ପ୍ରମୂଖ ଖବର
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଗର୍ଭରେ ଯାଆଁଳା ଶିଶୁ: ଜଣେ ମୃତ, ଜଣେ ସଂକ୍ରମିତ,ଡାକ୍ତରଖାନା ବାରଣ୍ଡାରେ ୨୪ ଘଣ୍ଟା ଛଟପଟ ପରେ ମିଳିଲା ଶଯ୍ୟା

Published By : Prameya | December 3, 2024 9:58 AM

କୋରାପୁଟ,୦୩/୧୨: ଗର୍ଭବତୀଙ୍କୁ ହତାଦର । ପ୍ରସବ ବେଦନାର ଚିକିତ୍ସା କରିବା ବଦଳରେ ଛଟପଟ  ହେବାକୁ ଛାଡ଼ିଦେଲେ । ରବିବାର ଅପରାହ୍ଣ ୪ଟାରୁ  ସୋମବାର ଅପରାହ୍ଣ ୪ଟା ପର ଯାଏ ମଧ୍ୟ ମେଡିକାଲ ବାରଣ୍ଡାରେ ପଡ଼ି ରହିଲେ । ପେଟରେ ଦୁଇଟି ଯାଆଁଳା  ଛୁଆଙ୍କ କଷ୍ଟ, ଏପଟେ ମାନସିକ ଚିନ୍ତା ସାଙ୍ଗକୁ  ସଂକ୍ରମଣ ଭୟ । ତା’ ସାଙ୍ଗକୁ ଶୀତ କାକର ରାତିରେ  ଯମ ଯନ୍ତ୍ରଣା ଭୋଗିଲେ ଅସହାୟ ଗର୍ଭବତୀ। ଶଯ୍ୟା  ଅଭାବରୁ ମେଡିକାଲ କର୍ତ୍ତୃପକ୍ଷ ବାରଣ୍ଡାରେ ଗଡ଼ାଇ  ଦେଇ ଜୀବନ ମରଣ ସହ ଲଢ଼ିବାକୁ ଛାଡ଼ିଦେଲେ । ଏ ହେଉଛି ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ୍‌ ମାତୃ ଓ ଶିଶୁ  ବିଭାଗର ବିକଳ ଚିତ୍ର । ଯନ୍ତ୍ରଣାରେ ଛଟପଟ  ହେଉଥିବା ଗର୍ଭବତୀ ଜଣଙ୍କ ହେଲେ ରାୟଗଡ଼ା  ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳର ଲକ୍ଷ୍ମୀ ବାଗ୍‌ ।  

ସମ୍ବେଦନଶୀଳର ବିଷୟ, ଗର୍ଭବତୀଙ୍କ ପେଟରେ  ଯାଆଁଳା ଶିଶୁ । ଜଣଙ୍କର ମୃତ୍ୟୁ ହୋଇସାରିଛି, ଅନ୍ୟ  ଜଣଙ୍କର ମୁଣ୍ଡରେ ଜମିଯାଇଛି ପାଣି । ଗର୍ଭବତୀଙ୍କ  ଅବସ୍ଥା ସଙ୍ଗିନ୍‌ । ଗୋଟିଏ ପଟେ ମାନସିକ ଓ  ଶାରୀରିକ ଯନ୍ତ୍ରଣା ଏବଂ ଅନ୍ୟପଟେ ଗର୍ଭରେ ମଲା  ଶିଶୁ ପାଇଁ ସଂକ୍ରମଣର ଭୟ । ଏସବୁ ଜାଣି ମଧ୍ୟ  ମେଡିକାଲ ପକ୍ଷରୁ ଶଯ୍ୟା ଅଭାବରୁ ଗର୍ଭବତୀଙ୍କୁ  ଗଡ଼େଇ ଦିଆଯାଇଛି ଡାକ୍ତରଖାନା ବାରଣ୍ଡାରେ । 

ସ୍ୱାମୀ ଦୈତାରି ବାଗ ଓ ଦୁଇ ନଣନ୍ଦଙ୍କ ସୂଚନା  ଅନୁଯାୟୀ, ୭ ମାସର ଗର୍ଭବତୀ ଅଛନ୍ତି ଲକ୍ଷ୍ମୀ । ରବିବାର  ସକାଳେ ଲକ୍ଷ୍ମୀଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ  ସେମାନେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ  ନେଇଥିଲେ । ଅଲଟ୍ରାସାଉଣ୍ଡ୍‌ ପରେ ଗର୍ଭସ୍ଥ ଯାଆଁଳା  ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ଅନ୍ୟ  ଜଣଙ୍କର ମୁଣ୍ଡରେ ପାଣି ଜମିଥିବା ଜଣାପଡ଼ିଥିଲା । ମୃତ ଶିଶୁକୁ ଅସ୍ତ୍ରୋପଚାର କରି ବାହାର କରାନଗଲେ  ଲକ୍ଷ୍ମୀଙ୍କ ଜୀବନ ପ୍ରତି ବିପଦ ଥିବା ଡାକ୍ତର କହିଥିଲେ ।  ତୁରନ୍ତ ସରକାରୀ ଆମ୍ବୁଲାନ୍ସରେ ଲକ୍ଷ୍ମୀଙ୍କୁ କୋରାପୁଟ  ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ସ୍ଥାନାନ୍ତର  କରିଥିଲେ କର୍ତ୍ତୃପକ୍ଷ । ରବିବାର ଅପରାହ୍ଣ ୪ଟାରେ  ଲକ୍ଷ୍ମୀଙ୍କୁ ଧରି ପହଞ୍ଚିଥିଲେ ପରିବାର । ମାତ୍ର ପ୍ରସୂତି  ଓ ସ୍ତ୍ରୀ ରୋଗ ବିଭାଗ ୱାର୍ଡରେ ଶଯ୍ୟା ନ ମିଳିବାରୁ  ସେମାନେ ଲକ୍ଷ୍ମୀଙ୍କୁ ଧରି ଡାକ୍ତରଖାନା ବାରଣ୍ଡାରେ ଶୀତ  ରାତି କଟାଇଥିଲେ । ସୋମବାର ଅପରାହ୍ଣ ୪ଟା ପର୍ଯ୍ୟନ୍ତ  ବାରଣ୍ଡାରେ ପଡ଼ି ପ୍ରସବ ଯନ୍ତ୍ରଣା ଭୋଗୁଥିଲେ ଲକ୍ଷ୍ମୀ । 

ଏ ସମ୍ପର୍କରେ ଖବର ପାଇ ପହଞ୍ଚିଥିଲେ ଆମ  ଜିଲ୍ଲା ପ୍ରତିନିଧି । ମେଡିକାଲ କଲେଜ ଅଧୀକ୍ଷକ  ଡାକ୍ତର ସୁଶାନ୍ତ ସାହୁଙ୍କୁ ଜଣାଇବା ପରେ ସନ୍ଧ୍ୟାରେ  ଲକ୍ଷ୍ମୀଙ୍କୁ ମିଳିଥିଲା ଶଯ୍ୟା । ତଥାପି ତାଙ୍କ ଚିକିତ୍ସା କିମ୍ବା  ଅସ୍ତ୍ରୋପଚାର ଦିଗରେ ନିଆଯାଇ ନଥିଲା କୌଣସି  ତ୍ୱରିତ ପଦକ୍ଷେପ । ତାଙ୍କୁ ଅବଜରଭେସନ୍‌ରେ  ରଖାଯାଇଥିବା କହି କାମ ସାରିଦେଇଥିଲେ ଡାକ୍ତର ।  

ଅଧୀକ୍ଷକ ଡା. ସାହୁ କହିଛନ୍ତି, ଡାକ୍ତରଖାନାରେ  କୋଠରିର ଘୋର ଅଭାବ ରହିଛି । ରୋଗୀ ସଂଖ୍ୟା  ବଢ଼ି ଯାଉଥିବାରୁ ସମସ୍ତଙ୍କୁ ଶଯ୍ୟା ଯୋଗାଇ ହେଉନି ।  ୧୪ ଜଣ ଗର୍ଭବତୀଙ୍କୁ ଶଯ୍ୟା ମିଳିଥିବା ବେଳେ  ୨୧ ଜଣ ତଳେ ଶୋଉଛନ୍ତି । ଅବିଭକ୍ତ କୋରାପୁଟ  ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରୁ ରୋଗୀଙ୍କ ରେଫର୍‌  ସଂଖ୍ୟା ବଢ଼ୁଥିବାରୁ ଏ ସମସ୍ୟା ସୃଷ୍ଟି ହେଉଛି ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.