ଭୁବନେଶ୍ଵର, ୦୪/୦୪ : ଶୁଦ୍ଧ ଓଡ଼ିଆ ଭାଷାରେ ଲେଖାହେବ ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ନାମ। ନଲେଖିଲେ ଆଇନ ଅନୁଯାୟୀ ହେବେ ଦଣ୍ଡିତ। ଲୋୟର୍ ପିଏମଜିରେ ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଶ୍ରମ ବିଭାଗ ପକ୍ଷରୁ ସମସ୍ତ ଦୋକାନୀ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଲିକଙ୍କୁ କଡ଼ା ବାର୍ତ୍ତା ଦିଆଯାଇଛି। ଏନେଇ ଭୁବନେଶ୍ୱରରେ ସଚେତନ ରଥ ବାହାରିବା ସହ ବିଭାଗ ପକ୍ଷରୁ ପଦଯାତ୍ରା ଆୟୋଜନ ହୋଇଛି।

ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ ଅନୁଯାୟୀ ଓଡ଼ିଆରେ ନାମ ଲେଖିବା ବାଧ୍ୟତାମୂଳ। ଯଦି କୌଣସି ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ନଲେଖନ୍ତି, ତେବେ ସେହି ପ୍ରତିଷ୍ଠାନର ମାଲିକଙ୍କୁ ପ୍ରଥମଥର ନିୟମ ଉଲଙ୍ଘନ ପାଇଁ ଅତି କମ୍‌ରେ ୫,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଦ୍ଵିତୀୟ କିମ୍ବା ପରବର୍ତ୍ତୀ ଉଲଂଘନ ପାଇଁ ଅତିକମ୍‌ରେ ୧୦,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଯଦି କୌଣସି ପ୍ରତିଷ୍ଠାନରେ ଏହିଭଳି ନାମ ଫଳକ ସ୍ପଷ୍ଟ ଭାବେ ଲେଖା ହୋଇନଥିବ ତେବେ ଯେକେହି ବି ତୁରନ୍ତ ସ୍ଥାନୀୟ ଶ୍ରମ ଅଧିକାରୀ କିମ୍ବା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଭୁବନେଶ୍ଵରରେ ୮ଟି ଦଳ ନିୟମ ଉଲଙ୍ଘନକାରୀଙ୍କୁ ଧରିବେ। ସେହିଭଳି ଓଡ଼ିଶାର ସବୁ ଜିଲ୍ଲାରେ ସ୍କ୍ୱାଡ୍ ରହିବେ ବୋଲି ଶ୍ରମ କମିଶନର କହିଛନ୍ତି। 

ଗତବର୍ଷ ୫ ଶହ ଦୋକାନୀଙ୍କୁ ଦଣ୍ଡିତ କରାଯାଇଥିବା କହିଛନ୍ତି ଶ୍ରମ କମିଶନର। ତେବେ I love bhubaneswar ଓ ଶିଶୁ ଭବନ ଛକରେ ଥିବା Ekamrakhestraକୁ ଓଡ଼ିଆରେ ଲେଖିବା ପାଇଁ ବିଏମସି ଓ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଜଣାଇବେ ବୋଲି କହିଛନ୍ତି। ଓଡ଼ିଆ ଭାଷା ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା। ଏହାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟବ୍ୟାପୀ ସମସ୍ତ ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆରେ ନାମ ଫଳକ ଲେଖିବାକୁ ରାଜ୍ୟ ସରକାର ଆହ୍ବାନ ଦେଉଛନ୍ତି।

ଏହି ଖବରଟିକୁ ପଢନ୍ତୁ- ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅଣ୍ଟା ସଳଖୁଛି ବିଜେଡି, ପ୍ରତି ଜିଲ୍ଲା ବୁଲିବେ ନବୀନ