ନୂଆଦିଲ୍ଲୀ ୨୮/୦୬: ସୌର ପ୍ୟାନେଲ ଜରିଆରେ ବିଜୁଳି ଉତ୍ପନ୍ନର ସବୁଠୁ ବଡ଼ ଆହ୍ୱାନ ହେଉଛି ସୂର୍ଯ୍ୟାସ୍ତ ପରେ ଏବଂ ମେଘପୂର୍ଣ୍ଣ ପାଣିପାଗ । ସାଧାରଣତଃ ଏଥିପାଇଁ ଭାରୀ ବ୍ୟାଟେରୀର ସାହାଯ୍ୟ ଆବଶ୍ୟକ ହୁଏ । କିନ୍ତୁ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ ସାନ୍ତା ବାରବାରାର ଅଧ୍ୟୟନକର୍ତ୍ତା ଏଭଳି ଟେକ୍ନୋଲୋଜି ପ୍ରସ୍ତୁତ କରିଛନ୍ତି, ଯାହା ବ୍ୟାଟେରୀ ବିନା ସୂର୍ଯ୍ୟାଲୋକକୁ ସିଧାସଳଖ ବୋତଲରେ ସଂଗ୍ରହ କରିପାରେ । ଏଥିପାଇଁ ବୈଜ୍ଞାନିକମାନେ ଏକ ଅଭିନବ ଜୈବ ଅଣୁ ବିକଶିତ କରିଛନ୍ତି, ଯାହା ସୂର୍ଯ୍ୟକୁ ରାସାୟନିକ ବନ୍ଧନରେ ବାନ୍ଧିଦିଏ ଏବଂ ଆବଶ୍ୟକ ହେଲେ ତାକୁ ଉତ୍ତାପ ରୂପେ ଛାଡ଼େ ।

ଏହି ସ୍ୱତନ୍ତ୍ର ଟେକ୍ନୋଲୋଜିକୁ ମଲିକ୍ୟୁଲାର ସୋଲାର ଥର୍ମାଲ କୁହାଯାଏ । ଏଥିରେ ଖାସ୍ ଅଣୁର ପ୍ରସ୍ତୁତି ଲାଗି ମାନବ ଡିଏନ୍‌ଏରୁ ପ୍ରେରଣା ନିଆଯାଇଛି । ଏହାର ସଂରଚନା ଡିଏନ୍‌ଏର ଅଂଶ ଭଳି, ଯାହା ଅତିବାଇଗଣି କିରଣରେ ନିଜ ଆକାର ବଦଳାଏ । ଏହା ଏକ ଚାପଯୁକ୍ତ ସ୍ପ୍ରିଙ୍ଗ ଭଳି କାମ କରେ । ଏଥିରେ ସୂର୍ଯ୍ୟାଲୋକ ପଡ଼ିବା ମାତ୍ରେ ନିଜ ଭିତରେ ଏହା ଉର୍ଜ୍ଜା ଏକତ୍ର କରେ ଏବଂ ନିଜର ଆକାର ବଦଳାଏ । ବର୍ଷ ବର୍ଷ ଧରି ଏହା ସେହି ସ୍ଥିତିରେ ମଧ୍ୟ ବାନ୍ଧିହୋଇ ରହିପାରେ । ଏଥିରେ ହାଲୁକା ଉତ୍ତାପ ଦିଆଗଲେ କିମ୍ବା କୌଣସି ସ୍ୱତନ୍ତ୍ର ରସାୟନ ମିଶାଗଲେ, ଏହି ଅଣୁ ତୁରନ୍ତ ନିଜର ପୁରୁଣା ଅସଲି ରୂପକୁ ଫେରିଆସେ ଏବଂ ନିଜ ଭିତରେ ସମାହିତ ଉତ୍ତାପକୁ ବାହାରକୁ ଛାଡ଼େ । ଏହି ଅଣୁର ନିଜ ଭିତରେ ଉର୍ଜ୍ଜା ସଞ୍ଚୟର ଶକ୍ତି ଅବିଶ୍ୱସନୀୟ । ଲିଥିୟମ୍ ବ୍ୟାଟେରୀ ସହ ଏହାକୁ ଯଦି ତୁଳନା କରାଯାଏ, ତେବେ ୧ କିଲୋଗ୍ରାମ୍ ଲିଥିୟମ୍ ବ୍ୟାଟେରୀ କେବଳ ୦.୯ ମେଗାଜୁଲ ଉର୍ଜ୍ଜା ସଞ୍ଚୟ କରିପାରେ । ଅନ୍ୟପକ୍ଷେ, ସେହି ମାତ୍ରାରେ ଏହି ଅଣୁ ୧.୬ ମେଗାଜୁଲ ଉର୍ଜ୍ଜା ନିଜ ଭିତରେ ରଖିପାରେ । ଏହି ପରିପ୍ରେକ୍ଷୀରେ ନୂଆ ଟେକ୍ନୋଲୋଜି ସାଧାରଣ ବ୍ୟାଟେରୀ ତୁଳନାରେ ହାରାହାରି ଦୁଇଗୁଣ ଶକ୍ତିଶାଳୀ ।

ଆହୁରି ପଢ଼ନ୍ତୁ...Explosion, Gunfire In Pakistan's Karachi : ପାକିସ୍ତାନ ରେଞ୍ଜର୍ସ ମୁଖ୍ୟାଳୟ ନିକଟରେ ବଡ଼ ବୋମା ବିସ୍ଫୋରଣ, ଚାରି ମୃତ