କେନ୍ଦୁଝର,୧୮/୬ : ଶ୍ରୀ ବଳଦେବ ଜୀଉଙ୍କ ‘ନନ୍ଦିଘୋଷ’ରଥ ଶିଆଳି ଦଉଡ଼ିରେ ଗଡ଼ିବ। ଏହି ପରମ୍ପରା ଆଜିର ନୁହଁ, କାହିଁ କେଉଁ କାଳରୁ ଏହି ପ୍ରଥା ସହିତ ଯୋଡ଼ି ହୋଇରହିଛି । ଅକ୍ଷୟ ତୃତୀୟା ଠାରୁ ଆଜ୍ଞାମାଳ ନେବା ପରେ ଆଦିବାସୀ ସମ୍ପ୍ରଦାୟ ଶିଆଳି ଲତା ସଂଗ୍ରହରେ ମାତିଥିଲେ । ଏବେ ଶିଆଳି ଲତାର ବକଳ ସଂଗ୍ରହ ଶେଷ ହୋଇ ଦଉଡ଼ି ବଳିବା କାମ ଆରମ୍ଭ ହୋଇଛି । ୨ ଦିନ ମଧ୍ୟରେ ଦଉଡି ପ୍ରସ୍ତୁତ ହେବା ପରେ କେନ୍ଦୁଝରକୁ ଆସି ରାଷ୍ଟ୍ର ଦେବତା ଶ୍ରୀ ବଳଦେବ ଜୀଉଙ୍କୁ ଅର୍ପଣ କରାଯିବ ବୋଲି ଜଣାପଡିଛି । ଶିଆଳି ଦଉଡ଼ିରେ ରଥ ଟାଣିବା ଭଳି ନିଆରା ପରମ୍ପରା କେବଳ କେନ୍ଦୁଝରରେ ଦେଖିବାକୁ ମିଳିଥାଏ ।
ପୁରାତନ କିମ୍ବଦନ୍ତୀ ଅନୁସାରେ ରଜାରାଜୁଡା ସମୟରୁ ଏହି ନିଆରା ପରମ୍ପରା ଚଳି ଆସୁଛି । ଶହ ଶହ ବର୍ଷର ପରମ୍ପରା କେନ୍ଦୁଝର ଶ୍ରୀ ବଳଦେବ ଜୀଉ ଘୋଷ ଯାତ୍ରାରେ ‘ନନ୍ଦିଘୋଷ’ ରଥରେ ବ୍ୟବହୃତ ହୋଇଥାଏ ଶିଆଳି ଲତାରେ ପ୍ରସ୍ତୁତ ଦଉଡ଼ି । କେନ୍ଦୁଝରର ଆଦିବାସୀ ସମ୍ପ୍ରଦାୟର ଜୁଆଙ୍ଗ ଓ ଭୂୟାଁ ଜାତିର ଲୋକେ କେନ୍ଦୁଝର ରାଜ୍ୟର ରାଜାଙ୍କ ଆଦେଶରେ ଜଙ୍ଗଲରୁ ଶିଆଳି ଦଉଡି ସଂଗ୍ରହ କରି ଘୋଷଯାତ୍ରାରେ ଯୋଗାଇଥାନ୍ତି । ଏବେ ଭୂୟାଁ ସମ୍ପ୍ରଦାୟଙ୍କ ଦ୍ୱାରା ଏହି ଦଉଡ଼ି ପ୍ରସ୍ତୁତ କରାଯାଇ ଘୋଷଯାତ୍ରା ପୂର୍ବରୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦିଆଯାଉଛି । ଶିଆଳି ଲତା ସଂଗ୍ରହଠାରୁ ଦଉଡ଼ି ପ୍ରସ୍ତୁତ ପର୍ଯ୍ୟନ୍ତ ଅନେକ ନୀତିନିୟମକୁ ପାଳନ କରି ଆଦିବାସୀମାନେ ନିଷ୍ଠାର ସହିତ ମହାପ୍ରଭୁଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ । ମହାପ୍ରଭୁଙ୍କ ଅନେକ ସେବକ ମଧ୍ୟରୁ ଏହି ଆଦିବାସୀମାନେ ଠାକୁରଙ୍କୁ ସେବା କରିବା ପାଇଁ ଏହାକୁ ଏକ ସୁଯୋଗ ବୋଲି ମନେ କରିଥାନ୍ତି ।
ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କ ଠାରୁ ଆଦେଶ ପାଇବା ପରେ ବାଂଶପାଳ ବ୍ଲକ ଦଅଁଳା ପଞ୍ଚାୟତର ଭୂୟାଁ ସମ୍ପ୍ରଦାୟ ଲୋକେ ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତରୁ ଶିଆଳି ଲତାକୁ ସଂଗ୍ରହ କରିଥାନ୍ତି । ଲତା ସଂଗ୍ରହ କରୁଥିବା ସେବକମାନେ ଆମିଷ ଓ ନିଶା ଠାରୁ ଦୂରରେ ରହି ନିଷ୍ଠାର ସହିତ ଶିଆଳି ଲତାକୁ ଜଙ୍ଗଲରୁ ଖୋଜି ବାହାର କରିଥାନ୍ତି । ନିୟମ ଅନୁସାରେ ଯେଉଁ ଗଛରେ ଚଢ଼େଇ ବସା କରିନଥିବେ, ମୂଷା, କାଇ ତଥା ଅନ୍ୟାନ୍ୟ ଜୀବଜନ୍ତୁ ଶିଆଳି ଗଛରେ ବାସ କରିନଥିଲେ ସେହି ଗଛର ବକଳକୁ ସଂଗ୍ରହ କରାଯାଇଥାଏ । ଉକ୍ତ ବକଳରୁ ଦଉଡ଼ିକୁ ପ୍ରସ୍ତୁତ କରାଯାଇଥାଏ । ପୂର୍ବରୁ ୩ଟି ଦଉଡି ପ୍ରାୟ ୫ କୁଇଣ୍ଟାଲ ଓଜନର ପ୍ରଦାନ କରାଯାଇଥିଲା । ଗତବର୍ଷଠାରୁ ମନ୍ଦିର କର୍ତ୍ତୃପକ୍ଷ ୪ଟି ଦଉଡି ଦେବାକୁ ଅନୁରୋଧ କରିଛନ୍ତି ବୋଲି ଭୀମସେନ ପୁହାଣ କହିଛନ୍ତି ।
ଚଳିତବର୍ଷ କେନ୍ଦୁଝର ରାଜ୍ୟର ମୁଖ୍ୟ ସର୍ଦ୍ଦାର କୁଞ୍ଜବିହାରୀ ଦେହୁରୀଙ୍କ ନେତୃତ୍ୱରେ ଏହି ଶିଆଳି ଲତା ସଂଗ୍ରହ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମାଘୁ ନାଏକ, ଚେତନ୍ୟ ଚରଣ ବେହେରା, ମୋହନ ସେନାପତି, ସୁବନ ପ୍ରଧାନ, ଦୁର୍ଯ୍ୟୋଧନ ପୁହାଣ, ପ୍ରଫୁଲ୍ଲ ଦେହୁରୀ, ଭୀମସେନ ପୁହାଣ, ବିଜୟ ବେହେରାଙ୍କ ସହଯୋଗରେ ପ୍ରାୟ ୧୦୦ରୁ ଊଦ୍ଧ୍ୱର୍ ଆଦିବାସୀ ଶିଆଳି ଲତା ସଂଗ୍ରହରେ ମାତିଥିଲେ । ଘଞ୍ଚ ଜଙ୍ଗଲରେ ଦଳ ଦଳ ହୋଇ ପାକଳ ଗଛରୁ ଟାଙ୍ଗିଆ ସହାୟତାରେ ଶିଆଳି ଲତାକୁ କାଟି ଏହାର ବକଳକୁ ବାହାର କରି ସଂଗ୍ରହ କରିଛନ୍ତି । ଉକ୍ତ ଲତାର ବକଳକୁ ସଂଗ୍ରହ ପରେ ପୁଣି ଦଉଡ଼ି ବଳିବା ପାଇଁ ଶ୍ରୀ ବଳଦେବ ଜୀଉଙ୍କ ଠାରୁ ଦେବସ୍ନାନ ପୂର୍ଣ୍ଣିମା ଦିନ ଆଜ୍ଞାମାଳ ନିଆଯାଇଛି । ଗାଁରେ ଥିବା ମଣ୍ଡ ଘର ନିକଟରେ ଦଉଡ଼ି ବଳାଯାଉଛି ବୋଲି ଭୀମସେନ କହିଛନ୍ତି । ଦଉଡ଼ି ବଳିବା ପାଇଁ ୪ରୁ ୫ ଦିନ ଲାଗିବ ବୋଲି ସେ କହିଛନ୍ତି । ଏହାପରେ ରଥଯାତ୍ରା ପୂର୍ବରୁ ଉକ୍ତ ଦଉଡ଼ିକୁ ଆଣି ମନ୍ଦିର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯିବ ।
ନିୟମ ଅନୁସାରେ ଘୋଷଯାତ୍ରାରେ ଶିଆଳି ଦଉଡ଼ି ଯୋଗାଇବାକୁ ଭୂୟାଁ ପୀଢ଼ ଓ ଜୁଆଙ୍ଗ ପୀଢ଼ର ପ୍ରଜାଙ୍କୁ କେନ୍ଦୁଝର ରାଜାଙ୍କ ଆଦେଶ ରହିଥାଏ । ଫଳରେ ଆଦିବାସୀ ସମ୍ପ୍ରଦାୟର ଏହି ଦୁଇ ଜାତିର ଲୋକେ ପ୍ରତିବର୍ଷ ରଥ ଦଉଡ଼ି ପ୍ରସ୍ତୁତ କରି ଯୋଗାଇ ଆସୁଥିଲେ । ହେଲେ କିଛିବର୍ଷ ହେବ କୌଣସି କାରଣରୁ ଜୁଆଙ୍ଗମାନେ ଶିଆଳି ଦଉଡ଼ି ଯୋଗାଇବାକୁ ଅକ୍ଷମ ପରେ କେବଳ ଭୂୟାଁମାନେ ଏହି କାର୍ଯ୍ୟକୁ ତୁଲାଇ ଆସୁଛନ୍ତି । ବର୍ଷ ବର୍ଷ ଧରି ଆଦିବାସୀ ସମ୍ପ୍ରଦାୟର ପୂର୍ବପୁରୁଷଙ୍କ କର୍ତ୍ତବ୍ୟକୁ ଏବେ ମଧ୍ୟ ଯୁବ ଗୋଷ୍ଠୀ ନିଷ୍ଠାର ସହିତ ପାଳନ କରି ନିଜକୁ ମହାପ୍ରଭୁଙ୍କ ନିଆରା ସେବକ ବୋଲି ମନେକରି ଏହି କାର୍ଯ୍ୟକୁ ତୁଲାଇ ଆସୁଥିବା ଦଉଡି ସଂଗ୍ରହ କରୁଥିବା ଦଅଁଳା ଗ୍ରାମର ଭୂୟାଁମାନେ କହିଛନ୍ତି ।