ନୂଆଦିଲ୍ଲୀ, ୧୮/୦୬ : ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ଶେଷ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ୧୪ ସୂତ୍ରୀ ବୁଝାମଣାପତ୍ର ସ୍ଵାକ୍ଷରିତ। ଉଭୟ ଦେଶର ରାଷ୍ଟ୍ରପତି ଡିଜିଟାଲ୍ ସ୍ଵାକ୍ଷର କରିଛନ୍ତି। ଯୁଦ୍ଧ ଶେଷ ଓ ହୋର୍ମୁଜ ପ୍ରଣାଳୀ ଖେଲିବା ନେଇ ଏମଓୟୁ ହୋଇଛି। ଇରାନର ପରମାଣୁ ପରୀକ୍ଷଣ ଓ କ୍ରୟ ଉପରେ ରୋକ୍ ଲଗାଯାଇଛି। 

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଇରାନ ରାଷ୍ଟ୍ରପତିଙ୍କ ମଧ୍ୟରେ ପ୍ୟାରିସରେ ପିସ୍ ଡିଲ୍ ସ୍ବାକ୍ଷର ହୋଇଛି। ଫଳରେ ଦୁଇ ଦେଶ ମଧ୍ୟରେ ସାଢେ ୩ ମାସ ହେଲା ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଛେଦ ପଡିଛି। ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ଏବଂ ଇରାନ ଏକ ଅସ୍ଥାୟୀ ଚୁକ୍ତି  ସ୍ୱାକ୍ଷର କରିଛନ୍ତି। ଆଜି ଭାରତୀୟ ସମୟ ସକାଳ ୫ଟାରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଡିଜିଟାଲ୍ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଟ୍ରମ୍ପ ପ୍ୟାରିସର ଭର୍ସେଲ୍ସ ପ୍ୟାଲେସରେ ଚୁକ୍ତିନାମା ସ୍ୱାକ୍ଷର କରୁଥିବାର ଦେଖାଯାଉଛି। ଆସନ୍ତାକାଲି ଜୁନ୍ ୧୯ ତାରିଖରେ ଜେନେଭା ନିକଟସ୍ଥ ଲୁସର୍ଣ୍ଣରେ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଥିଲା, କିନ୍ତୁ ଏହା ଗୋଟିଏ ଦିନ ପୂର୍ବରୁ ଫ୍ରାନ୍ସର ଐତିହାସିକ ଭର୍ସେଲ୍ସ ପ୍ୟାଲେସରେ ସ୍ୱାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ପ୍ୟାରିସ୍ ରେ ରାତ୍ରିଭୋଜନ ଶେଷ କରିବା ପରେ ଏହି ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି।

ବିଦାୟ ନେବା ସମୟରେ ସେ ସାମ୍ବାଦିକମାନଙ୍କୁ କହିଥିଲେ, "ଏହା ସ୍ବାକ୍ଷରିତ ହୋଇସାରିଛି... ମୁଁ ଏହାକୁ ଭର୍ସାଇଠାରେ ସ୍ବାକ୍ଷର କରିଛିି।"  ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କର ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଆମେରିକା ଏବଂ ଇରାନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରୁଥିବାର ଦେଖାଯାଉଛି। ଭିଡିଓରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଟ୍ରମ୍ପଙ୍କ ପଛରେ ଠିଆ ହୋଇଥିବାର ଦେଖାଯାଉଛି। ସିଏନଏନ ଅନୁସାରେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦ୍ୱାରା ଆୟୋଜିତ ରାତ୍ରୀଭୋଜନରେ ଯୋଗ ଦେବା ପୂର୍ବରୁ ଟ୍ରମ୍ପ ଏହି ଦଲିଲରେ ସ୍ୱାକ୍ଷର କରିଛନ୍ତି। ଚୁକ୍ତିନାମାର ହାର୍ଡ କପିରେ ସ୍ବାକ୍ଷର ହେବା ପରେ ଏହାର ଏକ ଫଟୋ ତୁରନ୍ତ ଇରାନ ଏବଂ ମଧ୍ୟସ୍ଥତା କରୁଥିବା ଦେଶଗୁଡ଼ିକୁ ପଠାଯାଇଛି, ଯାହା ଦ୍ବାରା ଏହି ଚୁକ୍ତି ଆନୁଷ୍ଠାନିକ ଭାବେ ତୁରନ୍ତ କାର୍ଯ୍ୟକାରୀ ହୋଇପାରିବ। ଏହି ୧୪-ଦଫା ବିଶିଷ୍ଟ ବୁଝାମଣା ପତ୍ରରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଲେବାନନ୍ ସମେତ ସମସ୍ତ ସମୁଖ ଭାଗରେ ତୁରନ୍ତ ଏବଂ ସ୍ଥାୟୀ ଭାବେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯିବ। ଆଗାମୀ ୬୦ ଦିନ ପାଇଁ ଇରାନ ଏହି ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ଦେଇ ବାଣିଜ୍ୟିକ ଜାହାଜଗୁଡ଼ିକର ବିନା ଶୁଳ୍କରେ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବ। ଏହାର ପ୍ରତିବଦଳରେ ଆମେରିକା ୩୦ ଦିନ ମଧ୍ୟରେ ଇରାନ ବନ୍ଦରଗୁଡ଼ିକ ଉପରୁ ନିଜର ନୌସେନା ଅବରୋଧ ସମ୍ପୂର୍ଣ୍ଣ ଭାବେ ହଟାଇବ ଏବଂ ଇରାନକୁ ଅଶୋଧିତ ତୈଳ ରପ୍ତାନି ପାଇଁ ଅନୁମତି ଦେବ। ସ୍ଥାୟୀ ଚୁକ୍ତିନାମା ଓ ପରମାଣୁ କାର୍ଯ୍ୟକ୍ରମ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ଦୁଇ ଦେଶକୁ ୬୦ ଦିନର ସମୟ ମିଳିଛି।

ଆହୁରି ପଢନ୍ତୁ-G7 Summit: ଜି-୭ରେ ବିଶ୍ୱନେତା, ମାସେ ହେଲା ଧୂମପାନ ଛାଡ଼ିଛି କହିଲେ ମେଲୋନି