ପୁରୀ, ୨୦/୦୫: ସ୍ଥାନ କାଳ ପାତ୍ର ଭୁଲିଗଲେ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଭଣ୍ଡାର ମେକାପ ସେବାୟତ ଦାଦା-ପୁତୁରା ହାତାହାତି ହୋଇଛନ୍ତି । ସେବା ଖଟିବା ବିବାଦକୁ ନେଇ ଏହି ଘଟଣା ଘଟିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ହାଇଲେଭଲ କମିଟି ଅଧ୍ୟକ୍ଷଙ୍କ ସାମ୍ନାରେ ଏହି ଘଟଣା ଘଟିଥିଲ । ଭଣ୍ଡାର ମେକାପ ମଧୁସୂଦନ ମେକାପ (କୁନିପୁଅ) ଓ ପୁତୁରା ନାରାୟଣ ମେକାପ (କିଷନ)ଙ୍କ ମଧ୍ୟରେ ହାତାହାତି ଏବଂ ପାଟିତୁଣ୍ଡ ହୋଇଥିଲା । ପ୍ରାଶାସନିକ ଅଧିକାରୀ ଓ ପୁଲିସର ହସ୍ତକ୍ଷେପ ଯୋଗୁଁ ବଡ଼ ଅଘଟଣ ଟଳି ଯାଇଥିଲା ।
ମଙ୍ଗଳବାର ଘଟିଥିବା ଏହି ଘଟଣା ଶ୍ରୀମନ୍ଦିର ଇତିହାସରେ ଏକ ଅଭୁଲା ଅତୀତ ଭାବେ ଲିପିବଦ୍ଧ ହୋଇଛି । ଏହି ଘଟଣା ନେଇ ଭଣ୍ଡାର ମେକାପଙ୍କ ପକ୍ଷରୁ ଗଣମାଧ୍ୟମରେ କୌଣସି ବିବୃତ୍ତି ଦିଆଯାଇନାହିଁ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଘଟଣାକୁ ନେଇ ଗଣତିମଣତି କାର୍ଯ୍ୟ କୌଣସି ପ୍ରଭାବିତ ହୋଇନି । ସେମାନଙ୍କ ପୂର୍ବ ବିବାଦରୁ ଏହି ଘଟଣା ଘଟିଛି । ସେମାନେ ଏହାକୁ ପରସ୍ପର ଭିତରେ ଆଲୋଚନା କରି ସମାଧାନ କରିଦେବା ଭଲ । ପୂର୍ବ ଭଳି ନାରାୟଣ ମେକାପ ରତ୍ନଭଣ୍ଡାର ତନଖି ଟିମ୍ ସହ ଯାଇଥିଲେ ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଯାହା ବି ପଦକ୍ଷେପ ନେବ ଆଇନ ଅନୁଯାୟୀ ନେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସେପଟେ ପୁତୁରା ନାରାୟଣ ମେକାପଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟକୁ ନେଇ ପ୍ରାଶାସନିକ କର୍ତ୍ତୃପକ୍ଷ ଅଧିକ ପଚରାଉଚରା କରିଛନ୍ତି । ରତ୍ନଭଣ୍ଡାର ଭିତରେ ଓ ଉଚ୍ଚ ସୁରକ୍ଷା ବଳୟ ଭିତରେ ଘଟଣା ଘଟିଥିବାରୁ ଏହାକୁ ସହରବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି । ଯଦି ପୂର୍ବ ବିବାଦ ଥିଲା, ପ୍ରଶାସନ ଏହାକୁ ଜାଣିବାର ଥିଲା ଓ ବାହାରେ ଏହାର ସମାଧାନ କରିବାର ଥିଲା ବୋଲି ମତ ପ୍ରକାଶ ପାଇଛି ।
ଅଧିକ ପଢ଼ନ୍ତୁ :- Heat Wave Warning: ବାହାରେ ଝାଞ୍ଜିକୁ ଘରେ ଗରମ ବାମ୍ଫ,୨୩ ତାରିଖ ଯାଏ ମିଳିବନି ନିସ୍ତାର, ଜାରି ହେଲା ହିଟ୍ ୱେଭ୍