କରାଚୀ – ପାକିସ୍ତାନର କରାଚୀରେ ଆତ୍ମଘାତୀ ଆକ୍ରମଣ ହୋଇଥିବାର ଖବର ଆସିଛି। ସୂଚନା ଅନୁସାରେ , ଗୁଲିସ୍ତାନ-ଏ-ଜୋଜର ଅଞ୍ଚଳର ବ୍ଲକ୍-୬ ସ୍ଥିତ ରେଞ୍ଜର୍ସ ହେଡକ୍ୱାର୍ଟର (ପାକିସ୍ତାନ ରେଞ୍ଜର୍ସର ମୁଖ୍ୟାଳୟ) ନିକଟରେ ଜୋରଦାର ବିସ୍ଫୋରଣ ପରେ ଦୀର୍ଘ ସମୟ ଯାଏ ଗୁଳି ବିନିମୟ ହୋଇଛି। ଏହି ଆକ୍ରମଣରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ତିନି ଜଣ ଲୋକ ଆହତ ହୋଇଛନ୍ତି। ମୃତକମାନେ ସାଧାରଣ ଜନତା ନା ପାକିସ୍ତାନ ସିନ୍ଧ ରେଞ୍ଜର୍ସର ଯବାନ ଏବେ ଏହା ସ୍ପଷ୍ଟ ହୋଇ ନାହିଁ।

ରିପୋର୍ଟ ମୁତାବିକ , ଜଣେ ଆତ୍ମଘାତୀ ଆକ୍ରମଣକାରୀ ରେଞ୍ଜର୍ସ କମ୍ପାଉଣ୍ଡକୁ ଟାର୍ଗେଟ୍ କରି ବିସ୍ଫୋରଣ କରିଥିଲା। ତାର ଅନ୍ୟ ସାଥିମାନେ ସୁରକ୍ଷା ବାହିନୀ ଉପରେ ଫାୟାରିଂ ଆରମ୍ଭ କରି ଦେଇ ଥିଲେ। ଏହାପରେ ସଂପୃକ୍ତ ଅଞ୍ଚଳରେ ଭୀଷଣ ଗୁଳି ବିନିମୟ ହୋଇଥିଲା। ସୂତ୍ରର କହିବାନୁସାରେ, ପ୍ରଥମ ବିସ୍ଫୋରଣ ଖୁବ୍ ଶକ୍ତିଶାଳୀ ଥିଲା, ଏହାପରେ ଦୁଇଟି ଛୋଟ ଛୋଟ ବିସ୍ଫୋରଣ ମଧ୍ୟ ହୋଇଥିଲା। କୁହାଯାଉଛି ଯେ, ସୁରକ୍ଷା ବାହିନୀ ଓ ଆକ୍ରମଣକାରୀଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟା ଯାଏ ଗୁଳି ବିନିମୟ ଚାଲି ଥିଲା।

ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବିକ , ଆକ୍ରମଣ ଗୁଲିସ୍ତାନ-ଏ-ଜୋହର ଅଞ୍ଚଳର ଏକ ପ୍ରମୁଖ ସଡ଼କରେ ହୋଇ ଥିଲା, ଯାହା କରାଚୀ ୟୁନିଭର୍ସିଟି ଓ ସହରରେ ଥିବା ଆହୁରି ଅନେକ ବିଶ୍ୱବିଦ୍ୟାଳୟକୁ ଯୋଡ଼ି ହେବା ସହ ପାକିସ୍ତାନ ପାଣିପାଗ ବିଭାଗ ଆଡ଼କୁ ଯାଇଛି। ଆକ୍ରମଣ ପରେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ମୁତୟନ କରି ଦିଆଯାଇଛି। ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚାଲିଛି। ବର୍ତ୍ତମାନ କୌଣସି ସଙ୍ଗଠନ ଆକ୍ରମଣ ପାଇଁ ଦାୟୀ ଥିବା ସ୍ପଷ୍ଟ କରି ନାହାନ୍ତି।

ସୂଚନା ଯେ, ପାକିସ୍ତାନର ରେଞ୍ଜର୍ସ ଏକ ଅର୍ଦ୍ଧସୈନିକ ବାହିନୀ, ଯାହାର କାମ ମୁଖ୍ୟତଃ ଦେଶର ସୀମା ଗୁଡ଼ିକର ସୁରକ୍ଷା କରିବା , ଆଭ୍ୟନ୍ତରୀଣ ସୁରକ୍ଷା ଓ ଆତଙ୍କବାଦ ବିରୋଧୀ ଅଭିଯାନକୁ ସଫଳ କରାଇବା। ଏହା ବ୍ୟତୀତ ରେଞ୍ଜର୍, ଦଙ୍ଗା ଓ ହିଂସାକାଣ୍ଡକୁ ନିୟନ୍ତ୍ରଣ , ସମ୍ୱେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା , ବଡ଼ ବଡ଼ ଆୟୋଜନ ଓ ଭିଆଇପି ସୁରକ୍ଷାରେ ମଧ୍ୟ ସହାୟତା କରିବା ଆଦି ଅନ୍ତର୍ଭୁକ୍ତ।

ଆହୁରି ମଧ୍ୟ ପଢନ୍ତୁ :  Lashkar-e-Taiba: ଲସ୍କର କମାଣ୍ଡର ଗାଜି ମମତାଜର ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ