ଭୁବନେଶ୍ୱର,୧୨/୦୭: ଆଶାୟୀଙ୍କ ଆଖିକୁ  ନିଦ ନାହିଁ । ଛାତି ଧଡ଼ଧଡ଼ । ହାଇକମାଣ୍ଡ କାହା  ମୁଣ୍ଡରେ ଢାଳିବେ ସୁନାକଳସ । ବିଜେପି ବିଧାୟକ ଓ  ନେତାମାନେ ଏବେ ଛଟପଟ । ରାଜ୍ୟ ମନ୍ତ୍ରିମଣ୍ଡଳରେ କାହାକୁ ନେବେ ମୋହନ । କିଏ ବାଦ୍‌ ପଡ଼ିବେ, ନୂଆ  କିଏ ସାମିଲ ହେବେ । ଏ ସମ୍ପର୍କିତ ସମ୍ଭାବ୍ୟ ତାଲିକାରେ ବାଜିବ ନୂଆଦିଲ୍ଲୀ ମୋହର । ଏହାଛଡ଼ା ନିଗମ ଓ  ବୋର୍ଡରେ ମଧ୍ୟ କେଉଁ ପଦ୍ମନେତା ନିଯୁକ୍ତି ପାଇବେ  ତାକୁ ନେଇ ଉତ୍କଣ୍ଠା ବଢ଼ି ଚାଲିଛି । ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ  ସଭାପତି ମନମୋହନ ସାମଲ ଶୀର୍ଷ ନେତୃତ୍ୱ ସହ ବୈଠକ ପରେ ଚୂଡ଼ାନ୍ତ ତାଲିକାରେ ମୋହର ବାଜିବ । 

ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରିଛି । ମୋହନଙ୍କ କ୍ୟାବିନେଟରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । ଦଳ ପାଇଁ ବର୍ଷ ବର୍ଷ ଧରି ନିଷ୍ଠାର ସହ  କାମ କରିଥିବା ନେତାମାନେ ନିଗମ ଓ ବୋର୍ଡରେ  ଥଇଥାନ ହେବାକୁ ଗୋଡ଼ ଟେକି ବସିଛନ୍ତି । ଦିଲ୍ଲୀ ସୂତ୍ର କହୁଛି, ନିକଟରେ ନୂଆ ସଭାପତି ଚୟନ  ପରେ ଏ ସଂପର୍କିତ ସମ୍ଭାବ୍ୟ ତାଲିକା ଧରି ଦୁଇ ନେତା ଦିଲ୍ଲୀରେ କାଳେ ପ୍ରାଥମିକ ଭାବେ ଆଲୋଚନା କରିଛନ୍ତି । ସଂଗଠନ ଓ ସରକାର ହାତ  ଧରାଧରି ହୋଇ ବାଟ ଚାଲିବାକୁ ବିଜେପି ନିଷ୍ପତ୍ତି  ନେଇଥିଲା ବେଳେ ମନ୍ତ୍ରୀ ନିଯୁକ୍ତିରେ ମୁଖ୍ୟମନ୍ତ୍ରୀଙ୍କ  ସହ ମନମୋହନଙ୍କ ପସନ୍ଦ ଓ ସମର୍ଥନର ମଧ୍ୟ  ବଡ଼ ଭୂମିକା ରହିବ । ଏହି ଯୋଡ଼ି ମନ୍ତ୍ରୀ ଭାବେ  କାହା ନାଁ ଏବଂ ବୋର୍ଡ/ନିଗମ ପାଇଁ କାହାର ନାଁ ତାଲିକାରେ ରଖିଛନ୍ତି ତାହାକୁ ନେଇ ବିଜେପି ପାର୍ଟି  ଅଫିସରେ ନାନା କଳ୍ପନାଜଳ୍ପନା ଲାଗି ରହିଛି । 

ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ଗ୍ରହଣ ପରେ ଦିଲ୍ଲୀ ଯାଇଛନ୍ତି ମନମୋହନ । ମୁଖ୍ୟମନ୍ତ୍ରୀ ମଧ୍ୟ ଦିଲ୍ଲୀରେ ଅଛନ୍ତି । ସେ ଶୁକ୍ରବାର ଆରଏସ୍‌ଏସ୍‌  ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ବିଏଲ୍‌ ସନ୍ତୋଷଙ୍କୁ ଭେଟିଛନ୍ତି । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି ।  ମନମୋହନ ମଧ୍ୟ ସଂଘର ବରିଷ୍ଠ ନେତାଙ୍କୁ  ଭେଟିଛନ୍ତି । ଦୁଇ ନେତାଙ୍କ ଦିଲ୍ଲୀ ଗସ୍ତ ରାଜ୍ୟ  ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାକୁ ଜୋର ଦେଉଛି ।  ବିଜେପି ହାଇକମାଣ୍ଡ ସରକାର ଓ ସଂଗଠନ ମଧ୍ୟରେ  ପୂର୍ଣ୍ଣ ସମନ୍ୱୟକୁ ଜୋର୍‌ ଦେଉଥିବାରୁ ମୋହନ- ମନମୋହନଙ୍କୁ କାଳେ ଦିଲ୍ଲୀରୁ ଡକରା ଆସିଛି। ବୋର୍ଡ  ଓ ନିଗମ ନିଯୁକ୍ତି ପରେ ମନମୋହନ ଗଢ଼ିବେ ନିଜର  ନୂଆ ଟିମ୍‌ । ମୁଖ୍ୟମନ୍ତ୍ରୀ ଓ ସଭାପତି ଦିଲ୍ଲୀରେ ଥିବାରୁ ଆଶାୟୀମାନେ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି ।