ନୂଆଦିଲ୍ଲୀ,୨୦।୧୦:  ନିରାଶ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ। କଥା ଦେଇ କଥା ରଖିଲେନି। ଶେଷରେ ୟୁକ୍ରେନ୍‌କୁ ହେବାକୁ ପଡିଛି ନିରାଶ। ହ୍ବାଇଟ ହାଉସ୍‌ରୁ ଖାଲି ହାତରେ ଫେରିଲେ ଜେଲେନସ୍କି । ଅସ୍ତ୍ରଶସ୍ତ୍ର ଓ ସାହାଯ୍ୟ ପାଇବା ଆଶାରେ ଯାଇଥିଲେ, ହେଲେ ଘଟିଲା ଓଲଟା। ଟ୍ରମ୍ପ କହିଲେ ପୁଟିନ୍ ଯାହା କହୁଛନ୍ତି ତାକୁ ମାନି ନିଅ। ନଚେତ ପୁରା ଦେଶ ଧ୍ବଂସ ହୋଇଯିବ। ରୁଷକୁ ସମଗ୍ର ପୂର୍ବ ଡୋନବାସ୍‌ ଦେଇଦିଅ। ଏପରିକି ଆଲୋଚନା ବେଳେ ୟୁକ୍ରେନ୍ ସେନାର ନକ୍ସାକୁ ବି ଫୋପାଡି ଦେଇଥିଲେ ଟ୍ରମ୍ପ।

କେବଳ ସେତିକି ନୁହେଁ, ଅସ୍ତ୍ରଶସ୍ତ୍ର ଯୋଗାଣ  ମାମଲାରେ ମଧ୍ୟ ୟୁକ୍ରେନକୁ ଆମେରିକା ଦେଇଛି ବଡ଼ ଝଟକା। ରୁଷ ବିରୁଦ୍ଧରେ ଲଢ଼ିବା ପାଇଁ ଜେଲେନସ୍କି ଆମେରିକା ରାଷ୍ଟ୍ରପତିଙ୍କୁ ଲମ୍ବା ଦୂରଗାମୀ କ୍ରୁଜ ମିସାଇଲ ‘ଟମହକ୍’ ମାଗିଥିଲେ। ଏଥିରେ ଟ୍ରମ୍ପ୍ ସଙ୍କୋଚ ପ୍ରକାଶ କରିଥିଲେ। ଟ୍ରମ୍ପ୍ କହିଥିଲେ, ମୁଁ ଆଶା କରୁଛି ଯେ ୟୁକ୍ରେନକୁ କେବେ ‘ଟମହକ୍’ର ଆବଶ୍ୟକ ନ ହେଉ।  ଜେଲେନସ୍କି ‘ଟମହକ୍’ ବଦଳରେ ହଜାର ହଜାର ୟୁକ୍ରେନିୟ ନିର୍ମିତ ଡ୍ରୋନ୍ ଯୋଗାଇବା ପାଇଁ ଏକ ଚୁକ୍ତି ପ୍ରସ୍ତାବ ଦେଇଥିଲେ। ଏଥିରେ ଟ୍ରମ୍ପ୍ ସହମତ ହୋଇଥିଲେ, କିନ୍ତୁ ସେ ଏହା ମଧ୍ୟ କହିଥିଲେ ଯେ ୟୁକ୍ରେନକୁ ଦୂରଗାମୀ ଅସ୍ତ୍ରଶସ୍ତ୍ର ଯୋଗାଇବା ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିବ। ଯୁଦ୍ଧ ଅପେକ୍ଷା ଶାନ୍ତି ଆଲୋଚନା ଉପରେ ଅଧିକ ଜୋର ଦେଇଥିଲା ଆମେରିକା।

ଏପରିକି ଟ୍ରମ୍ପ ଓ ଜେଲେନସ୍କିଙ୍କ ରୁଦ୍ଧଦ୍ବାର ବୈଠକରେ ଦେଖିବାକୁ ମିଳିଥିଲା ବିବାଦ। ଜେଲେନସ୍କି ଦେଇଥିବା ଯୁଦ୍ଧଭୂମିର ନକ୍ସାକୁ ମଧ୍ୟ ଫୋପାଡି ଦେଇଥିଲେ ଟ୍ରମ୍ପ। ଦୁଇ ନେତାଙ୍କ ଭିତରେ ଘଟିଥିବା ଏହି ବିବାଦୀୟ ବୈଠକ ସମ୍ପର୍କରେ ଜଣେ ୟୁରୋପୀୟ ଅଧିକାରୀ ସୂଚନା ଦେଇଛନ୍ତି। ବୈଠକ ସମୟରେ ଜେଲେନସ୍କି ଓ ୟୁକ୍ରେନୀୟ ଅଧିକାରୀଙ୍କ ଉପରେ ରାଗିକି ବର୍ଷିଥିଲେ ଟ୍ରମ୍ପ। ଏହା ସହ ଦୁଇ ନେତାଙ୍କ ଭିତରେ ପୁଣିଥରେ ବୈଠକରେ ଦେଖିବାକୁ ମିଳିଥିଲା ଜୋରଦାର ଯୁକ୍ତିତର୍କ। ପୁଟିନ୍‌ ଏହି ବୈଠକର ଦିନକ ପୂର୍ବରୁ ଅର୍ଥାତ ୧୬ ଅକ୍ଟୋବରରେ ଟ୍ରମ୍ପଙ୍କୁ ଫୋନ୍ କରିଥିଲେ। ସେ କହିଥିଲେ ତାଙ୍କୁ ଡୋନବାସ୍‌ ଫେରାଇ ଦିଆଯାଉ। ଯଦି ୟୁକ୍ରେନ ଡୋନବାସ୍ ଦିଏ ତେବେ ତା ବଦଳରେ ଖେରସାନ୍ ଓ ଜାପୋରିଝାଜିୟାର କିଛି ଅଂଶ ଫେରାଇ ଦେବ। ଏହା ପୂର୍ବରୁ ପୁଟିନ୍ ଏହି ୩ ଟି ସ୍ଥାନକୁ କବଜା କରିବାକୁ ଚାହୁଁଥିଲେ। ବୈଠକ ପୂର୍ବରୁ ଟ୍ରମ୍ପ   ମିଡିଆକୁ କହିଥିଲେ ଖୁବ୍ ଶୀଘ୍ର ଯୁଦ୍ଧ ସରିବ। ଆସନ୍ତା ସପ୍ତାହ ବୁଡାପେଷ୍ଟରେ ହେବାକୁ ଥିବା ସମ୍ମିଳନୀରେ ‘ଡବଲ ମିଟିଂ’ ହେବ। କିନ୍ତୁ ସେଠାରେ ପୁଟିନ୍‌ ଓ ଜେଲେନେସ୍କିଙ୍କୁ ଅଲଗା ଅଲଗା ଭାବରେ ଭେଟିବେ, କାରଣ ଦୁଇ ରାଷ୍ଟ୍ରପତି ସିଧାସଳଖ ସାକ୍ଷାତ କରିବେନି। ଏହା ସହ ଟ୍ରମ୍ପ ରୁଷ-ୟୁକ୍ରେନ୍ ଯୁଦ୍ଧରେ ନିଜକୁ ମଧ୍ୟସ୍ଥି ବୋଲି କହିଛନ୍ତ। ସେ କହିଛନ୍ତି, ପୁଟିନ୍ ଏବଂ ଜେଲେନସ୍କି ପରସ୍ପରକୁ ପସନ୍ଦ କରନ୍ତି ନାହିଁ। ଏଭଳି ସ୍ଥିତିରେ ସେ ସବୁକିଛି ଠିକ୍ କରିବାକୁ ଚାହାଁନ୍ତି।