ପୁରୀ, ୨୦/୦୭: ମହାଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ମହାପ୍ରଭୁ ରଥଯାତ୍ରାରେ ଆସିଛନ୍ତି । ପ୍ରାଣନାଥଙ୍କ ଏଭଳି କାର୍ଯ୍ୟରେ ପ୍ରଚଣ୍ଡ ଅଭିମାନ କରିଛନ୍ତି ପ୍ରାଣପ୍ରିୟା । ରାଗ ରୋଷରେ ଗୁଣ୍ଡିଚାଘର ସମ୍ମୁଖରେ ବିଜେ ହେବେ ଲକ୍ଷ୍ମୀ ଠାକୁରାଣୀ । ଆଗେ ନନ୍ଦିଘୋଷ ରଥ ଭାଙ୍ଗିବେ । ପରେ ଜଗମୋହନରେ ଠାକୁରାଣୀ ବିଜେ ହୋଇ ଆଜ୍ଞାମାଳ ଲାଗି ନୀତି ହେବ । ଶେଷରେ ହେରାଗୌରୀ ସାହି ଦେଇ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡ଼ିବେ ।

ବଡ଼ଦେଉଳ ପରମ୍ପରା ଅନୁସାରେ ସୋମବାର ହେରାପଞ୍ଚମୀରେ ଅନୁଷ୍ଠିତ ଏହି ଦେବ ନୀତି । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ରାତି ସାଢ଼େ ୯ଟାରେ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିଜେ ହୋଇ ରଥ ନିକଟ ନୀତି ସାରି ଗୁଣ୍ଡିଚାଘର ଜଗମୋହନକୁ ବିଜେ କରିବେ ବୋଲି ଆପାତତଃ ସୂଚନା ଦିଆଯାଇଛି ।

ଅଧିକ ପଢ଼ନ୍ତୁ :-  Weather Forecast: ଆଗକୁ ଆସୁଛି ବଡ଼ ବର୍ଷା, ୨୨ ତାରିଖରେ ଘୂର୍ଣ୍ଣିବଳୟ, ୨୩ରୁ ରାଜ୍ୟରେ ପ୍ରବଳ ଛେଚିବ

ରବିବାର ସକାଳେ ଜନ୍ମବେଦିରେ ମହାପ୍ରଭୁଙ୍କ ଅଧରପୋଛା ନୀତି ଓ ରାତିରେ ବନକଲାଗି ନୀତି ଅନୁଷ୍ଠିତ ହୋଇଛି । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର ସେବା କରିଛନ୍ତି । ଆଜି ମଙ୍ଗଳ ଆଳତି ସରିବା ପରେ ମଇଲମ, ତଡ଼ପଲାଗି ଓ ଅବକାଶ ପୂଜା ଠା ବଢ଼ି ଅଧରପୋଛା ନୀତି ଅନୁଷ୍ଠିତ ହୋଇଥିଲା । ଦତ୍ତମହାପାତ୍ରମାନେ ୧୧ଟା୪୦ମିନିଟରୁ ୧୨ଟା ମଧ୍ୟରେ ଅଧରପୋଛା ନୀତି ସମ୍ପନ୍ନ କରିଥିଲେ । ଦତ୍ତମହାପାତ୍ର ସେବକମାନେ ରୁପା ପିଙ୍ଗଣରେ କର୍ପୂର  ଜଳ ନେଇ ସିଂହାସନକୁ ଯାଇଥିଲେ । ପ୍ରଥମେ ବଡ଼ଠାକୁରେ ପରେ ମହାପ୍ରଭୁ ଓ ଦେବୀ ସୁଭଦ୍ରାଙ୍କ ଅଧର ପୋଛା ନୀତି ସମ୍ପନ୍ନ ହୋଇଥିଲା । ଖାଦ୍ୟ ଗ୍ରହଣ ପୂର୍ବରୁ ମୁହଁ ପୋଛିବା ହେଉଛି ବିଧି ।

ଏଣୁ ଠାକୁରଙ୍କ ଏହା ମାନବୀୟ ଲୀଳା ବୋଲି କୁହନ୍ତି । କର୍ପୂର ଜଳରେ ଶ୍ରୀମୁଖ ପୋଛା ପରେ ଯାତ୍ରାର କ୍ଲାନ୍ତି ଉଭେଇ ଶାନ୍ତି ଅନୁଭବ କରନ୍ତି ଠାକୁରେ । ଆଗେ ପ୍ରତି ରବିବାର ଠାକୁରଙ୍କ ଅଧରପୋଛା ନୀତି ହେଉଥିଲା । ଏବେ ପ୍ରାୟତଃ ଯାତ୍ରାକାଳୀନ ସେବାରେ ଏହି ବିଶେଷ ନୀତି ହେଉଥିବା ଜଣାଯାଏ । ଅନେକ ମଧ୍ୟ କୁହନ୍ତି ଠାକୁରେ ଯାତ୍ରା କରି ଆସିଥିବାରେ ନିର୍ମଳତା ପାଇଁ ତଥା ଝାଳ ପୋଛିବା ପାଇଁ ଅଧରପୋଛା ନୀତି ହେଉଛି ।

୨ୟ ଭୋଗମଣ୍ଡପ ପରେ ରାତିରେ ଠାକୁରଙ୍କ ବନକଲାଗି ପାଇଁ ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରିଥିଲେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କପୂ ର୍ର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯାଇଥିଲା । ଠାକୁରେ ତିନି ଦିନ କାଳ ଯାତ୍ରାରେ ରହିଥିବାରେ ଶ୍ରୀଅଙ୍ଗକୁ ଗଭୀର ବାଧା ପହଞ୍ଚିଛି । ଶ୍ରୀମୁଖ ଦର୍ଶନରେ ଏହା ସ୍ପଷ୍ଟ ବାରି ହେଉଛି । ଏଣୁ ଗୁଣ୍ଡିଚାଘରେ ହେଉଥିବା ବନକଲାଗି ହେଉଛି ବଡ଼ ବନକଲାଗି । ଅର୍ଥାତ୍ ଅଧିକ ସମୟ ଲାଗି ଶ୍ରୀମୁଖ ସିଂହାର ଅନୁଷ୍ଠିତ ହୋଇଥାଏ