ଆମେଠି : ଉତ୍ତର ପ୍ରଦେଶ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ଭୋଟିଂ ତାଲିକାରେ ଆମେଠିର ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାମ ଗାଏବ ହେବା ମାମଲା ଚର୍ଚ୍ଚାର ବିଷୟ ପାଲଟିଛି। ପଞ୍ଚାୟତ ନିର୍ବାଚନର ପ୍ରକାଶିତ ଅନ୍ତିମ ତାଲିକାରେ ତାଙ୍କର ନାମ ନଥିବାରୁ ରାଜନୀତିକ ଓ ସାମାଜିକ ମହଲରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ହେଲେ ବିଧାନସଭା ନିର୍ବାଚନ ଅଞ୍ଚଳର ଭୋଟିଂ ତାଲିକାରେ ତାଙ୍କ ନାମ ଏବେ ବି ରହିଛି।
ସୂଚନା ଅନୁସାରେ , ସ୍ମୃତି ଇରାନୀ ୨୦୨୧ ମସିହାରେ ଗୌରୀଗଞ୍ଜ ତହସିଲ ଅଞ୍ଚଳରେ ମଭଇ ଗାଁରେ ୧୧ ବିଶ୍ୱା ଏକରର ଜମି କିଣି ଥିଲେ। ୨୯ ଜୁଲାଇ ୨୦୨୧ରେ ତାଙ୍କର ପୁତ୍ର ଜୋହର ଇରାନୀ ଏଠାରେ ଭୂମି ପୂଜନ କରି ନିବାସ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରି ଥିଲେ। ନିବାସ ନିର୍ମାଣ ପୂରା ହେବା ପରେ ୨୨ ଫେବ୍ରୁଆରୀ ୨୦୨୪ରେ ସେ ଗୃହ ପ୍ରବେଶ କରି ଥିଲେ। ଏହାପରେ ତାଙ୍କର ନାମ ଗାଁର ଲୀଳା ଟିକରା ବୁଥର ଭୋଟର ତାଲିକାରେ ରୁଜୁ ହୋଇ ଥିଲା ଏବଂ ସେ ୨୦୨୪ ମସିହାର ଲୋକସଭା ନିର୍ବାଚନରେ ଏହି ବୁଥରେ ଭୋଟ୍ ମଧ୍ୟ ଦେଇ ଥିଲେ। ଏହା ପୂର୍ବରୁ ସେ ମୁମ୍ୱାଇ ଉତ୍ତର –ପଶ୍ଚିମ ସଂସଦୀୟ କ୍ଷେତ୍ରର ଭୋଟର ଥିଲେ।
ସ୍ମୃତି ଇରାନୀ ଏସଆଇଆର ଦ୍ୱାରା ନିଜର ନାମ ଆମେଠିର ତାଲିକାରେ ସାମିଲ କରାଇ ଥିଲେ। ପଞ୍ଚାୟତ ନିର୍ବାଚନର ଅନ୍ତିମ ମତଦାତା ତାଲିକାରେ ନାମ ନଥିବା ସମ୍ୱନ୍ଧରେ ଜିଲ୍ଲାଧିକାରୀ ସଞ୍ଜୟ ଚୌହାନ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନର ମତଦାତା ତାଲିକାରେ ନାମ ସାମିଲ କରାଇବା ପାଇଁ ଅଲଗା ଭାବେ ଆବେଦନ ପତ୍ର ଭରିବାକୁ ପଡ଼ି ଥାଏ। ସେ କହିଛନ୍ତି ଯେ, ଏହି କଥାର ପରୀକ୍ଷା କରାଯାଉଛି ଯେ, ସମ୍ୱନ୍ଧିତ ଆବେଦନ ପତ୍ର ଜମା କରାଯାଇ ଥିଲା ନା ନାହିଁ। ଯଦି ଆବେଦନ ଗ୍ରହଣ କରାଯାଇ ଥାନ୍ତା ,ତ ନିୟମାନୁସାରେ ତାଙ୍କର ନାଁ ତାଲିକାରେ ସାମିଲ କରାଯାଇ ଥାନ୍ତା।
ଡିଏମ୍ କହିଛନ୍ତି ପ୍ରଶାସନ ପୂରା ମାମଲାର ତଦନ୍ତ କରୁଛି ଏବଂ ରିପୋର୍ଟ ଗୁଡ଼ିକର ପରୀକ୍ଷା କରାଯାଉଛି। ତଦନ୍ତ ରିପୋର୍ଟ ଆସିବା ପରେ ସ୍ଥିତି ସଂପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇ ପାରେ। ଏବେ ପୂର୍ବତନ ସାଂସଦଙ୍କ ନାମ ପଞ୍ଚାୟତ ମତଦାତା ତାଲିକାରେ ନଥିବାରୁ ଜିଲ୍ଲାରେ ଏହି ପ୍ରସଙ୍ଗ ଆଲୋଚନାର କେନ୍ଦ୍ର ପାଲଟିଛି।
ଆପଣଙ୍କୁ କହି ରଖୁଛୁ କି , ଉତ୍ତର ପ୍ରଦେଶରେ ୧୦ ଜୁନରେ ପଞ୍ଚାୟତ ନିର୍ବାଚନ ପାଇଁ ଫାଇନାଲ ଭୋଟର ତାଲିକା ଜାରି ହୋଇଛି। ୨୦୨୬ର ଅନ୍ତିମ ପଞ୍ଚାୟତ ନିର୍ବାଚନ ମତଦାତା ତାଲିକା ଅନୁସାରେ, ଉତ୍ତର ପ୍ରଦେଶରେ ମୋଟ ୧୨ କୋଟି ୫୮ ଲକ୍ଷ ୫୧ ହଜାର ୫୭୦ ମତଦାତା ଅଛନ୍ତି। ଏହି ସଂଖ୍ୟା ୨୦୨୧ ମସିହାରେ ଦାଖଲ ୧୨ କୋଟି ୨୯ ଲକ୍ଷ ୫୦ ହଜାର ୫୨ ମତଦାତାଙ୍କ ତୁଳନାରେ ୨୯ ଲକ୍ଷ ୧ ହଜାର ୫୧୮ ଅଧିକ। ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ଅନୁସାରେ କରାଯାଇ ଥିବା ସ୍ପେଶାଲ ରିଭିଜନରେ ବହୁ ସଂଖ୍ୟାରେ ନୂଆ ମତଦାତା ଯୋଡ଼ା ଯାଇଛି। ମୃତ , ସ୍ଥାନାନ୍ତରିତ ଅଥବା ଅପାତ୍ର ମତଦାତାଙ୍କ ନାମ ତାଲିକାରୁ ହଟାଇ ଦିଆ ଯାଇଛି। ତଥ୍ୟ ଅନୁସାରେ , ପୁନଃ ନିରୀକ୍ଷଣ ବେଳେ ୨ କୋଟି ୩୨ ଲକ୍ଷ ୨୪ ହଜାର ୮୦୫ ନାମ ଯୋଡ଼ା ଯାଇଛି, ଅନ୍ୟପଡ଼େ ୨ କୋଟି ୩ ଲକ୍ଷ ୨୩ ହଜାର ୨୮୭ ନାମକୁ ହଟେଇ ଦିଆ ଯାଇଛି, ଯାହା ପରେ ମତଦାତା ସଂଖ୍ୟାରେ ବୃଦ୍ଧି ହୋଇଛି।
ଏହା ମଧ୍ୟ ପଢନ୍ତୁ : ପଶ୍ଚିମବଙ୍ଗରେ ସରକାରୀ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ନିର୍ବାଚନରେ ବ୍ୟବହୃତ ୪ ହଜାର ଇଭିଏମ୍