କଟକ, ୧୩।୫: ଓଡ଼ିଶାରେ ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ଏବେ ଚିନ୍ତାଜନକ ସ୍ଥିତିରେ । ତଥ୍ୟ କହୁଛି, ବର୍ଷ ୨୦୨୪ ସୁଦ୍ଧା ଅର୍ଥାତ୍ ପ୍ରାୟ ୧୬ ମାସ ପୂର୍ବରୁ ରାଜ୍ୟରେ ୭୦ ହଜାର ଲୋକ ନିଖୋଜ ଥିଲେ । ଏହା ଭିତରେ ଏ ସଂଖ୍ୟା ଆହୁରି ବଢିଥିବ । ଗୁରୁତ୍ୱପୂର୍ଣ୍ଣ ହେଉଛି, ଏଥିରେ କେବଳ ମହିଳା ହେଉଛନ୍ତି ୪୯ ହଜାର । ଖାଲି ସେତିକି ନୁହେଁ, ସମ୍ବେଦନଶୀଳ ଶିଶୁ ନିଖୋଜ ହାର ମଧ୍ୟ ଉଦ୍ବେଗଜନକ ସ୍ଥିତିରେ । ଏହି ସମୟ ମଧ୍ୟରେ ପ୍ରାୟ ୧୦ ହଜାର ଶିଶୁ ନିଖୋଜ ରହିଛନ୍ତି । ଏଭଳି ଚାଞ୍ଚଲ୍ୟକର ତଥ୍ୟ ନାସନାଲ୍ କ୍ରାଇମ୍ ରେକର୍ଡସ ବ୍ୟୁରୋ (ଏନ୍ସିଆର୍ବି) ଜାରି କରିଥିବା ସଦ୍ୟ କ୍ରାଇମ୍ ରିପୋର୍ଟରେ ପ୍ରକାଶ କରିଛି । ରାଜ୍ୟରେ ଏତେ ସଂଖ୍ୟକ ଲୋକ ନିଖୋଜ ରହିବା ଓ ସେମାନଙ୍କ ପତ୍ତା ନ ମିଳିବା ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି । ମିଳିଥିବା ତଥ୍ୟ ଅନୁସାରେ, ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ୩୭ ହଜାର ୯୨୬ ଜଣ ମହିଳା ଓ ୮ହଜାର ୨୫୦ ଜଣ ପୁରୁଷ ନିଖୋଜ ଥିଲେ । ୨୦୨୪ରେ ପୁଣି ୨୧ ହଜାର ୧୮୯ ଜଣ ମହିଳା ଓ ୬ ହଜାର ୬୪୨ ଜଣ ପୁରୁଷ ନିଖୋଜ ହେଲେ । ଅର୍ଥାତ୍ ୨୦୨୪ ଶେଷ ସୁଦ୍ଧା ମୋଟ୍ ନିଖୋଜ ସଂଖ୍ୟା ୭୪ ହଜାର ୯ରେ ପହଞ୍ଚିଥିଲା ।

ଏହି ବର୍ଷରେ ରାଜ୍ୟର ବିଭିନ୍ନ ଥାନା ପକ୍ଷରୁ ହୋଇଥିବା ଉଦ୍ୟମରେ ୧୦ ହଜାର ୫୬୪ ମହିଳା ଓ ୩ ହଜାର ୬୧୭ ଜଣ ପୁରୁଷଙ୍କୁ ଠାବ କରାଗଲା । ତେବେ ଏହା ବାଦ୍ ୪୮ ହଜାର ୫୫୧ ଜଣ ମହିଳା ଓ ୧୧ ହଜାର ୨୭୫ ଜଣ ପୁରୁଷଙ୍କର ପତ୍ତା ମିଳିଲା ନାହିଁ । ଏହି କ୍ରମରେ ଶିଶୁ ବା ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ନିଖୋଜ ହାର ଚିନ୍ତାଜନକ ସ୍ଥିତିରେ ରହିଛି । ୨୦୨୪ ପୂର୍ବରୁ ଅର୍ଥାତ୍ ୨୦୨୩ ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟରେ ୬ ହଜାର ୪୯୭ ଜଣ ଝିଅ ଓ ୭୭୫ ଜଣ ପୁଅ ପିଲା ନିଖୋଜ ଥିଲେ । ବର୍ଷ ୨୦୨୪ରେ ପୁଣି ୫ ହଜାର ୪୨୫ ଜଣ ଝିଅ ଓ ୭୯୮ ଜଣ ପୁଅ ନିଖୋଜ ହୋଇଗଲେ । ଏହି ସମୟ ମଧ୍ୟରେ ପୁଲିସର ଛାନ୍ଭିନ୍ରେ ୩ ହଜାର ୪୬ ଜଣ ଝିଅ ଓ ୫୨୦ ଜଣ ପୁଅଙ୍କୁ ଠାବ କରାଯାଇଥିଲା । ହେଲେ ଏହା ବାଦ୍ ମଧ୍ୟ ୮ ହଜାର ୮୭୬ ଜଣ ଝିଅ ଓ ୧ ହଜାର ୫୩ ଜଣ ପୁଅଙ୍କର କୌଣସି ପତ୍ତା ମିଳିଲାନି ବୋଲି ଏନ୍ସିଆର୍ବି ତାର ରିପୋର୍ଟରେ ପ୍ରକାଶ କରିଛି ।

ରାଜ୍ୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ନାନାଦି ପଦକ୍ଷେପ ନିଆଯାଉଛି । ସବୁ ଥାନାରେ ମହିଳା ଓ ଶିଶୁ ଡେସ୍କ ରଖାଯାଇଛି । ପ୍ରାୟ ସବୁ ଜିଲ୍ଲାରେ ମହିଳା ଥାନା ଅଛି । କ୍ରାଇମ୍ବ୍ରାଞ୍ଚ୍ର ସ୍ୱତନ୍ତ୍ର ମହିଳା ବିରୋଧୀ ଅପରାଧର ତଦନ୍ତ ଶାଖା ମଧ୍ୟ କାର୍ଯ୍ୟ କରୁଛି । ସବୁ ଜିଲ୍ଲା ପୁଲିସ ଓ ଡିସିପିଙ୍କ କାର୍ଯ୍ୟାଳୟରେ ଇଣ୍ଟିଗ୍ରେଟେଡ୍ ହ୍ୟୁମାନ୍ ଟ୍ରାଫିକିଂ ୟୁନିଟ୍(ଇହାତୁ) ବି କାମ କରୁଛି । ରାଜ୍ୟ ପୁଲିସ ଏକାଧିକବାର ନିଖୋଜଙ୍କୁ ଖୋଜି ବାହାର କରିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍ କରୁଛି । ଏତେ ସଂଖ୍ୟକ ନିଖୋଜଙ୍କୁ ଉଦ୍ଧାର କରି ଆଣିଥିବା ତଥ୍ୟ ବଖାଣି ପୁଲିସ ନିଜ ପିଠି ବି ଥାପୁଡ଼ାଉଛି । ହେଲେ ରାଜ୍ୟରେ ୫୯ ହଜାର ମହିଳା ଓ ଶିଶୁ ନିଖୋଜ ରହିବା ଘଟଣା ରାଜ୍ୟ ପୁଲିସର ସମ୍ବେଦନଶୀଳତା ଓ ପାରଙ୍ଗମତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।

ଆହୁରି ପଢ଼ନ୍ତୁ... Heatwave Alert: ବଢ଼ିବ ତାତି, ପିଟିବ ଝାଞ୍ଜି : ୧୬ ତାରିଖ ବେଳକୁ ୪୧ ଡିଗ୍ରୀ ଛୁଇଁପାରେ ପାରଦ