ନୀଳଗିରି,୧୦/୮(ଆ.ପ୍ର): ଗୁରୁତ୍ୱପୂର୍ଣ୍ଣ ଟିକସ ବିଲ୍ ୨୦୨୫କୁ ପ୍ରସ୍ତୁତି କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ମାଟିର ପୁଅ। ନିଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧିନ ସନ୍ତଗଡ଼ିଆ କାନପୁର ମାଟିର ପୁଅ ରବୀନ୍ଦ୍ର କୁମାର ପଟ୍ଟନାୟକ ଏହି ଟେକ ରଖିଛନ୍ତି।
ଦିଲ୍ଲୀ ଦରବାରରେ ନିଜର କାର୍ଯ୍ୟ ଦକ୍ଷତା ପୁଣି ଥରେ ସେ ପ୍ରମାଣିତ କରିଛନ୍ତି I ସ୍ୱୀକୃତି ସ୍ୱରୂପ ଭାରତ ସରକାର ତାଙ୍କୁ ପଦୋନ୍ନତି ମଧ୍ୟ ପାଇଛନ୍ତି। ଶ୍ରୀ ପଟ୍ଟନାୟକ ଭାରତ ସରକାରଙ୍କ ଆଇନ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ପାହ୍ୟାରୁ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ରବୀନ୍ଦ୍ର ଅନେକ ପ୍ରଶଂସନୀୟ ଆଇନଗତ ଖସଡା କାର୍ଯ୍ୟ କରିଛନ୍ତି I ସେଥିପାଇଁ ସେ ଅନେକ ପୁରସ୍କାର ବି ପାଇଛନ୍ତି। ଏହା ବ୍ୟତୀତ ସେ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରସ୍ତୁତ କରିବାରେ ଅବଦାନ ଦେଇ ଆସୁଥିଲେ। ଯେଉଁଥିରେ ତିନୋଟି ନୂତନ ଫୌଜଦାରୀ ଆଇନ ଏବଂ ଅନେକ ଆଇନ ଅନ୍ତର୍ଭୁକ୍ତ ଅଟେ।
ଭାରତ ସରକାରଙ୍କ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟରେ ଭାରତୀୟ ଆଇନ ସେବାରେ ଯୋଗଦେବା ପୂର୍ବରୁ ସେ ବାଲେଶ୍ୱର ବାରରେ ଜଣେ ଓକିଲ ଭାବରେ କାର୍ଯ୍ୟ କରିଥିଲେ। ପରେ ଆଇନ ବିଭାଗ ଅଧୀନରେ ଫାଷ୍ଟଟ୍ରାକ କୋର୍ଟରେ ଅତିରିକ୍ତ ଦୌରାଜଜ ଭାବେ କାର୍ଯ୍ୟ କରିଥିଲେ। ନୀଳଗିରି ତଥା ସନ୍ତରାଗଡ଼ିଆ କାନପୁର ଅଞ୍ଚଳର ଜନ୍ମିତ ରବୀନ୍ଦ୍ରଙ୍କର ୩ ଭାଇ ଓ ୪ଭଉଣୀ ଅଛନ୍ତି। ରବୀନ୍ଦ୍ର ଅଞ୍ଚଳବାସୀଙ୍କ ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି।