ଭୁବନେଶ୍ୱର,୧୨/୬ : ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଗିନିଜ୍ ୱାର୍ଲ୍ଡ ରେକର୍ଡ ପାଇଁ ଗଣ ଯୋଗ ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି । ମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ଉଦ୍ୟମ ଫଳରେ ଯୋଗ ଆଜି ବିଶ୍ୱବ୍ୟାପୀ ଏକ ସ୍ୱାସ୍ଥ୍ୟ ଆନ୍ଦୋଳନରେ ପରିଣତ ହୋଇଛି। ଭାରତର ପ୍ରସ୍ତାବକୁ ସ୍ୱୀକୃତି ଦେଇ ଜାତିସଂଘ ୨୧ ଜୁନ୍କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଛି। ସେହିଦିନଠାରୁ ଯୋଗର ସାର୍ବଜନୀନ ବାର୍ତ୍ତା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିଛି ଏବଂ କୋଟି କୋଟି ଲୋକଙ୍କ ଜୀବନଶୈଳୀର ଅଂଶ ପାଲଟିଛି ।

ସେ କହିଛନ୍ତି ଯେ, ଯୋଗ ହେଉଛି ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତାର ଏକ ବୈଜ୍ଞାନିକ ଓ ପ୍ରମାଣିତ ପଦ୍ଧତି । ନିୟମିତ ଯୋଗାଭ୍ୟାସ ଦ୍ୱାରା ଜୀବନଶୈଳୀଜନିତ ବିଭିନ୍ନ ରୋଗକୁ ପ୍ରତିରୋଧ କରିବା ସହ ସୁସ୍ଥ ଓ ସକ୍ରିୟ ଜୀବନଯାପନ କରାଯାଇପାରିବ । ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟ “ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ” (Yoga for Healthy Ageing) ରଖା ଯାଇଛି । ବୟସ ବୃଦ୍ଧି ସହିତ ସୁସ୍ଥ ରହିବା, ମାନସିକ ସନ୍ତୁଳନ ବଜାୟ ରଖିବା ଏବଂ ଜୀବନର ଗୁଣାତ୍ମକ ମାନ ବୃଦ୍ଧି କରିବାରେ ଯୋଗର ଭୂମିକା ଅତୁଳନୀୟ ବୋଲି ସେ କହିଛନ୍ତି ।

ଆସନ୍ତା ୧୪ ଜୁନ୍ ୨୦୨୬ତାରିଖ ସକାଳ ୬ଟା ୧୫ମିନିଟ୍ରୁ ୭ଟା ୩୫ମିନିଟ୍ ପର୍ଯ୍ୟନ୍ତ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏକ ଅନଲାଇନ୍ ଯୋଗ ଅଧିବେଶନ ଆୟୋଜନ କରାଯାଉଛି । ଏହି ଅଧିବେଶନରେ ସର୍ବାଧିକ ସଂଖ୍ୟକ ଲୋକଙ୍କ ସମକାଳୀନ ଅଂଶଗ୍ରହଣ ମାଧ୍ୟମରେ ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିବାର ଲକ୍ଷ୍ୟ ରହିଛି । ମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବାର ପ୍ରୟାସ ନୁହେଁ, ବରଂ ପ୍ରଧାନମନ୍ତ୍ରୀଙ୍କ ‘ସୁସ୍ଥ ଭାରତ’ ଦୃଷ୍ଟିକୋଣକୁ ଆହୁରି ସୁଦୃଢ଼ କରିବା ଏବଂ ଯୋଗକୁ ଜନଆନ୍ଦୋଳନରେ ପରିଣତ କରିବାର ଏକ ଜାତୀୟ ଅଭିଯାନ। ଏଥିରେ ଓଡ଼ିଶାର ଅଧିକରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ରାଜ୍ୟର ସ୍ୱାସ୍ଥ୍ୟ ସଚେତନତା ଓ ଜନସହଭାଗିତାର ପରିଚୟ ପ୍ରଦାନ କରିବେ ।

ସେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଛାତ୍ରଛାତ୍ରୀ, ଯୁବବର୍ଗ, ମହିଳା, ନାଗରିକ, ସରକାରୀ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଯୋଗ ଅନୁଷ୍ଠାନ ଏବଂ ସମସ୍ତ ସଚେତନ ନାଗରିକଙ୍କୁ ନିଜ ମୋବାଇଲ୍ ଫୋନ୍ କିମ୍ବା ଅନ୍ୟ ବ୍ୟକ୍ତିଗତ ଉପକରଣ ମାଧ୍ୟମରେ ପୃଥକ ଭାବେ ଏହି ଐତିହାସିକ ପ୍ରୟାସରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ୧୮୦୦-୩୧୫-୭୦୦୮ ଟୋଲ୍-ଫ୍ରି ନମ୍ବରକୁ ଏକ ମିସ୍ଡ କଲ୍ ଦେଇ ପଞ୍ଜୀକରଣ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି। ଶେଷରେ ମନ୍ତ୍ରୀ କହିଛନ୍ତି, “ଆସନ୍ତୁ, ଆମେ ସମସ୍ତେ ମିଳିତ ଭାବେ ଯୋଗକୁ ଜନଆନ୍ଦୋଳନରେ ପରିଣତ କରିବା, ସୁସ୍ଥ ଜୀବନର ସଂକଳ୍ପ ନେବା ଏବଂ ଭାରତ ସହିତ ଓଡ଼ିଶାକୁ ଏହି ଐତିହାସିକ ଗିନିଜ୍ ୱାର୍ଲ୍ଡ ରେକର୍ଡର ସଫଳତାରେ ସାମିଲ କରିବା।”