ମହାଶିବରାତ୍ରିରେ ଅସାଧ୍ୟ ସାଧନା କରିବାକୁ ଯାଇ ସେମାନେ ଶ୍ମଶାନ ସାଧନା, ଶିବ ସାଧନା ଓ ଶବ ସାଧନା କରିଥାନ୍ତି । ବିଶେଷତଃ ସେମାନେ କାଶୀ ବନାରସର ମଣିକର୍ଣ୍ଣିକା ଘାଟ, ଦଶାଶ୍ୱମେଧ ଘାଟ, ପଶ୍ଚିମବଙ୍ଗର ତାରା ପୀଠ ଓ ଗୁଜରାଟର ଗିରିନାରରେ ବସବାସ କରିଥାନ୍ତି ।
ସପ୍ତଶତୀ ଚଣ୍ଡୀ ବର୍ଣ୍ଣିତ ତନ୍ତ୍ରୋକ୍ତ ରାତ୍ରି ସୂକ୍ତମ୍ ଅନୁସାରେ କାଳରାତ୍ରି, ମହାରାତ୍ରି ଓ ମୋହରାତ୍ରି³ ଅର୍ଥାତ୍- ଦୀପାବଳି ଅମାବାସ୍ୟା, ମହାଶିବରାତ୍ରି ଓ ଜନ୍ମାଷ୍ଟମୀର ରାତ୍ରିକୁ ଶ୍ରେଷ୍ଠ ରାତ୍ରି ରୂପେ ବିବେଚିତ କରାଯାଏ । ତନ୍ମଧ୍ୟରୁ ଦୀପାବଳି ଓ ମହାଶିବରାତ୍ରିକୁ ତନ୍ତ୍ର ସାଧନାର ପ୍ରକୃଷ୍ଟ ରାତ୍ରି ରୂପେ ପାଳନ କରାଯାଇଥାଏ । ଏହି ରାତ୍ରିରେ ଅଘୋରିମାନେ ତନ୍ତ୍ରସାଧନା କରିଥାନ୍ତି । ଆଘୋରି (ଅ ଅର୍ଥ- ନାହିଁ + ଘୋର ଅର୍ଥ- ଭୟ), ଅର୍ଥାତ୍ଭୟହୀନ ସାଧନା କରିଥାନ୍ତି । ସାଧାରଣତଃ ଅଘୋରିମାନେ ସାଧାରଣରେ ତାନ୍ତ୍ରିକ ରୂପେ ପରିଗଣିତ ହୋଇଥାନ୍ତି । ଏମାନେ ଶିବଭକ୍ତ ହୋଇ ଭୈରବ ସ୍ୱରୂପର ସାଧନା କରିବା ସହ ପଞ୍ଚ ମ’କାର ପୂଜା କରିଥାନ୍ତି । ଏଥିରେ ମଦ୍ୟ, ମାଂସ, ମତ୍ସ୍ୟ, ମୈଥୁନ ଓ ମାତ୍ସର୍ଯ୍ୟ ପ୍ରଦାନ କରି କାଳଭୈରବ ସାଧନା କରାଯାଇଥାଏ । କେତେକ ସ୍ଥଳରେ ଅଘୋରମାନଙ୍କୁ ନାଗା ସାଧୁ ରୂପେ ପରିଗଣିତ କରାଗଲା ବେଳେ, ଏଥିରେ ଭିନ୍ନ ମତ ପ୍ରକାଶ ପାଇଥାଏ । ଏହି ମହିଳା ଅଘୋରମାନଙ୍କୁ ଗୋରି ବା ଗୋରେଗୋରି କୁହାଯାଇଥାଏ । ଏମାନେ ତିନି ଭାଗରେ ବିଭକ୍ତ ଯଥା– ଶିବ ଅନୁଗାମୀ, ସନ୍ଥ କିନାରାମଙ୍କ ଶିଷ୍ୟ ଓ କାପାଲିକ ରୂପେ ଅଭିହିତ ହୋଇଥାନ୍ତି । ଅଘୋରିମାନଙ୍କ ପ୍ରତି ସାଧାରଣରେ ଭୟ ଭାବ ଦେଖାଯାଇଥାଏ । ଏମାନେ ଶରୀରରେ ଭସ୍ମ ପ୍ରଲେପିତ ହୋଇ ଲମ୍ବା ଜଟ ଧାରଣ, କୃଷ୍ଣ ବସ୍ତ୍ର ପରିଧାନ, ହସ୍ତରେ ତ୍ରିଶୂଳ, ମନୁଷ୍ୟ ଅସ୍ଥି ଧାରଣ ଓ କପାଳକୁ ଖାଦ୍ୟ ଓ ପାନ ପାତ୍ର ରୂପେ ବ୍ୟବହାର କରିଥାନ୍ତି ।
ସାଧାରଣତଃ ଜଣେ ମନୁଷ୍ୟ ଯେଉଁ କର୍ମକୁ ଘୃଣା ତଥା ବର୍ଜନ କରିଥାନ୍ତି, ସେହି ସବୁ କର୍ମକୁ ସେମାନେ ବିନା ଦ୍ୱିଧାରେ ଗ୍ରହଣ କରି କୃଚ୍ଛ୍ର ସାଧନାର ମାଧ୍ୟମ ରୂପେ ପାଳନ କରି ସିଦ୍ଧି ଲାଭ କରିଥାନ୍ତି । ମହାଶିବରାତ୍ରିରେ ଅସାଧ୍ୟ ସାଧନା କରିବାକୁ ଯାଇ ସେମାନେ ଶ୍ମଶାନ ସାଧନା, ଶିବ ସାଧନା ଓ ଶବ ସାଧନା କରିଥାନ୍ତି । ବିଶେଷତଃ ସେମାନେ କାଶୀ ବନାରସର ମଣିକର୍ଣ୍ଣିକା ଘାଟ, ଦଶାଶ୍ୱମେଧ ଘାଟ, ପଶ୍ଚିମବଙ୍ଗର ତାରା ପୀଠ ଓ ଗୁଜରାଟର ଗିରିନାରରେ ବସବାସ କରିଥାନ୍ତି । ବନାରସରେ ଅଘୋରିମାନଙ୍କର ଗୁରୁ ସନ୍ଥ କିନାରାମଙ୍କର ଆଶ୍ରମ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଠାରୁ ଅନତି ଦୂରରେ ରହିଅଛି । ଶ୍ମଶାନ ହିଁ ତାଙ୍କର ବାସସ୍ଥାନ କୁହାଯାଏ, ଅଘୋରମାନେ ଶବର ଶରୀର ଉପରେ ବସି ସାଧନା କରୁଥିବାବେଳେ ଶବର ଦରପୋଡ଼ା ମାଂସକୁ ଖାଦ୍ୟ ରୂପେ ଗ୍ରହଣ କରିବା ସହ, ଶବ ସହ ସମ୍ପର୍କ ରକ୍ଷା କରିଥାନ୍ତି । ଏହି ଧର୍ମର ମୂଳ ମନ୍ତ୍ର ହେଲା ସାଂସାରିକ ବିଷୟ ତଥା ଲୋଭ, ମୋହ, ମାୟାରୁ ଦୂରରେ ରହି ମୃତ୍ୟୁକୁ ସକାରାତ୍ମକ ରୂପେ ଗ୍ରହଣ କରି ପରମାତ୍ମାଙ୍କ ସାନ୍ନିଧ୍ୟ ଲାଭ କରିବା । ଆଘୋରମାନଙ୍କ ମୃତ୍ୟୁରେ ସେମାନଙ୍କର ମୁଣ୍ଡକୁ ପୋତି ଗୋଡ଼କୁ ଉପରକୁ କରି ଚାଳିଶ ଦିନ ପର୍ଯ୍ୟନ୍ତ ବିଘଟନ ପାଇଁ ରଖାଯାଇଥାଏ ।
ମହାଶିବରାତ୍ରି ଦିନ ଅଘୋରମାନେ ନିମ୍ନବର୍ଣ୍ଣିତ ପ୍ରକାରେ ସାଧନା କରିଥାନ୍ତି । ସେଗୁଡ଼ିକ ହେଲା– ୧) ଅଗ୍ନି ତପସ୍ୟା, ୨) ମଉନ ସାଧନା, ୩) ଯୋଗ ସାଧନା, ୪) କାଳଭୈରବ ପୂଜା, ୫) କାଳରାତ୍ରି ଧାରଣା, ୬) ଅଘୋରି ସାଧନା, ୭) ଶ୍ମଶାନ ସାଧନା, ୮) ମନିକର୍ଣ୍ଣିକା ଧ୍ୟାନ, ୯) ଅର୍ଦ୍ଧରାତ୍ରି ସାଧନା, ୧୦) କପାଳ ସାଧନା । ଏହି ସମସ୍ତ ସାଧନା ଶିବଙ୍କ ସହ ପ୍ରତ୍ୟକ୍ଷ ସାନ୍ନିଧ୍ୟ ପାଇବା ପାଇଁ ଉଦ୍ଦିଷ୍ଟ ହୋଇଥିଲା ବେଳେ, ଏହି ଅଘୋରମାନଙ୍କ ଆଚରଣ ଭୟ ସୃଷ୍ଟି କରୁଥିଲେ ମଧ୍ୟ ପ୍ରକୃତରେ ସେମାନେ ଶାନ୍ତ ସ୍ୱଭାବର ହୋଇ ଜଗତ କଲ୍ୟାଣ ନିମିତ୍ତ ଏହି ସାଧନା କରିଥାନ୍ତି ।