କଟକ, ୨୫/୦୪: ପୁଲିସ୍ ଏସ୍ଆଇ ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ଅନ୍ୟତମ ଅଭିଯୁକ୍ତ ମୁନା ମହାନ୍ତିଙ୍କୁ ଦିଆଯାଇଥିବା ଅନ୍ତରୀଣ ଜାମିନ୍ ଅବଧିକୁ ହାଇକୋର୍ଟ ମେ’ ୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେ ପର୍ଯ୍ୟନ୍ତ ସିବିଆଇ ପକ୍ଷରୁ ଆବେଦନକାରୀଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରୁ ଜଣାଯାଇଛି ଯେ, ପୁଲିସ୍ ଏସ୍ଆଇ ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ସିବିଆଇ ପକ୍ଷରୁ ପ୍ରାୟ ୧୬ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ୧୨ଜଣ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟତମ ମୁନା ମହାନ୍ତିଙ୍କ ଯକୃତ ଖରାପ ଥିବାରୁ ତାଙ୍କୁ ଜାମିନ୍ ପାଇଁ ଅନ୍ତରୀଣ ଆବେଦନ କରାଯାଇଥିଲା । ହାଇକୋର୍ଟ କିଛି ମାସ ତଳେ ମୁନା ମହାନ୍ତିଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ । ଗତକାଲି ଏହି ଜାମିନ୍ ଅବଧି ଶେଷ ହେବା ପରେ ଆଜି ମୁନା ମହାନ୍ତି ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା କଥା କିନ୍ତୁ ମୁନା ମହାନ୍ତିଙ୍କ ପକ୍ଷରୁ ପୁନର୍ବାର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନ୍ତରୀଣ ଜାମିନ୍ ଅବଧି ବୃଦ୍ଧି ପାଇଁ ପ୍ରାର୍ଥନା କରାଯାଇଥଲା । ଏହାକୁ ସିବିଆଇ ପକ୍ଷରୁ ବିରୋଧ କରାଯାଇଥିଲା । ଶ୍ରୀ ମହାନ୍ତି ଧରାଛୁଆଁ ଦେଉନାହାନ୍ତି ବୋଲି ସିବିଆଇ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏନେଇ ମେ’ ୪ ତାରିଖରେ ଶୁଣାଣି କରିବାକୁ ହାଇକୋର୍ଟ ସମୟ ଧାର୍ଯ୍ୟ କରିବା ସହ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଯଶୋବନ୍ତ ଦାସ ଏବଂ ଆଇନଜୀବୀ ଘନଶ୍ୟାମ ମୁଦୁଲି ମାମଲା ପରାିଚାଳନା କରୁଛନ୍ତି ।