ପୁଣେ: ପୁଣେର କୋନ୍ଧୱା ଅଞ୍ଚଳରେ ଘଟିଥିବା ଦୁଷ୍କର୍ମ ମାମଲାରେ ହୋଇଥିବା ତଦନ୍ତରେ ପୁଲିସକୁ ସାଙ୍ଘାତିକ ତଥ୍ୟ ମିଳିଛି।  ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଜଣେ କୋରିଅର ଡେଲିଭରି ଏଜେଣ୍ଟ ଭାବେ ନିଜକୁ ପରିଚୟ ଦେଇ ପୀଡ଼ିତାଙ୍କ ଘରେ ଜବରଦସ୍ତ ପ୍ରବେଶ କରିନଥିଲେ। ଏହା ସହିତ, ପୀଡ଼ିତାଙ୍କ ଫୋନରେ ଥିବା ଏକ ସେଲଫି ଏବଂ ଧମକପୂର୍ଣ୍ଣ ମେସେଜ୍ ପୀଡ଼ିତା ନିଜେ ତିଆରି କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଘଟଣାଟି ବୁଧବାର ସନ୍ଧ୍ୟା ୭ଟା ୩୦ ସମୟରେ ପୁଣେର ଏକ ପୋଶ୍ ଆବାସିକ ସୋସାଇଟିରେ ଘଟିଥିଲା। ଯେଉଁଠି ଜଣେ ୨୨ ବର୍ଷୀୟ ଆଇଟି ପ୍ରୋଫେସନାଲ ମହିଳା ଅଭିଯୋଗ କରିଥିଲେ ଯେ, ଅଭିଯୁକ୍ତ କୋରିଅର ଡେଲିଭରି ଏଜେଣ୍ଟ ଭାବେ ନିଜକୁ ପରିଚୟ ଦେଇ ତାଙ୍କ ଫ୍ଲାଟରେ ପ୍ରବେଶ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଅଭିଯୋଗ ଅନୁସାରେ, ଅଭିଯୁକ୍ତ ତାଙ୍କ ଉପରେ ରାସାୟନିକ ପଦାର୍ଥ ସ୍ପ୍ରେ କରି ପ୍ରଥମେ ଅଚେତ କରିଥିଲେ ଏବଂ ଏକ ସେଲଫି ନେଇ ଧମକପୂର୍ଣ୍ଣ ମେସେଜ୍ ଲେଖିଥିଲେ। ଯେଉଁଥିରେ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦିଆଯାଇଥିଲା ବୋଲି ମହିଳା ଜଣକ ଅଭିଯୋଗ ଆଣିଛନ୍ତି।

ଶୁକ୍ରବାର ପୁଲିସ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ହେପାଜତରେ ନେବା ପରେ ପୁଲିସ ତଦନ୍ତରେ ଜଣାପଡ଼ିଛି ଯେ, ଅଭିଯୁକ୍ତ କୌଣସି କୋରିଅର ଏଜେଣ୍ଟ ନୁହନ୍ତି। ବରଂ ପୀଡ଼ିତାଙ୍କର ପୂର୍ବ ପରିଚିତ ଏବଂ ଦୁହେଁ ଗତ ଏକ ବର୍ଷ ଧରି ସମ୍ପର୍କରେ ଥିଲେ। ପୁଣେ ପୁଲିସ କମିଶନର ଅମିତେଶ କୁମାରଙ୍କ କହିବା ଅନୁସାରେ, ଅଭିଯୁକ୍ତଙ୍କ ପ୍ରବେଶ ଜବରଦସ୍ତ ନଥିଲା ଏବଂ ସେଲଫିଟି ପୀଡ଼ିତାଙ୍କ ସହମତିରେ ନିଆଯାଇଥିଲା। ଧମକପୂର୍ଣ୍ଣ ମେସେଜ୍ ମଧ୍ୟ ପୀଡ଼ିତା ନିଜେ ଲେଖିଥିବା ଜଣାପଡ଼ିଛି। ପୁଲିସ ଆହୁରି ମଧ୍ୟ ଜଣାଇଛି ଯେ, କୌଣସି ରାସାୟନିକ ପଦାର୍ଥ ସ୍ପ୍ରେ କରାଯାଇନଥିଲା।

କମିଶନର କୁମାର କହିଛନ୍ତି ଯେ, "ଆମେ ତଦନ୍ତ ଜାରି ରଖିଛୁ, କାରଣ ପୀଡ଼ିତାଙ୍କ ମାନସିକ ସ୍ଥିତି ସଠିକ୍ ନାହିଁ ଏବଂ ସେ କାହିଁକି ଏପରି ଅଭିଯୋଗ କରିଥିଲେ, ତାହା ନେଇ ମଧ୍ୟ ତଦନ୍ତ ଜାରି ରହିଛି।" ଅଭିଯୁକ୍ତ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ବୋଲି ଜଣାପଡ଼ିଛି।

ପୁଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୬୪ (ଦୁଷ୍କର୍ମ), ୭୭ (ଭୟେଜରିଜମ୍), ଓ ୩୫୧(୨) (ଅପରାଧିକ ଭୟଭୀତ କରାଇବା) ଅନୁସାରେ ମାମଲା ରୁଜୁ କରିଛି। ୧୦ଟି ସ୍ୱତନ୍ତ୍ର ଟିମ୍ ଏହି ମାମଲାର ତଦନ୍ତରେ ନିୟୋଜିତ ଅଛନ୍ତି ବୋଲି କମିଶନ ପୁଲିସ ସୂଚନା ପ୍ରଦାନ କରିଛି। ତେବେ ତଦନ୍ତ ଶେଷ ହେବା ପରେ ମାମଲାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।