କନ୍ଧମାଳ,୨୨।୬ : କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଛି ବିଭତ୍ସ ହତ୍ଯାକାଣ୍ଡ। ସଂଘବଦ୍ଧ ଆକ୍ରମଣରେ ଟାଙ୍ଗିଆ ଚୋଟରେ ଯାଇଛି ଜଣଙ୍କ ଜୀବନ। ୩ ଜଣ ଗୁରୁତର ଆହତ ହୋଇ ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୁଡ୍ରୁକୁମ୍ପା ପଞ୍ଚାୟତର ଦଡ଼ମାସ୍କା ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ଜଣକ ହେଲେ ପାତିଆମ୍ବା ନିକଟସ୍ଥ ଦଳପଡ଼ା ଗ୍ରାମର ଅକୁର ବେହେରା (୫୦)।
ମିଳିଥିବା ସୂଚନା ମୁତାବକ କିଛି ଦିନ ତଳେ ଦଳପଡ଼ା ଗ୍ରାମର ଅକୁରଙ୍କ ପୁଅ ସହ ଦଡ଼ମାସ୍କା ଗ୍ରାମର କିଛି ଯୁବକଙ୍କ ବଚସା ହୋଇଥିଲା। ଏହି ଘଟଣା ଉପରେ ଆଲୋଚନା ପାଇଁ ରବିବାର ସନ୍ଧ୍ୟାରେ ଅକୁର, ବାଇଧର ବେହେରା, ଗାୟତ୍ରୀ ବେହେରା ଓ ସୁଜାତା ବେହେରାଙ୍କ ସହିତ ଦଡ଼ମାସ୍କା ଗ୍ରାମକୁ ଯାଇଥିଲେ। ତେବେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହେବା ବଦଳରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କିଛି ଯୁବକ ସେମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ହିଁ ଅକୁରଙ୍କ ମୃତ୍ୟୁ ହୋଇଥିବା ବେଳେ ଗାୟତ୍ରୀ, ସୁଜାତା ଓ ବାଇଧର ଗୁରୁତର ହୋଇଥିଲେ। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଗୁରୁତରଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ଘଟଣାସ୍ଥଳରେ ତଦନ୍ତ ଜାରିରହିଛି । ଘଟଣା ସ୍ପଷ୍ଟ ହେବା ପରେ ସମ୍ପୂର୍ଣ୍ଣ ତଥ୍ଯ ଦେବେ ବୋଲି କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ କହିଛନ୍ତି।