ଚୈତ୍ର ମାସର କୌଣସି ଏକ ସକାଳ । ଶିମିଳିପାଳ ଜଙ୍ଗଲର ଖଇରୀ ନଦୀ କୂଳର ଚେନାଏ ପଦା ଜାଗା । ନଈ ଧାରରେ ମହୁଲ ଗଛ, ଚାରିପଟେ ମହୁଲ ଫୁଲର ଗାଲିଚା । ଗଛକୁ ଆଉଜି ଗୋଡ଼ରେ ଗୋଡ଼ ଛନ୍ଦି ବସିଛି ଶୁକ୍ରୁ ସୋରେନ । କୋଳରେ ମେଞ୍ଚାଏ ଶାଳ ଫୁଲର ପେନ୍ଥା ନିଜର ପ୍ରେୟସୀ ରାଇକା ପାଇଁ । ହାତରେ ବଂଶୀ, ବଂଶୀରେ ବସନ୍ତ ଉତ୍ସବର ସଂଗୀତର ସୁର । ଗୀତଟିର ଭାବାର୍ଥ ଏହିପରି– ‘ହେ ମୋର ପ୍ରେୟସୀ! ଜଙ୍ଗଲ ଭିତରେ ସମ୍ବର (ଏକ ଜଙ୍ଗଲୀ ଜନ୍ତୁ)ର ଡାକ ଶୁଣି ତା’ର ପ୍ରିୟତମା ତା' ପାଖକୁ ଆସିଗଲାଣି, ତୁମକୁ କ’ଣ ମୋ ଡାକ ଶୁଭୁନାହିଁ?' ନୂଆ ମହୁଲରେ ତିଆରି ଅରଖି ନିଶା ଧୀରେ ଧୀରେ ସବାର ହେଉଛି ଶୁକ୍ରୁ ଉପରେ । ତା’ର ଏତାଦୃଶ ତଲ୍ଲୀନ ଅବସ୍ଥା ଦେଖି ଏକ ସଭ୍ୟ(?) ମଣିଷ ଅତିଶୟ ଆଶ୍ଚର୍ଯ୍ୟ ହୋଇ ପଚାରିଲା– ‘କିରେ ଶୁକ୍ରୁ! ସିଆଡ଼େ ଯୁଦ୍ଧ ଲାଗିଲାଣି, ପୃଥିବୀ ହୁଲୁସ୍ତୁଲୁ ହେଲାଣି, ତୁ ଏଠି ବସିକି ଖୁସିମନରେ ବଂଶୀ ବଜାଉଛୁ! ତୋ’ର ଟିକିଏ ହେଲେ ତ ଚିନ୍ତା ନାହିଁ?’ ଭ୍ରୂକୁଞ୍ଚନ କରି ଶୁକ୍ରୁ କହିଲା– ମୁଇଁ ତ କାହାର କିଛି ଖାଇନି କି ଧାରିନି, ମୋର ସାଥେ କିଏ କି ଲାଗି ଯୁଦ୍ଧ କରିବ? ସଭ୍ୟ ମଣିଷ ଆଶ୍ଚର୍ଯ୍ୟ ହେଲା । ତା’ ମାନେ, ଶୁକ୍ରୁକୁ ଯୁଦ୍ଧ ବିଷୟରେ କିଛି ବି ମାଲୁମ ନାହିଁ । ସେ ବୁଝେଇବାକୁ ଚେଷ୍ଟା କଲା, ଆରେ ତୋ ସାଙ୍ଗରେ ନୁହେଁ, ଆମେରିକା ସହିତ ଇରାନର ଯୁଦ୍ଧ, ଆଗକୁ ସେଇଟା ବିଶ୍ୱଯୁଦ୍ଧରେ ପରିଣତ ହେବାକୁ ଯାଉଛି । କଥାଟା ଶୁକ୍ରୁର ହଜମ ହେଲାନି, ସେ ପଚାରିଲା– ସେମାନେ ଯୁଦ୍ଧ ଲାଗିଲେ ତୋର କି ଗଲା? ସଭ୍ୟ ମଣିଷ କହିଲା– ଆରେ! ଗ୍ୟାସ ମିଳିବନି, ରାନ୍ଧିବୁ କେମିତି, ଖାଇବୁ କ’ଣ? ଶୁକ୍ରୁର ଆଶ୍ଚର୍ଯ୍ୟର ସୀମା ରହିଲାନି । ତା’ ପାଟିରୁ ବାହାରି ପଡ଼ିଲା– କାଇଁ, ତୋର ଘରେ କିସ୍ କାଠ୍ ନାଇଁ? ନଥିଲେ ତୋର କନିଆଁକୁ କହ ଜଙ୍ଗଲରୁ କାଠ ଆଣିବ । (ଆଦିବାସୀ ସମ୍ପ୍ରଦାୟରେ ଜାଳକାଠ ସଂଗ୍ରହ କରିବା କାମ ମହିଳାମାନଙ୍କର) ।
ସଭ୍ୟ ମଣିଷର ଆଖିଆଗରେ ନାଚିଗଲା ସ୍ତ୍ରୀର ସୁକୋମଳ ହାତ, ନେଲପଲିଶ ରଂଜିତ ମୁଦ୍ରିକା ଖଚିତ ଆଙ୍ଗୁଠି ଯାହାକୁ ବେଳେବେଳେ ଗ୍ୟାସ ଚୁଲିରେ ବି ରୋଷେଇ କରିବାକୁ ଏତେ କଷ୍ଟ ହୁଏ ଯେ, ଗଣ୍ଡାଏ ଖାଦ୍ୟ ପାଇଁ ସ୍ୱିଗି, ଜୋମାଟୋ କମ୍ପାନୀଙ୍କ ସହାୟତା ନିଆଯାଏ । ସେଇ ହାତ ବଣରୁ କାଠଗୋଛା ଆଣି, କାଠଚୁଲିରେ ରାନ୍ଧି, ପାଉଁଶରେ କଳାହାଣ୍ଡି ମାଜିବ! ଶୁକ୍ରୁର କେଡ଼େ ଆସ୍ପର୍ଦ୍ଧା! ଛାଡ଼, ସେକଥା ସେ ବୁଝି ପାରିବନି । କିନ୍ତୁ ତେଲ ସମସ୍ୟାଟା ତ ବୁଝିପାରିବ ନା! ଅତଃ, ସେ ପୁଣି ବୁଝେଇବାକୁ ଚେଷ୍ଟା କଲା– ଆରେ ଶୁକ୍ରୁ, କାଠ ସିନା ମିଳିଯିବ, କିନ୍ତୁ ରାନ୍ଧିବୁ କ’ଣ? ଡିଜେଲ ନଆସିଲେ ଗାଡ଼ି କେମିତି ଚାଲିବ? ଗାଡ଼ି ନଚାଲିଲେ ଆନ୍ଧ୍ରରୁ ମାଛ, ପଶ୍ଚିମ ବଙ୍ଗରୁ ଆଳୁ, ମହାରାଷ୍ଟ୍ରରୁ ପିଆଜ, ପଞ୍ଜାବରୁ ଗହମ, ଅଷ୍ଟ୍ରେଲିଆରୁ ଡାଲି, ମାଲେସିଆରୁ ତେଲ ଇତ୍ୟାଦି କେମିତି ଆସିବ ଯେ ରାନ୍ଧିକି ଖାଇବୁ? ଶୁକ୍ରୁ ଘଡ଼ିଏ ଆବାକାବା ହେଇ ଚାହିଁଲା । ତାହାପରେ କହିଲା– ତୋର କୋଉ ରାଇଜରେ ଘର କି? ତମ ରାଇଜରେ କିସ ବଣରେ ଆଳୁ, କନ୍ଦା, ଫଳ, କୋଳି, ଶାଗ, ଛତୁ ମିଳେନି? ପଶୁ, ପକ୍ଷୀ ଶିକାର କରିବାକୁ ମିଳେନି? ଝରଣାରେ ମାଛ, କଙ୍କଧା, ଗେଣ୍ଡା, କୋଚିଆ, କିଛି ମିଳେନି? ତୁଇ କିସ ବିଲରେ ଧାନ, ମାଣ୍ଡିଆ ଚାଷ କରୁନୁ? ତୋର ଘରେ ଛେଳି କୁକୁଡ଼ା ପାଳିନୁ? ଚାଳରେ ଲାଉ କଖାରୁ ଲଟେଇନୁ? ସବୁ ଚିଜ ପର ଘରୁ ମାଗିଆଣି ଖାଉଚୁ? କିଛି ନାଇଁ ଯଦି ଆମ ଗାଁରେ ଆସିକରି ରହ । ବୀର ବଙ୍ଗା (ବଣ ଦେବତା)ର ଆମ ଉପରେ ବହୁତ ଦୟା । କେବେହେଲେ ପେଟ ଭୋକରେ ରଖିନି । ଏଇଟା ନହେଲେ ସେଇଟା ଦେଇଛି । ଆମ ଗାଁ ଲୋକେ କେବେହେଲେ କାହା ଦୁଆରକୁ ଖାଇବା ମାଗିବାକୁ ଯାଇନାହାଁନ୍ତି।
ସହରର ବତିଶି ମହଲାରେ ରହୁଥିବା ସଭ୍ୟ ମଣିଷ ଲାଜରେ ମୁଣ୍ଡ ନୁଆଁଇ ଦେଲା । ଆଜିଯାଏଁ ସେ ଯେତେ ପ୍ରାଚୁର୍ଯ୍ୟ ଭୋଗ କରୁଥିଲା, ସେସବୁ ଯେ ମାଗିଆଣିଲା ତିଅଣ ବୋଲି ଆଜି ତା’ର ହୃଦ୍ବୋଧ ହେଲା । ଶୁକ୍ରୁ ଆଗରେ ସେ ବଡ଼ ଅସହାୟ ବୋଧ କଲା । ହଠାତ୍ ମନକୁ କଥାଟାଏ ଆସିଲା । ଭାବିଲା, ଏଇ କଥାଟା କହିଲେ ହୁଏତ ଶୁକ୍ରୁ ଟିକେ ଚିନ୍ତିତ ହେବ । ଆରେ ଶୁକ୍ରୁ! ଯୁଦ୍ଧ ପାଇଁ ଖାଲି କ’ଣ ଜିନିଷପତ୍ରର ଅଭାବ ଚିନ୍ତା କି? ମୋର ପୁଅ ଆମେରିକାରେ, ଆଉ ଝିଅ କତାରରେ । ଛୁଆଗୁଡ଼ାଙ୍କ ପାଇଁ ରାତିରେ ଶୋଇପାରୁନି । କି ସାଙ୍ଘାତିକ ଅବସ୍ଥା! ସେମାନେ ସେଠୁ ଆସିପାରୁନାହାଁନ୍ତି, ତାଙ୍କ ଜୀବନ ବଡ଼ ବିପଦରେ । ଥରେ ପଳେଇ ଆସିଲେ ଚାକିରି ଯିବ, ଆଉ ମିଳିବ କି ନାହିଁ ସନ୍ଦେହ । ସେଠି ଯୋଉ ଚାକିରି, ଯୋଉ ଦରମା ଏଠି କୋଉଠି ମିଳିବ? ଶୁକ୍ରୁ ସମ୍ଭାଳି ପାରିଲାନି । ବିରକ୍ତ ହେଇ କହିଲା– ତୋର ଘରେ କିସ ଭାତ ଭୁଜା କିଛି ନଥିଲା? ଛୁଆମାନଙ୍କୁ ଭାତ ଲାଗି ପର ଦେଶକୁ ମୁଲ ଖଟିବାକୁ ପଠେଇଛୁ? ସଭ୍ୟ ମଣିଷ ଭାବୁଥିଲା, ଶୁକ୍ରୁ କୋଉଠୁ ବୁଝିବ ଯେ ସଭ୍ୟ ମଣିଷର ଖାଲି ଭାତ ଗଣ୍ଡାଏରେ ପେଟ ପୂରେନି, ତା’ର ଆହୁରି କେତେ ଭୋକ । ଶୁକ୍ରୁ ଭର୍ତ୍ସନା କରୁଥିଲା– ତୁଇଟା କି ବାପା କିରେ? ଆଣ୍ଠୁକୁଡା ହେଇଥିତୁ ହେଲେ ଭଲ ହେଇଥିତା । ହଉ ତୁଇ ଯାଃ! ରାଇକା ଆଇବାର ବେଳ ହେଲାଣି । ତୋକେ ଦେଖିକରି ତରକି ଯିବ ଯେ! ଶୁକ୍ରୁ ପୁଣି ବଂଶୀ ବାଦନରେ ତଲ୍ଲୀନ ହୋଇଗଲା ।