ପୁରୀ,୧୧/୦୬: ମହାପ୍ରଭୁଙ୍କ ପବିତ୍ର ଦିବ୍ୟ, ଭବ୍ୟ ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ପହଣ୍ଡି ଲୀଳା କରି ସ୍ନାନବେଦୀରେ ବିଜେ କରିଛନ୍ତି ଭାଇଭଉଣୀ । ଗଜାନନ ବେଶରେ ଦର୍ଶନ ଦେବେ ତିନିଠାକୁର । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଜନସମୁଦ୍ର ହୋଇଛି ବଡଦାଣ୍ଡ । ଘଣ୍ଟନାଦରେ କମ୍ପୁଛି ଶ୍ରୀକ୍ଷେତ୍ର । ଭକ୍ତିମୟ, ଲୋକାରଣ୍ୟ ବଡ଼ଦାଣ୍ଡ । ଦିବ୍ୟ ସ୍ନାନ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି ।
ଝୁଲି ଝୁଲି ଆସିଲେ ତିନିଠାକୁର- ଭାବର ଠାକୁର ସେ ଜଗା ଯାଦୁଗର । ସେ ଇଚ୍ଛାମୟ ଠାକୁର । ନିଜ ଭାବନାରେ ବୁଡ଼ି ବୁଡ଼ି ଆଗକୁ ପାଦେ, ପଛକୁ ପାଦେ ଝୁଲି ଝୁଲି ସ୍ନାନବେଦୀ ବିଜେ କରିଛନ୍ତି କାଳିଆ ସୁନା । ପ୍ରଥମେ ବଳଭଦ୍ର, ପରେ ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କ ପରେ ସ୍ନାନବେଦୀରେ ବିଜେ କରିଛନ୍ତି କାଳିଆଠାକୁର ।
ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇଛି ଶିହରଣ । ରତ୍ନବେଦି ଛାଡ଼ି ଭାଇ, ଭଉଣୀଙ୍କ ସହ ସ୍ନାନବେଦୀରେ ଦର୍ଶନ ହୋଇଛନ୍ତି ମହାପ୍ରଭୁ । ଧନୀ, ଗରିବ, ତପୀ, ପାପୀ, ଜାତି ଅଜାତିର ବାଛ ବିଚାର ନାହିଁ । ପତିତର ଦୁଃଖ ନିବାରଣ ପାଇଁ ବାହୁ ପ୍ରସାରି ଭକ୍ତଙ୍କୁ କୋଳେଇ ନେଇଛନ୍ତି ଭାବଗ୍ରାହୀ । ଜଗତକର୍ତ୍ତାଙ୍କୁ ସ୍ନାନବେଦୀରେ ଭକ୍ତ ଦର୍ଶନ କରିଛନ୍ତି । ଠାକୁରେ ମଧ୍ୟ ସେମାନଙ୍କୁ ଅପଲକ ନୟନରେ ଅଭୟ ପ୍ରଦାନ କରିଛନ୍ତି । ଦାରୁବ୍ରହ୍ମଙ୍କୁ ୧୦୮ କଳସୀ ସୁନା କୂଅ ଜଳ ଲାଗି ହେବ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଜାନନ ବେଶରେ ଠାକୁରଙ୍କୁ ଦର୍ଶନ କରି ଧନ୍ୟ ହେବେ ଭକ୍ତ । ମର୍ତ୍ତ୍ୟମଣ୍ଡଳରେ ମଣିମାଙ୍କ ଏହି ଦିବ୍ୟଲୀଳା ଦେଖି କୃତ୍ୟକୃତ୍ୟ ହୋଇଛନ୍ତି ଶ୍ରଦ୍ଧାଳୁ । ସନ୍ଧ୍ୟା ସାଢେ ୭ରୁ ସାହାଣମେଲା ଦର୍ଶନ କରିବେ ଭକ୍ତ ।
ଜନସମୁଦ୍ର ବଡ଼ଦାଣ୍ଡ- କାଳିଆକୁ ଟିକେ ଦେଖିବାକୁ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛି ଭକ୍ତ । ଦିବ୍ୟ ସ୍ନାନ ଦର୍ଶନ ପାଇଁ ଚାହିଁ ରହିଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଜନସମୁଦ୍ର ହୋଇଛି ବଡ଼ଦାଣ୍ଡ । ଘଣ୍ଟନାଦରେ କମ୍ପୁଛି ଶ୍ରୀକ୍ଷେତ୍ର । ଭକ୍ତିମୟ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି ବଡ଼ଦାଣ୍ଡ ।
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି- ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଏଆଇ ପୁରା ଶ୍ରୀକ୍ଷେତ୍ରକୁ ଜଗିଛି । ୭୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।