ଭୁବନେଶ୍ୱର, ୦୬/୦୫ : ରାଜ୍ୟରେ ଖୁବ୍ଶୀଘ୍ର ଆରମ୍ଭ ହେବ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)। ଏ ନେଇ ଆଜି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସହ ବୈଠକ ବସିଥିଲା। ସମ୍ଭବତଃ ଚଳିତ ମାସରେ ହିଁ ଏହାର ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏ ନେଇ ଯେ କୌଣସି ଦିନ ବିଜ୍ଞପ୍ତି ଘୋଷଣା ଜାରି ହୋଇପାରେ । ଏସ୍ଆଇଆର୍ ଆରମ୍ଭ ପୂର୍ବରୁ ଭୋଟରଙ୍କ ମ୍ୟାପିଂ (୨୦୨୫ ଭୋଟର ତାଲିକା ସହ ୨୦୦୨ ତାଲିକା ମେଳ) ଜୋରସୋର୍ରେ ଚାଲିଛି । ମେ’ ୫ ତାରିଖ ସୁଦ୍ଧା ରାଜ୍ୟର ମୋଟ ୩ କୋଟି ୩୬ ଲକ୍ଷ ୪୬ ହଜାର ୫୭୦ ଭୋଟରଙ୍କ ମଧ୍ୟରୁ ୩ କୋଟି ୧୫ ଲକ୍ଷ ୬୧ ହଜାର ୩୫୯ ଭୋଟରଙ୍କ ମ୍ୟାପିଂ ସରିଛି । ଅର୍ଥାତ୍ ୯୩.୮% ମ୍ୟାପିଂ ସରିଛି । ହେଲେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୮୫ ହଜାର ୨୧୧ ଭୋଟରଙ୍କ ମ୍ୟାପିଂ ହୋଇପାରିନି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଏହି ଭୋଟରଙ୍କର ୨୦୦୨ ସହ ତଥ୍ୟ ମେଳ ହୋଇପାରିନାହିଁ । ୨୦୦୨ ଭୋଟର ତାଲିକାରେ ଯେଉଁ ଭୋଟର କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ (ବାପା, ମା’, ଜେଜେ, ଜେଜେ ମା’) ନାମ ମିଳିନାହିଁ, ସେମାନଙ୍କର ମ୍ୟାପିଂ ହୋଇପାରିନି । ମ୍ୟାପିଂରେ ସବୁଠାରୁ ଖରାପ ପ୍ରଦର୍ଶନ ଭୁବନେଶ୍ୱରର । ଭୁବନେଶ୍ୱରରେ ମୋଟ ଭୋଟର ୭ ଲକ୍ଷ ୮୫ ହଜାର ୭୫୮ । ଏବେ ସୁଦ୍ଧା ୬ ଲକ୍ଷ ୨୫ ହଜାର ୧୯୫ ଭୋଟରଙ୍କର ମ୍ୟାପିଂ ହୋଇଛି, ଯାହାକି ୭୯.୫୭% । ୧ ଲକ୍ଷ ୬୦ ହଜାର ୫୬୩ ଜଣଙ୍କର ମ୍ୟାପିଂ ହୋଇପାରିନି ।
ମେ ୫ ତାରିଖ ସୁଦ୍ଧା ଝାରସୁଗୁଡ଼ାରେ ୯୧.୫୪%, ବଲାଙ୍ଗିରରେ ୯୨%, ନୟାଗଡ଼ରେ ୯୨.୦୧%, କଟକରେ ୯୨.୧୩%, କଳାହାଣ୍ଡିରେ ୯୨.୭୬%, ଖୋର୍ଦ୍ଧାରେ ୯୩.୨୮%, ମାଲକାନଗିରିରେ ୯୩.୫୨%, ରାୟଗଡ଼ାରେ ୯୩.୫୮%, ପୁରୀରେ ୯୩.୯୭%, ନବରଙ୍ଗପୁରରେ ୯୪.୫୯%, ମୟୂରଭଞ୍ଜରେ ୯୪.୫୯%, ସୁବର୍ଣ୍ଣପୁରରେ ୯୪.୬%, ନୂଆପଡ଼ାରେ ୯୪.୭୬%, କୋରାପୁଟରେ ୯୪.୭୮%, କେନ୍ଦୁଝରରେ ୯୪.୯୪% ଭୋଟରଙ୍କ ମ୍ୟାପିଂ ସରିଛି । ଭଦ୍ରକ, କନ୍ଧମାଳ, ଢେଙ୍କାନାଳ, ବରଗଡ଼, ଅନୁଗୁଳ, ସମ୍ବଲପୁର, ଗଜପତି, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ାରେ ମ୍ୟାପିଂ ହାର ୯୫ ପ୍ରତିଶତରୁ ୯୬% ଭିତରେ ରହିଛି । ଦେବଗଡ଼ରେ ୯୮.୦୫%, ବୌଦ୍ଧରେ ୯୭.୦୯%, ଗଞ୍ଜାମରେ ୯୬.୩୮%, ଜଗତସିଂହପୁରରେ ୯୬.୩୬% ମ୍ୟାପିଂ ସରିଛି ।
୨୦୦୨ରେ ଶେଷ ଏସ୍ଆଇଆର ହୋଇଥିଲା । ତେଣୁ ୨୦୦୨ ଭୋଟର ତାଲିକା ସହ ୨୦୨୫ ତାଲିକାର ମେଳ କରାଯାଉଛି । ଏସ୍ଆଇଆର୍ ବିଜ୍ଞପ୍ତି ପରେ ପ୍ରତି ଘରକୁ ବିଏଲ୍ଓ ଯିବେ । ପ୍ରତି ଭୋଟରଙ୍କୁ ଗୋଟିଏ ଫର୍ମ କପି ଦିଆଯିବ । ଫର୍ମ ପୂରଣ କରି ଗୋଟିଏ କପି ଭୋଟର ରଖିବେ, ଅନ୍ୟ କପିଟିକୁ ବିଏଲ୍ଓଙ୍କୁ ଦିଆଯିବ । ଯେଉଁମାନଙ୍କ ମ୍ୟାପିଂ ସରିଛି, ସେମାନଙ୍କୁ କିଛି ପ୍ରମାଣପତ୍ର ଦସ୍ତାବିଜ ଦେବାକୁ ପଡ଼ିବନି । ମାତ୍ର ଯେଉଁ ଭୋଟରଙ୍କ ମ୍ୟାପିଂ ହୋଇପାରିନି, ସେମାନଙ୍କୁ ଆବଶ୍ୟକ ପ୍ରମାଣପତ୍ର ଦେବାକୁ ପଡ଼ିବ । ଯଦି ସେମାନଙ୍କର ପରିବାରର କାହାରି ନାଁ ୨୦୦୨ ତାଲିକାରେ ନଥାଏ, ସେ କ୍ଷେତ୍ରରେ ସରକାର ଧାର୍ଯ୍ୟ କରିଥିବା ୧୨ଟି ପରିଚୟ ପ୍ରମାଣପତ୍ର (ଜନ୍ମ ପ୍ରମାଣପତ୍ର, ଆଧାର, ମାଟ୍ରିକ ସାର୍ଟିଫିକେଟ, ଜମି ପଟ୍ଟା, ଜାତି ପ୍ରମାଣପତ୍ର ଇତ୍ୟାଦି) ଭିତରୁ ଅନ୍ୟୁନ ଗୋଟିଏ ଦାଖଲ କରିବାକୁ ପଡ଼ିବ । ଏଥିରୁ ଗୋଟିଏ ଦାଖଲ କରିପାରିଲେ, ସେ ଭୋଟର ଯୋଗ୍ୟ ରହିବେ। ପ୍ରତିବର୍ଷ ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇଥାଏ। ୨୦୨୫ରୁ ଏବେ ସୁଦ୍ଧା ମୃତ ଭୋଟର, ଏକାଧିକ ସ୍ଥାନରେ ନାମ ଥିବା ଓ ନକଲି ଭୋଟରଙ୍କୁ ଯାଞ୍ଚ କରି ୯ ଲକ୍ଷ ୮୦ ହଜାରଙ୍କୁ ବାଦ୍ ଦିଆଯାଇଛି।
ଏହି ଖବରଟିକୁ ପଢନ୍ତୁ-BJD Crisis : ଖସୁଛି ଆଞ୍ଚଳିକ ଦଳ ପତିଆରା, ନବୀନଙ୍କ ସବୁ ଅଙ୍କ ଭୁଲ୍... ବିଜେଡି ବଳ ବଢ଼ିବ ନା ଛିଡ଼ିବ?