ଭୁବନେଶ୍ୱର,୧୫।୭ : ପାଠ୍ୟ ପୁସ୍ତକରେ ଥିବା ତୃଟିରେ ବିରାଟ ଷଡଯନ୍ତ୍ର ଥିବାର ସନ୍ଦେହ ପ୍ରକାଶ ପାଇଥିଲା । ମୁଖ୍ୟମନ୍ତ୍ରୀ, ଉନ୍ନୟନ କମିଶନଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରି ତୃଟି ବିଚ୍ୟୁତିର କାରଣ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଲେ । କମିଟିର ରିପୋର୍ଟ ଆଧାରରେ ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଗଲା । ପରବର୍ତ୍ତି ସମୟରେ ଏହାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ହସ୍ତାନ୍ତର କରିଥିଲେ। କ୍ରାଇମବ୍ରାଂଚ ଏହି ବିଷୟକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଦେଇଛି । ତଦନ୍ତର ପ୍ରଥମ ପର୍ଯ୍ୟାୟରେ ତତ୍କାଳୀନ ଏସସିଇଆରଟିର ନିର୍ଦ୍ଦେଶକ ଶ୍ରୀ ମନୋଜ ପାଢୀଙ୍କୁ ତଦନ୍ତ ପରିସରଭୁକ୍ତ କରି ଜେରା କରିବା ପରେ ତାଙ୍କୁ ଗିରଫ କରି ଜେଲ ପଠାଯାଇଛି କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର କରିବାର ଘୃଣ୍ୟ ଷଡଯନ୍ତ୍ର ଅତ୍ୟନ୍ତ ଅକ୍ଷମଣୀୟ । ତନ୍ନ ତନ୍ନ କରି ଯାଂଚ କରାଯାଇ ଅପରାଧିମାନଙ୍କୁ ଖୋଜି ବାହାର କରାଯିବ ବୋଲି ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଅନ୍ୟପକ୍ଷରେ କିଛି ଷଡଯନ୍ତ୍ରକାରୀ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି ।ଗତ କାଲି ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିବା ଭିଡିଓ ଓ ଅଡିଓ କ୍ଲିପରେ ଏହି ଷଡଯନ୍ତ୍ର ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ରମେଶ ଚନ୍ଦ୍ର ସାହୁ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।