କଟକ,୦୭/୧୧: ଜାମିନ୍ ବିହୀନ ଗିରଫ ପରୱାନା ବଳରେ କଟକ ଜିଲ୍ଲା ପୁଲିସ ଆଉ ୬ ଜଣଙ୍କୁ ୱାରେଣ୍ଟ୍ ଆସାମୀଙ୍କୁ ପଳାତକ ଘୋଷଣା କରିଛି । ଫଳରେ ଏଇ ସପ୍ତାହ ମଧ୍ୟରେ ଜିଲ୍ଲା ପୁଲିସ ପଳାତକ ଘୋଷଣା କରିଥିବା ୱାରେଣ୍ଟ୍ ଆସାମୀଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି । ଦ୍ୱିତୀୟ ପର୍ଯ୍ୟାୟରେ ପଳାତକ ଘୋଷଣା ହୋଇଥିବା ଆସାମୀମାନେ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ଫାସିବସ୍ତର କେଲୁ ନାୟକ ଓ ବିନି ନାୟକ ଓ ଭଦ୍ରେଶ୍ୱର ଥାନା ହଳଦିଆ ଅଞ୍ଚଳର ମଧୁ ମହାରାଣା, ଆଠଗଡ଼ ଜଗିଆପଡ଼ାର ପୂର୍ଣ୍ଣଚନ୍ଦ୍ର ଶତପଥି ଓ ସ୍ଥାନୀୟ ଉପର ସାହିର ଚନ୍ଦନ କୁମାର ଦଳାଇ, ବଡ଼ମ୍ବା ଗୁଣ୍ଡଦ୍ୱାରର ନକୁଳ ନାୟକ ଓ ନିଆଳି ପୁର୍ବଖଣ୍ଡ ନାୟକ ସାହିର ବଚନ ଭୋଇ ।

ସୂଚନାଯୋଗ୍ୟ, ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଫେରାର ଥିବା ଅଭିଯୁକ୍ତମାନଙ୍କ ପାଇଁ ବିଚାର ପ୍ରକ୍ରିୟାରେ ବିଳମ୍ବ ହେଉଛି । ଅଦାଲତରେ ହାଜର ପାଇଁ ବାରମ୍ବାର ନୋଟିସ ସତ୍ତେ୍ୱ ଅଭିଯୁକ୍ତମାନେ ଅଦାଲତରେ ଦ୍ୱାରସ୍ଥ ହେଉନାହାନ୍ତି । ତେଣୁ ପୁଲିସ କୋର୍ଟର ଅନୁମତି ନେଇ ଫେରାର ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ବିଡବ୍ଲୁ ଜାରି କରିଛି । ଜାନିମ୍ ବିହୀନ ଗିରଫ ପରୱାନା ବଳରେ ପୁଲିସ କୋର୍ଟର ଅନୁମତି ନେଇ ଜିଲ୍ଲାରେ ୩୯ ଜଣଙ୍କୁ ପଳାତକ ଘୋଷଣା କରିଛି । ସମ୍ପୃକ୍ତ ୱାରେଣ୍ଟ୍ ଆସାମୀଙ୍କ ସ୍ଥାୟୀ ଠିକଣାରେ ଥାନା ଅଧିକାରୀମାନେ ପହଞ୍ଚି ଲଟକା ଜାରି କରିବା ସହ ଡେଙ୍ଗୁରା ବଜାଇ ସତର୍କ କରାଇଛନ୍ତି । ମାସକ ଭିତରେ ଥାନାରେ ଆତ୍ମସମର୍ପଣ କରିବା ପାଇଁ ପୁଲିସ ନୋଟିସ୍ ଜାରି କରିଛି । ମାସକ ଭିତରେ ଆତ୍ମସମର୍ପଣ ନକଲେ ୱାରେଣ୍ଟ୍ ଆସାମୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ବିଏନଏସ୍ଏସ୍ ଧାରା ୮୫ ବଳରେ କୋର୍ଟକୁ ନିବେଦନ କରାଯିବ । ଏନ୍‌ବିଡବ୍ଲୁ ଜାରି ହୋଇଥିବା ଫେରାର ଆସାମୀଙ୍କ ବିରୋଧରେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସ୍ପି ଭିନିତ୍ ଅଗ୍ରୱାଲ୍ କହିଛନ୍ତି ।