ନୂଆଦିଲ୍ଲୀ, ୦୨/୦୧ : ଗିଗ୍ ୱାର୍କର୍ସଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା। ସ୍ୱିଗି, ଜୋମାଟୋ, ଆମାଜନ୍ ଭଳି କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଜାରି ହେଲା ଚିଠା-ନିୟମାବଳୀ। ଏହି ନିୟମାବଳୀ ଅନୁଯାୟୀ, ଯେକୌଣସି ଆପ୍ କିମ୍ଵା ଏଗ୍ରିଗେଟର (ମାଲିକ/ଥାର୍ଡ ପାର୍ଟି) ପାଖରେ ୯୦ ଦିନ କାମ କଲେ ଗିଗ୍ ୱାର୍କର୍ସଙ୍କୁ ସାମାଜିକ ସୁରକ୍ଷା ମିଳିବ। ଚାକିରି ଚାଲିଗଲେ ବି ୪୫ ଦିନ ଭିତରେ ପୁଣି ତାଲିମ ପାଣ୍ଠି ମିଳିବ। ନୂତନ ଶ୍ରମ ଆଇନ ଅନୁଯାୟୀ, ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଅନ୍ୟାନ୍ୟ ପଦକ୍ଷେପ ସହିତ, ଗିଗ୍ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ, ଜୀବନ ଏବଂ ବ୍ୟକ୍ତିଗତ ଦୁର୍ଘଟଣା ବୀମା ଭଳି ସାମାଜିକ ସୁରକ୍ଷା କଭରେଜ୍ ବାଧ୍ୟତାମୂଳକ କରାଯାଇଛି। ଶ୍ରମ ମନ୍ତ୍ରଣାଳୟ 'ଇ-ଶ୍ରମ' ପୋର୍ଟାଲରେ ଗିଗ୍ କର୍ମଚାରୀଙ୍କୁ ପଞ୍ଜିକରଣ କରିବା ଆରମ୍ଭ କରିଛି। ୧୬ ବର୍ଷରୁ ଉର୍ଦ୍ଧ୍ଵ ପଞ୍ଜିକରଣ କରିପାରିବେ। ଆଧାର ଲିଙ୍କ ପଞ୍ଜିକରଣ କରିବାକୁ ପଡ଼ିବ। ସେମାନେ 'ଆୟୁଷ୍ମାନ ଭାରତ' ପାଇଁ ଯୋଗ୍ୟ ହେବେ। ଏହି ନିୟମାବଳୀକୁ ନେଇ ସରକାର ପରାମର୍ଶ ମାଗିଛନ୍ତି।
ଏମାନେ ୧୨୦ ଦିନ କାମ କରିବା ଜରୁରୀ-
ଡ୍ରାଫ୍ଟ ଆଧାରରେ ଯଦି କୌଣସି କର୍ମଚାରୀ ଜୋମାଟୋ, ସ୍ଵିଗି ଏବଂ ଉବର ୩ଟି ପ୍ଲାଟଫର୍ମରେ କାମ କରନ୍ତି, ତେବେ ୧୨୦ ଦିନ କାମ କରିବାକୁ ପଡ଼ିବ। ଉଦାହରଣ ସ୍ଵରୂପ ଯଦି ଉକ୍ତ ବ୍ୟକ୍ତି ଗୋଟିଏ ଦିନରେ ତିନୋଟି ଅଲଗା ଆପ୍ସରେ କାମ କରେ ତେବେ ତାହାକୁ ତିନି ଦିନର କାମ ଭାବେ ବିବେଚନା କରାଯିବ। ଗିଗ୍ ୱାର୍କର ଯେଉଁଦିନ ପ୍ଲାଟଫର୍ମରୁ ଟଙ୍କା ରୋଜଗାର କରିବେ ସେହି ଦିନ ଠାରୁ ତାଙ୍କର କାର୍ଯ୍ୟ ଦିବସ ଗଣାଯିବ। ଆୟର କୌଣସି ଲିମିଟ୍ ରଖାଯାଇ ନାହିଁ। ଗିଗ୍ ୱାର୍କର ଯେତିକି ଆୟ କଲେ ମଧ୍ୟ ଚଳିବ।
ପେନସନ୍ ପାଇଁ ସରକାରଙ୍କ ଯୋଜନା
ଗିଗ୍ ୱାର୍କରଙ୍କ ପାଇଁ ସରକାର ଆଗାମୀ ଦିନରେ ପେନସନ୍ ର ବ୍ୟବସ୍ଥା କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ଉଭୟ କମ୍ପାନୀ ଏବଂ କର୍ମଚାରୀଙ୍କ ଯୋଗଦାନ ରହିବ। ୧୬ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ଗିଗ୍ କର୍ମଚାରୀ ଶ୍ରମ ପୋର୍ଟାଲରେ ଯାଇ ଆଧାର ଲିଙ୍କ୍ ପଞ୍ଜିକରଣ କରିବେ। ପ୍ରତି ଏଗ୍ରିଗେଟର ତାଙ୍କ କର୍ମଚାରୀଙ୍କ ସହ ଜଡ଼ିତ ସମସ୍ତ ତଥ୍ୟ କେନ୍ଦ୍ର ପୋର୍ଟାଲରେ ଅପଲୋଡ କରିବାକୁ ପଡିବ। ଏରେଜିଷ୍ଟର ହେବା ପରେ ପ୍ରତି କର୍ମଚାରୀଙ୍କୁ ଡିଜିଟାଲ୍ କିମ୍ଵା ଫିଜିକାଲ୍ ଆଇଡି କାର୍ଡ ମିଳିବ।
ଗଠନ ହେବ ନୂଆ ବୋର୍ଡ
ଗିଗ୍ କର୍ମୀଙ୍କୁ ଗଣନା କରିବା, ନୂତନ ପ୍ଲାଟଫର୍ମ ଚିହ୍ନଟ କରିବା ପାଇଁ ନୂତନ ବୋର୍ଡ ଗଠନ କରାଯିବ। ଏହି ବୋର୍ଡରେ ସରକାରଙ୍କ ଦ୍ୱାରା ମନୋନୀତ ଅଣସଂଗଠିତ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ସଂଘରୁ ପାଞ୍ଚ-ପାଞ୍ଚ ଜଣ ଲେଖାଏଁ ସଦସ୍ୟ ରହିବେ। କର୍ମଚାରୀଙ୍କ କଲ୍ୟାଣ ପାଇଁ ନୀତି ପ୍ରଣୟନ କରିବେ।
କେବେ ଯାଏଁ ମିଳିବ ସୁବିଧା ?
୬୦ ବର୍ଷ ହେବା ଯାଏଁ ଗିଗ୍ କର୍ମଚାରୀମାନେ ଏହି ସୁବିଧା ଉଠାଇପାରିବେ। ଯଦି ଜଣେ ଶ୍ରମିକ ପୂର୍ବ ଆର୍ଥିକ ବର୍ଷରେ ୯୦/୧୨୦ ଦିନ କାମ କରିନାହାଁନ୍ତି ତେବେ ସାମାଜିକ ସୁରକ୍ଷା ଲାଭ ବନ୍ଦ ହୋଇଯିବ। ସରକାରଙ୍କ ଏହି ନିୟମାବଳୀ ଲକ୍ଷ ଲକ୍ଷ ଗିଗ୍ କର୍ମଚାରୀଙ୍କୁ ଆଶ୍ୱସ୍ତି ଦେବ। ଜନସାଧାରଣଙ୍କ ମତାମତ ଆଧାରରେ ଏହି ନିୟମଗୁଡ଼ିକୁ ଚୂଡ଼ାନ୍ତ କରାଯିବ।
ଏହି ଖବରଟିକୁ ପଢନ୍ତୁ- ଭାରତ ନା ଚୀନ୍: ସବୁଠାରୁ ଅଧିକ ଗିଗ୍ କର୍ମଚାରୀ କେଉଁଠାରେ?ଧର୍ମଘଟ ଭୟରେ,ପ୍ରୋତ୍ସାହନ ବୃଦ୍ଧି କରିଛନ୍ତି ସ୍ୱିଗି ଏବଂ ଜୋମାଟୋ