନୂଆ ନୁହେଁ। ପ୍ରାୟ ପ୍ରତି ଦଶନ୍ଧିରେ ଦଳ ଭିତରେ ବିଭାଜନ ଦେଖାଯାଇଛି। ମରାଠୀ ମାଟିର ସ୍ଵାଭିମାନ ଓ ହିନ୍ଦୁତ୍ୱକୁ ଆଧାର କରି ୧୯୬୬ ରେ ଗଠନ ହୋଇଥିଲା ଶିବସେନା। ମୁମ୍ବାଇର ସବୁଠାରୁ ପ୍ରଭାବଶାଳୀ ନେତା ବାଲାସାହେବ ଠାକରେ ଥିଲେ ଏହାର ପ୍ରତିଷ୍ଠାତା। ଦୀର୍ଘ ସମୟ ଧରି ଦଳ ଥିଲା ବାଲା ସାହେବ ଠାକରେଙ୍କ ନେତୃତ୍ୱରେ। ଉପରୁ ଆସୁଥିଲା ନିଷ୍ପତ୍ତି ଏବଂ ସଂଗଠନ ଶୃଙ୍ଖଳା ଅନୁସାରେ କାର୍ଯ୍ୟ କରୁଥିଲା। କିନ୍ତୁ ରାଜନୀତି ବଢ଼ିବା ସହିତ, କ୍ଷମତା ପାଇଁ ସୁଯୋଗ ବୃଦ୍ଧି ପାଇଲା, ମହତ୍ତ୍ୱାକାଂକ୍ଷା ମଧ୍ୟ ବୃଦ୍ଧି ପାଇଲା।ଏହା ହିଁ ସୃଷ୍ଟି କଲା ଅସନ୍ତୋଷ ।

ଡିସେମ୍ବର ୧୯୯୧ର କଥା। ଯେତେବେଳେ ପାର୍ଟିର ନେତୃତ୍ବ ଥିଲେ ବାଲ ଠାକରେ। ଶିବସେନା ଭିତରେ ଏକ ବଡ଼ ଫାଟ ଦେଖାଦେଲା। ଛଗନ ଭୁଜବଳ ଶିବସେନାଠାରୁ ଅଲଗା ହୋଇଗଲେ। ଏହି ବିଭାଜନ ଦଳ ପାଇଁ ଏକ ବଡ଼ ଆଘାତ ଥିଲା, କାରଣ ଭୁଜବଳ ଥିଲେ ଜଣେ ପ୍ରଭାବଶାଳୀ ନେତା । ଏହାପରେ ଦ୍ବିତୀୟ ଥର ୨୦୦୫ ରେ ଶିବସେନାରୁ ଅଲଗା ହୋଇଗଲେ ନାରାୟଣ ରାଣେ ।ଏହା ମଧ୍ୟ ଏକ ପ୍ରମୁଖ ମୋଡ଼ ଥିଲା। ରାଣେ ମଧ୍ୟ ଜଣେ ପ୍ରଭାବଶାଳୀ ନେତା ଥିଲେ। ତାଙ୍କର ଅସନ୍ତୋଷ ନେତୃତ୍ୱ ଏବଂ ଭୂମିକା ପ୍ରତି ରହିଥିଲା। ଅଲଗା ହେବା ପରେ, ସେ ଏକ ଭିନ୍ନ ରାଜନୈତିକ ପଥ ବାଛିଲେ। ଏହାଦ୍ବାରା ରାଜନୀତିରେ ଶିବସେନା ଏକ ଶକ୍ତିଶାଳୀ ବ୍ୟକ୍ତିତ୍ୱକୁ ହରାଇଥିଲା। ଦଳ ଭିତରେ ପରିବର୍ତ୍ତନ ହୋଇଥିଲା ଅନେକ ଆଭ୍ୟନ୍ତରୀଣ ସମୀକରଣ।

୨୦୦୬ ରେ ଘଟିଥିଲା ଶିବସେନା ଭିତରେ ସବୁଠାରୁ ଚର୍ଚ୍ଚିତ ବିଭାଜନ । ବାଲାସାହେବ ଠାକରେଙ୍କ ପୁତୁରା ଏବଂ ଆତ୍ମଘୋଷିତ ଉତ୍ତରାଧିକାରୀ ରାଜ ଠାକରେ ଦଳରୁ ଅଲଗା ହୋଇଗଲେ।ଏହାପରେ ସେ ଗଠନ କଲେ ମହାରାଷ୍ଟ୍ର ନବନିର୍ମାଣ ସେନା । ଏହା କେବଳ ବିଭାଜନ ନଥିଲା, ଶିବସେନାର ମରାଠୀ ଭୋଟ ଆଧାର ପାଇଁ ଥିଲା ଏକ ସିଧାସଳଖ ଚ୍ୟାଲେଞ୍ଜ। ସେତେବେଳେ ଜୋର ଧରିଥିଲା। ନେତୃତ୍ୱ ଏବଂ ଉତ୍ତରାଧିକାରୀ ବିଷୟରେ ବିତର୍କ। ମହାରାଷ୍ଟ୍ର ରାଜନୀତିରେ ବୃଦ୍ଧି ପାଇଥିଲା ତ୍ରିକୋଣୀୟ ପ୍ରତିଯୋଗିତା। ଦୁବର୍ଳ ହୋଇଥିଲା ଶିବସେନାର ପାରମ୍ପରିକ ଆଧାର। ଏହି ବିଭାଜନର ପ୍ରଭାବ ଅନେକ ସ୍ତରରେ ପଡ଼ିଥିଲା। କର୍ମୀମାନେ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଅନେକ ସ୍ଥାନରେ ଦଳ ଦୁର୍ବଳ ହୋଇଯାଇଥିଲା। ନିର୍ବାଚନରେ ହ୍ରାସ ପାଇଥିଲା ଭୋଟ୍ ଏବଂ ଆରମ୍ଭ ହୋଇଥିଲା ମେଣ୍ଟ ସୌଦାବାଜିର ଢାଞ୍ଚା। ବୟସ ବୃଦ୍ଧି ଯୋଗୁଁ ବାଲା ସାହେବ ବି ରାଜନୀତିରେ ବିଶେଷ ସକ୍ରିୟ ହୋଇପାରିଳେନି।

ବାଲାସାହେବଙ୍କ ମୃତ୍ୟୁ ପରେ, ଶିବସେନାର ନେତୃତ୍ୱ ଉଦ୍ଧବ ଠାକରେଙ୍କ ପାଖକୁ ଚାଲିଗଲା। ଏହି ପରିବର୍ତ୍ତନ କେବଳ ବ୍ୟକ୍ତିତ୍ୱ ପରିବର୍ତ୍ତନ ନଥିଲା, କାର୍ଯ୍ୟଶୈଳୀରେ ବି ପରିବର୍ତ୍ତନ ଥିଲା। ନୂତନ ପିଢ଼ି, ନୂତନ ଭାଷା ଏବଂ ନୂଆ ମେଣ୍ଟର ବିକଳ୍ପ ଆସିଥିଲା। ଏହାସହ ଆଭ୍ୟନ୍ତରୀଣ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇଲା। କାରଣ କିଛି ନେତା ଅନୁଭବ କଲେ ତାଙ୍କର ଭୂମିକା ହ୍ରାସ ପାଉଛି। ଅନ୍ୟମାନେ ମେଣ୍ଟର ଦିଗକୁ ନାପସନ୍ଦ କଲେ। କାରଣ ବାଲାସାହେବ ସବୁବେଳେ ବିଜେପିକୁ ସମର୍ଥନ କରୁଥିଲେ, କିନ୍ତୁ ଉଦ୍ଧବ ଠାକରେ କଂଗ୍ରେସ-ଏନସିପି ସହିତ ସରକାର ଗଠନ କରିଥିଲେ। ଏହା ଦଳର ପ୍ରତିଛବିକୁ ଯଥେଷ୍ଟ କ୍ଷତି ପହଞ୍ଚାଇଥିଲା।

୨୦୨୨ ରେ ଶିବସେନାରେ ହୋଇଥିଲା ସବୁଠାରୁ ବଡ଼ ଏବଂ ନିର୍ଣ୍ଣାୟକ ବିଭାଜନ । ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଧାୟକଙ୍କ ଏକ ବଡ଼ ଗୋଷ୍ଠୀ ଭାଙ୍ଗିଗଲା। ଏହା ପରେ, ଶିବସେନା ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଗଲା। ଗୋଟିଏ ଗୋଷ୍ଠୀ ଉଦ୍ଧବ ଠାକରେଙ୍କ ସହିତ ରହିଲା, ସେଭଳି ଅନ୍ୟଟି ସିନ୍ଦେଙ୍କ ପକ୍ଷରେ ରଖିଲା। ଏହି ବିଭାଜନ ସଂଗଠନ, ସରକାର ଏବଂ ନିର୍ବାଚନ ଚିହ୍ନକୁ ବି ବଦଳାଇ ଦେଲା। ଉଦ୍ଧବ ଗୋଷ୍ଠୀର ପରିଚୟ ଶିବସେନା-ଉଦ୍ଧବ ବାଲାସାହେବ ଠାକରେ ବା ୟୁବିଟି ହୋଇଗଲା। ସିନ୍ଦେ ଗୋଷ୍ଠୀଙ୍କୁ ଶିବସେନାର ମୂଳ ଚିହ୍ନ ବି ମିଳିଗଲା। ବିଜେପି ସହାୟତାରେ ସିନ୍ଦେ ମହାରାଷ୍ଟ୍ରରେ ଗଠନ କଲେ ସରକାର। ଦୁଇ ଦିନ ପରେ ଦଳ ୬୦ ବର୍ଷରେ ପାଦ ଦେବାକୁ ଯାଉଛି। ପ୍ରତ୍ୟେକ ଦଶକରେ ଯଦିଓ ଦଳ ବହୁ ବିଭାଜନ ଦେଖିସାରିଲଣ ତେବେ ଏହି ଘଟଣା ୨୦୨୨ରେ ହୋଇଥିବା ବିଦ୍ରୋହକୁ ମନେପକାଇ ଦେଇଛି।