ପୁରୀ,୨୧/୦୭: ସାରା ଜଗତର ମାଲିକାଣୀଙ୍କ ପାଇଁ ଭଲ ପଲଙ୍କଟିଏ ନାହିଁ । ଭଙ୍ଗା ପଲଙ୍କରେ ଶୋଉଛନ୍ତି ମହାଲକ୍ଷ୍ମୀ । ସିଂହାସନରେ ଅଧିଷ୍ଠିତା ହୋଇ ଦଦରା କିରୀଟ ଲାଗି ହେଉଛନ୍ତି । ପୁରୁଣା ତଥା ଭଙ୍ଗା କିରୀଟକୁ ସେବକମାନେ  ବାରବାର ମରାମତି କରି ଠାକୁରାଣୀଙ୍କୁ  ପିନ୍ଧାଉଛନ୍ତି । ପ୍ରଶାସନ ଠାକୁରାଣୀଙ୍କ ଗଜଦନ୍ତ  ପଲଙ୍କ ନେଇ କାଠ ପଲଙ୍କଟିଏ ଦେଇଥିଲା । ଏବେ ତାହା ପୁରୁଣା ହୋଇ ଭାଙ୍ଗିଗଲାଣି । କିଛି ବର୍ଷ ପୂର୍ବେ ଠାକୁରାଣୀଙ୍କ ଭଣ୍ଡାରରୁ ୮୦୦  ଗ୍ରାମ ସୁନା ନେଇଥିଲା ପ୍ରଶାସନ । ଗଜଦନ୍ତ ପଲଙ୍କ ମଧ୍ୟ ନେଇଯାଇଛି । ଠାକୁରାଣୀଙ୍କ ଭଙ୍ଗା କିରୀଟ ଓ ପଲଙ୍କର ସ୍ଥିତି ବାବଦରେ ବହୁବାର ଜଣାଯାଇଛି । ହେଲେ ମହାଲକ୍ଷ୍ମୀଙ୍କ ନୂତନ କିରୀଟ କିମ୍ବା ପଲଙ୍କ ଦେଉ ନାହିଁ ପ୍ରଶାସନ । ଏହିଭଳି ଶ୍ରୀମନ୍ଦିରରେ ଲକ୍ଷ୍ମୀଙ୍କ ମନ୍ଦିରକୁ ବର୍ଷ ବର୍ଷ ହେଲା ଘୋର ଅବହେଳା କରାଯାଉଥିବା ଖୋଦ୍‌ ମା’ଙ୍କ ସେବକମାନେ ଅଭିଯୋଗ  କରିଛନ୍ତି ।

ଶ୍ରୀମନ୍ଦିର ଭିତରେ ଶ୍ରୀପୂର୍ଣ୍ଣ ଦେବସ୍ଥଳୀ ଶ୍ରୀହୀନ ଦେଖାଗଲା । ବଡ଼ଦେଉଳ ବାହାର ଚକ୍‌ଚକ୍‌ କରି ମୁଖ୍ୟ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଅବହେଳିତ ସ୍ଥିତିରେ ଛାଡ଼ିଛନ୍ତି । ମା’ଙ୍କ ମନ୍ଦିର ଭିତର ପ୍ରତ୍ନତତ୍ତ୍ୱ ବିଭାଗ ପ୍ଲାଷ୍ଟର  ଛଡ଼ାଇଛି । କରୋନା ସମୟରେ ଛଡ଼ାଯାଇଥିଲା । ୫  ବର୍ଷ ବିତିଲା ହେଲେ ନୂଆ କାର୍ଯ୍ୟ କଲେନି । ମନ୍ଦିରରେ  ଥିବା ଅନେକ ମହତ୍ତ୍ୱପୂର୍ଣ୍ଣ ଚିତ୍ର ହଜିଗଲାଣି ଯାହାର  ଯଥେଷ୍ଟ ଆଧ୍ୟାତ୍ମିକ ମହତ୍ତ୍ୱ ରହିଥିଲା । ଜଗମୋହନ  କାନ୍ଥର ରକ୍ଷଣାବେଷଣ ଅଭାବରୁ ଅଧିକାଂଶ ଚିତ୍ର  ଖରାପ ହୋଇଗଲାଣି । ପ୍ରତିଦିନ ହଜାର ହଜାର  ଭକ୍ତ ମା’ଙ୍କ କୃପା ଲାଭ କରିବାକୁ ମନ୍ଦିରକୁ ଆସି  ମହାଲକ୍ଷ୍ମୀଙ୍କୁ ଦର୍ଶନ କରୁଛନ୍ତି । ମନ୍ଦିରରେ ପଡ଼ିଥିବା  ମାର୍ବଲ ପଥର ବିଭିନ୍ନ ସ୍ଥାନରେ ଭାଙ୍ଗିବାରେ ଖଣ୍ଡିଆ  ପଥର ବାଜି ଶ୍ରଦ୍ଧାଳୁମାନେ କ୍ଷତାକ୍ତ ହେଉଛନ୍ତି । ଶ୍ରୀମନ୍ଦିର  ପରିଚାଳନାକାରୀ ହୁଏତ ନିଜ ଦାୟିତ୍ୱ ଲୁଚାଇବାକୁ  ଏଭଳି ଅଭିଯୋଗକୁ ଟାଳି ଦେବେ । ଠାକୁରାଣୀଙ୍କ  ପ୍ରତି ହେଉଥିବା ଅବହେଳା ସାଧାରଣ ଭକ୍ତ ହୁଏତ  ଜାଣୁନାହାନ୍ତି । ହେଲେ ଠାକୁରାଣୀଙ୍କ ଦୈନନ୍ଦିନ ସେବା  କରୁଥିବା ସେବକମାନେ ମା’ଙ୍କ ପ୍ରତି ହେଉଥିବା  ଅଣଦେଖାକୁ କିପରି ସହିଯିବେ!

ଅଧିକ ପଢ଼ନ୍ତୁ :-  Low Pressure Alert: ୨୨ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପ ସମ୍ଭାବନା, ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ

ପାଳିଆ ସେବକ କୁହନ୍ତି, ମହାପ୍ରଭୁଙ୍କ ପଲଙ୍କ ଭଳି  ମହାଲକ୍ଷ୍ମୀଙ୍କ ପଲଙ୍କରେ ମଧ୍ୟ ଗଜଦନ୍ତ ଲାଗିଥିଲା । ଉକ୍ତ  ପଲଙ୍କଙ୍କୁ ପ୍ରଶାସନ ନେଇ ମା’ଙ୍କ ପାଇଁ ଏକ ସାଦା  ପଲଙ୍କ ଦେଇଥିଲେ । ବର୍ଷ ବର୍ଷ ହେଲା ଠାକୁରାଣୀ ଉକ୍ତ  ପଲଙ୍କରେ ଶୟନ କରିବା ପରେ ଅନେକ ଦିନରୁ ସେହି  ପଲଙ୍କ ମଧ୍ୟ ଖରାପ ହେଲାଣି । ଏବେ ଠାକୁରାଣୀ ଭଙ୍ଗା  ପଲଙ୍କରେ ଶୋଉଛନ୍ତି । ମା’ଙ୍କ ଏକମାତ୍ର ସୁବର୍ଣ୍ଣ କିରୀଟ  ଭାଙ୍ଗି ଯାଇଛି । ସେବକମାନେ ସେଥିରେ ଓଷ (ଝୁଣାର  ମିଶ୍ରଣ) ଲଗାଇ ବାରବାର ମରାମତି କରୁଛନ୍ତି । ସେହି  ମରାମତି କିରୀଟ ଠାକୁରାଣୀଙ୍କୁ ପିନ୍ଧାଉଛନ୍ତି । ଏନେଇ  ପ୍ରଶାସନକୁ ବାରବାର ଜଣାଗଲେ ମଧ୍ୟ ଏହାର କୌଣସି  ପ୍ରତିକାର କରାଯାଉନାହିଁ । କିଛି ବର୍ଷ ପୂର୍ବେ ମା’ଙ୍କ  ଭଣ୍ଡାରରୁ ୮ ଶହ ଗ୍ରାମ୍‌ର ସୁନା ପ୍ରଶାସନ ନେଇଛନ୍ତି ।  ଏଥିରେ ନାହିଁ ମା’ଙ୍କ ଗହଣା କରି ଦେଉଛନ୍ତି କିମ୍ବା  ସୁନା ଫେରାଉଛନ୍ତି । ଏହା ସମ୍ଭବ ହେଲେ ଆମେ  ହୁଏତ ଏଥିରେ ନୂତନ କିରୀଟ କରନ୍ତୁ ।  ଏନେଇ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ଉପମୁଖ୍ୟମନ୍ତ୍ରୀ,  ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଜଣାଇଛୁ । ହେଲେ ମହାଲକ୍ଷ୍ମୀ  ମନ୍ଦିରର ସମସ୍ୟା ଟଳିଲା ଭଳି କୌଣସି ପଦକ୍ଷେପ ଏପର୍ଯ୍ୟନ୍ତ ନିଆଯାଉନି ।

ଶ୍ରୀମହାଲକ୍ଷ୍ମୀ ମନ୍ଦିର ପାଳିଆ ସେବାୟତ ନିଯୋଗର କୋଷାଧ୍ୟକ୍ଷ ଋତୁରାଜ  ପଣ୍ଡା କୁହନ୍ତି, ମହାପ୍ରଭୁଙ୍କ ନୀତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ମହାଲକ୍ଷ୍ମୀଙ୍କ ନୀତି ।  ଠାକୁରାଣୀଙ୍କ ଅବହେଳା ଏବେ ସୀମା ପାର କଲାଣି । ଠାକୁରାଣୀଙ୍କ ସୁବର୍ଣ୍ଣ କିରୀଟ  ନଷ୍ଟ ହେଲାଣି । ନୂଆ କିରୀଟ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ବହୁବାର ନିବେଦନ  କଲୁଣି । କେହି ଶୁଣୁନାହାନ୍ତି । ଠାକୁରାଣୀଙ୍କ ପଲଙ୍କ ସ୍ଥିତି ଶୋଚନୀୟ । ସରକାରରେ  ଥିବା ବାବୁମାନେ ସବୁ ଶୁଣି କିଛି କରୁନାହାନ୍ତି । ସରକାରଙ୍କ ଏ ଦଳ ଯାଇ ସେ  ଦଳ ଆସିଲା କ୍ଷମତାକୁ । ହେଲେ ମା’ଙ୍କ ପ୍ରତି ଅବହେଳା ଥମୁନି । ନୂଆ କମିଟି ଆସିଲେ ସବୁ କରିବେ କହିଲେ । ବର୍ଷ ପରେ ବର୍ଷ ବିତିଯାଉଛି ମା’ଙ୍କ କଥା  କେହି ବୁଝିନାହାନ୍ତି । ମା’ଙ୍କ ଭଣ୍ଡାରରୁ ୮୦୦ ଗ୍ରାମ ସୁନା ନେଇ ନୂଆ ଅଳଙ୍କାର  କରି ଠାକୁରାଣୀଙ୍କୁ ଦେବେ କହିଥିଲେ । ବର୍ଷ ବର୍ଷ ବିତିଯାଉଛି ତାହା ସମ୍ଭବ ହେଉ  ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀ ପଣ୍ଡା । ମା’ର ଆଉ କିଛି ବିଧିବିଧାନରେ  ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ତଥା ଜଗତର ମାଲିକାଣୀ  ମହାଲକ୍ଷ୍ମୀଙ୍କ ପ୍ରତି ଅବହେଳା କରାଯିବା କୋଟି କୋଟି ହିନ୍ଦୁଙ୍କ ଭାବନା ସହ ଖେଳ  ଚାଲିଥିବା ସମାଲୋଚନା କରାଯାଉଛି ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଶ୍ରୀମନ୍ଦିର ନୀତି ସବ୍‌କମିଟି ସଦସ୍ୟ  ଜଗନ୍ନାଥ ପୂଜାପଣ୍ଡା ସାମନ୍ତ କୁହନ୍ତି, ଏନେଇ ପରିଚାଳନା କମିଟି ବୈଠକରେ ଆଲୋଚନା  ହୋଇଛି । ଖୁବ୍‌ଶୀଘ୍ର ଠାକୁରାଣୀଙ୍କ ନୂତନ ପଲଙ୍କ ଓ କିରୀଟ ନିର୍ମାଣ କରାଯିବ ।